ଭୁବନେଶ୍ୱର: ଭାରତବର୍ଷରେ ଶକ୍ତି ଉପାସନା ବହୁ ପ୍ରାଚୀନ। ବେଦ ଓ ତନ୍ତ୍ରରେ ଶକ୍ତିଙ୍କ ବର୍ଣ୍ଣନା ରହିଛି। ପୁରାତନ ଯୁଗର ଧ୍ୱଂସାବଶେଷରୁ ଆବିଷ୍କୃତ ଦେବୀ ମୂର୍ତ୍ତିଙ୍କୁ ଦେଖିଲେ ଜଣାଯାଏ ଯେ ପ୍ରାକ୍ ଐତିହାସିକ ଯୁଗରୁ ଶକ୍ତିପୂଜା ପରମ୍ପରା ଥିଲା। ଏମିତିକି ଶ୍ରୀଜଗନ୍ନାଥ ସଂସ୍କୃତିରେ ମଧ୍ୟ ଶକ୍ତିଙ୍କୁ ପ୍ରାଧାନ୍ୟ ଦିଆଯାଇଥିବାର ପ୍ରମାଣ ରହିଛି। ‘ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନ’ର ମିଳିତ ଆନୁକୂଲ୍ୟରେ ନବରାତ୍ର ଉପଲକ୍ଷେ ଆୟୋଜିତ ୨୧୦ତମ ଆଲୋଚନାଚକ୍ର ‘ଶ୍ରୀଜଗନ୍ନାଥ ସଂସ୍କୃତିରେ ଶକ୍ତି ପରମ୍ପରା’ ଶୀର୍ଷକ ଉପରେ ମୁଖ୍ୟଅତିଥି ଭୁବନେଶ୍ବର ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର ଏଭଳି କହିଛନ୍ତି।
ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନର ୨୧୦ ତମ ଆଲୋଚନାଚକ୍ର
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପ୍ରଫେସର ମହାପାତ୍ର କହିଲେ ଯେ ଶ୍ରୀମନ୍ଦିରର ରତ୍ନସିଂହାସନ ସ୍ୱୟଂ ଏକ ଶକ୍ତିପୀଠ। ଶ୍ରୀମନ୍ଦିର ଅଧିଷ୍ଠାତ୍ରୀ ଦେବୀ ବିମଳା ଭୈରବୀ। ନାରୀଙ୍କୁ ପ୍ରାଧାନ୍ୟ ଦେବାର ପରମ୍ପରା ଶ୍ରୀଜଗନ୍ନାଥ ସଂସ୍କୃତିର ସବୁଠାରୁ ବଡ଼ ପ୍ରାଚୀନ ପରମ୍ପରା ବୋଲି ସେ କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି କହିଲେ ଯେ ଶ୍ରୀଜଗନ୍ନାଥଙ୍କୁ ଦକ୍ଷିଣକାଳିକା ଭାବେ ଉପାସନା କରାଯାଏ। ଆଶ୍ୱିନ ମାସରେ ଶ୍ରୀମନ୍ଦିରରେ ମୂଳାଷ୍ଟମୀଠାରୁ ଷୋଡ଼ଶ ଦିନ ଧରି ଦୁର୍ଗାମାଧବଙ୍କ ପୂଜା ସମ୍ପର୍କରେ ବିଶଦ ବିବରଣୀ ଦେବା ସହ ଶାକ୍ତଗୁଣ୍ଡିଚା ଉପରେ ଆଲୋକପାତ କରି ସେ କହିଲେ ଯେ ଏହା ବୈଷ୍ଣବ ଓ ଶାକ୍ତ ଧର୍ମର ମଧୁର ମିଳନ। ନବକଳେବର ସମୟରେ ବନଯାଗଯାତ୍ରାରେ କାକଟପୁର ମା’ମଙ୍ଗଳାଙ୍କ ଭୂମିକା ସମ୍ପର୍କରେ ଶ୍ରୀ ମହାନ୍ତି ବର୍ଣ୍ଣନା କରିଥିଲେ।
ରତ୍ନ ସିଂହାସନରେ ମା’ ସୁଭଦ୍ରା ମହାପ୍ରଭୁଙ୍କର ଆତ୍ମଶକ୍ତି ଏବଂ ଶ୍ରୀଦେବୀ ମହାପ୍ରଭୁଙ୍କ ଇଚ୍ଛାଶକ୍ତି ଓ ଭୂଦେବୀ ମହାପ୍ରଭୁଙ୍କ ଜ୍ଞାନଶକ୍ତି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ବିଜୟଲକ୍ଷ୍ମୀ ପଟ୍ଟନାୟକ, ବେଦ ଓ ତନ୍ତ୍ରରେ ଶକ୍ତି ଉପାସନାର ବର୍ଣ୍ଣନା କରିଥିଲେ। ଶଙ୍କରାଚାର୍ଯ୍ୟଙ୍କ ଆଗମନ ପରେ ଶ୍ରୀମନ୍ଦିରରେ ତାନ୍ତ୍ରିକ ପରମ୍ପରାର ପ୍ରଚଳନ ସମ୍ପର୍କରେ ସେ ଅବଗତ କରାଇଥିଲେ। ସମ୍ମାନିତ ବକ୍ତା ଆରତି କର, ଶ୍ରୀମନ୍ଦିରର ପାର୍ଶ୍ବ ଦେବୀଗଣ ଓ ଶ୍ରୀକ୍ଷେତ୍ରର ଅଷ୍ଟଦେବୀଙ୍କ ସମ୍ପର୍କରେ କହିଥିଲେ। ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକଙ୍କ ‘ଆଦି ଓ ମଧ୍ୟପର୍ବର ମହିୟସୀ ଲେଖିକା’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସମ୍ପାଦକ ପୀତବାସ ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ। ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ। ମଧୁସ୍ମିତା ବିଶ୍ୱାଳ ଭକ୍ତି ସଂଗୀତ ଗାନ କରିଥିଲେ।