ଭୁବନେଶ୍ବର: ଖଣ୍ଡଗିରି ଫ୍ଲାଏଓଭର୍ ମରାମତି କାମକୁ ନେଇ ଗତ ଦୁଇଦିନ ହେବ ରାଜଧାନୀରେ ଜାମ ସ୍ଥିତି ଲୋକଙ୍କୁ ନାକେଦମ କଲାଣି। ଖଣ୍ଡଗିରିଠାରୁ ଆରମ୍ଭ କରି ଜୟଦେବବିହାର ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ିର ଲମ୍ବା ଲାଇନ୍ ଲାଗୁଛି। ଗାଡ଼ି ଆଗକୁ ଗଡ଼ିବା କାଠିକର ପାଠ ହୋଇପଡ଼ିଛି। କିଏ ଅଫିସକୁ ବାହାରି ଅଧାରାସ୍ତାରେ ଫସିଛି ତ କିଏ ବଜାରକୁ ବାହାରି ଘରକୁ ଫେରିବା କଷ୍ଟକର ହୋଇପଡ଼ିଛି। ଘଣ୍ଟା ଘଣ୍ଟା ଧରି ଜାମ୍ରେ ରହି ବର୍ଷା ଖରା ଖାଇବାକୁ ପଡ଼ୁଛି। କେବଳ ସାଧାରଣ ଲୋକ ପ୍ରଭାବିତ ହେଉନାହାନ୍ତି, ଅନେକ ସମୟରେ ଆମ୍ବୁଲାନ୍ସ ବି ଫସୁଛି। ସେହିପରି ଅଗ୍ନିଶମ ଓ ପୁଲିସ ଭ୍ୟାନ୍ ଭଳି ଜୁରୁରୀକାଳୀନ ସେବା ବି ଏଥିରୁ ବାଦ୍ ପଡ଼ିନାହିଁ। ଯାହାକୁ ନେଇ ଏବେ ସବୁଠି ଉଦ୍ବେଗ ପ୍ରକାଶ ପାଇଛି। ରାଜଧାନୀର ଏଭଳି ସ୍ଥିତି କମିସନରେଟ୍ ପୁଲିସର ଟ୍ରାଫିକ୍ ପରିଚାଳନାରେ ଅବ୍ୟବସ୍ଥା, ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଓ ଅପାରଗତାକୁ ପଦାରେ ପକାଇଛି।
ଗତ ୨୦ ତାରିଖ ଦିନ କମିସନରେଟ୍ ପୁଲିସ ପକ୍ଷରୁ କିଛି ହ୍ବାଟ୍ସ୍ ଆପ୍ ଗ୍ରୁପ୍ରେ ନୋଟିସ୍ କରାଗଲା ଯେ ୨୧ ଅଗଷ୍ଟରୁ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରି ଫ୍ଲାଏ୍ଓଭରରେ ଗ୍ରେଡ୍ ସେପାରେଟର ଷ୍ଟ୍ରକଚର ମରାମତି କାର୍ଯ୍ୟ ହେବ। ତେଣୁ ଏହି ସମୟରେ ଜାତୀୟ ରାଜପଥ-୧୬ ଦେଇ ଭୁବନେଶ୍ବର ପଟୁ ଖୋର୍ଦ୍ଧା ଆଡ଼କୁ ଯିବାକୁ ଥିବା ଯାନବାହନଗୁଡ଼ିକ ଖାରବେଳ ହୋଟେଲ୍ ସମ୍ମୁଖରୁ ସର୍ଭିସ୍ ରୋଡ୍ ଟିଭିଏସ୍ ସୋରୁମ୍ ପର୍ଯ୍ୟନ୍ତ ଯିବେ। ତେବେ କମିସନରେଟ୍ ପୁଲିସ ନିଜ ମୁଣ୍ଡର ଦୋଷ ଖସାଇବା ଲାଗି ଏଭଳି ଏକ ନୋଟିସ୍ କରି କିଛି ଗ୍ରୁପ୍ରେ ଛାଡ଼ିଦେଇ ନିଶ୍ଚିତ ହୋଇଗଲା। ବାସ୍ତବରେ ଏ ଖବର ଲୋକଙ୍କ ପାଖରେ ପହଞ୍ଚିଲା ହିଁ ନାହିଁ। ରାଜଧାନୀବାସୀଙ୍କ କଥା ଛାଡ଼ନ୍ତୁ। ବାହାରୁ ଆସୁଥିବା ଗାଡ଼ିଗୁଡ଼ିକ ତ ଏ ସମ୍ପର୍କରେ ଜାଣିବା ଅସମ୍ଭବ। ଉଦ୍ବେଗର ବିଷୟ କମିସନରେଟ୍ ପୁଲିସ ଏହାର କୌଣସି ବିକଳ୍ପ ବ୍ୟବସ୍ଥା କଲାନାହିଁ। ବିଭିନ୍ନ ସମୟରେ, ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ସଚେତନ କରାଇବା ପାଇଁ ସ୍ମାର୍ଟ ସିଟିରେ ବଡ଼ ବଡ଼ ଡିସ୍ପ୍ଲେ ଲଗାଯାଇଛି। ପ୍ରଚାର ପ୍ରସାର ପାଇଁ ଟ୍ରାଫିକ୍ ଛକଗୁଡ଼ିକରେ ଅଡିଓ ବ୍ୟବସ୍ଥା ରହିଛି। ଦୁଃଖର ବିଷୟ ଏଥିରୁ ଅଧିକାଂଶ କାମ କରୁନାହିଁ। ଟ୍ରାଫିକ୍ ପୁଲିସ୍ ପକ୍ଷରୁ ମଧ୍ୟ କର୍ମଚାରୀଙ୍କୁ ନିୟୋଜିତ କରି ଟ୍ରାଫିକ୍ ପରିଚାଳନା ହେବା କଥା ତାହା ବି ହେଲା ନାହିଁ। ଫଳରେ ଗତ ଦୁଇଦିନ ହେବ ଲୋକ ଜାମ୍ରେ ଫସି ଅଣନିଶ୍ବାସୀ ହେଲେଣି। ଟ୍ରାଫିକ୍ ପୁଲିସ ଯଦି ଆଗକୁ ବିକଳ୍ପ ପଦକ୍ଷେପ ନ ନିଏ, ଆହୁରି ୧୦ଦିନ ଲୋକଙ୍କୁ ଭୋଗିବାକୁ ପଡ଼ିବ।
ଅନ୍ୟପଟେ ଟ୍ରାଫିକ୍ ଡିସିପି ତପନ ମହାନ୍ତି କହିଛନ୍ତି ଯେ, ବର୍ଷା ଯୋଗୁ ଲୋକେ ବାଇକ୍ ବଦଳରେ ଅଧିକ କାର୍ ବ୍ୟବହାର କରୁଛନ୍ତି। ଦୁଇଦିନ ଧରି ଛୁଟିଥିବାରୁ ଲୋକ କାର୍ଧରି ବାହାରକୁ ଯାଉଛନ୍ତି। ସେହିପରି ଟ୍ରକ୍ ସଂଖ୍ୟା ବି ଢେର ବଢ଼ିଯାଇଛି। ଆମେ ବିକଳ୍ପ ବ୍ୟବସ୍ଥା ପାଇଁ ତ୍ରିଶୁଳିଆ ରାସ୍ତାରେ ଟ୍ରକ୍ଗୁଡ଼ିକୁ ଚଳାଇବା ପାଇଁ ଚେଷ୍ଟା କରିଥିଲୁ। ହେଲେ କେତେକ ସ୍ଥାନରେ ଟ୍ରକ୍ ଫସିବାରୁ ଚାଳକମାନେ ଅସନ୍ତୋଷ ବ୍ୟକ୍ତକଲେ। ସ୍ଥିତିକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ପରିଚାଳନା ପାଇଁ ୨୨ ଜଣଙ୍କୁ ନିୟୋଜିତ କରାଯାଇଛି ବୋଲି ଟ୍ରାଫିକ୍ ଡିସିପି ଶ୍ରୀ ମହାନ୍ତି କହିଛନ୍ତି।