ଭୁବନେଶ୍ବର: ରସୁଲଗଡ଼ରୁ କଳ୍ପନା। ରାଜଧାନୀ ଭୁବନେଶ୍ବରର ଏକ ପ୍ରମୁଖ ରାସ୍ତା। ଯାତ୍ରୀବାହୀଠାରୁ ଆରମ୍ଭ କରି ମାଲବାହୀ, ଦୁଇଚକିଆ, ଚାରିଚକିଆ, ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡ଼ି ଏହି ରାସ୍ତା ଦେଇ ଚଳାଚଳ କରୁଛି। ପ୍ରତିଦିନ ଭିଡ଼ରେ ଫସି ଲୋକେ କଲବଲ ହେଉଛନ୍ତି। ଭିଡ଼ରେ ଘଣ୍ଟା ଘଣ୍ଟା ଫସି ରହିବାକୁ ପଡ଼ୁଛି। ସଂଧ୍ୟାରେ ସ୍ଥିତି ଏତେ ଜଟିଳ ହୋଇପଡ଼ୁଛି ଯେ ରସୁଲଗଡ଼ରୁ କଳ୍ପନା ପହଞ୍ଚିବାକୁ ୪୫ ମିନିଟ୍ରୁ ଅଧିକ ସମୟ ଲାଗି ଯାଉଛି। ଏଣୁ ରାଜ୍ୟ ସରକାର ଏହି ରାସ୍ତାର ଭିଡ଼ ନିୟନ୍ତ୍ରଣ ପାଇଁ ବିକଳ୍ପ ଚିନ୍ତା କରିବାକୁ ଦାବି ଉଠିଲାଣି। ରସୁଲଗଡ଼ରୁ ଖଣ୍ଡିଗିରି ପର୍ଯ୍ୟନ୍ତ ଯେଭଳି ଭିଡ଼ ନିୟନ୍ତ୍ରଣ ପାଇଁ ଫ୍ଲାଏ ଓଭରବ୍ରିଜ୍ କରାଯାଇଛି, ସେଭଳି ବ୍ୟବସ୍ଥା ହିଁ ଏହି ଭିଡ଼କୁ ନିୟନ୍ତ୍ରଣକୁ ଆଣିପାରିବ ବୋଲି ସ୍ଥାନୀୟ କର୍ପୋରେଟର୍ ଭରତ କୁମାର ଲେଙ୍କା ଓ ଅନ୍ୟ ବରିଷ୍ଠ ନାଗରିକମାନେ ମତ ଦେଇଛନ୍ତି।
ରସୁଲଗଡ଼ ଛକରୁ କଳ୍ପନା ଛକ ଦେଇ ରାଜ୍ୟ ଓ ରାଜ୍ୟ ବାହାରର ବହୁ ସଂଖ୍ୟାରେ ବସ୍ ଯାଆସ କରୁଛି। ଦେଶ ବିଦେଶର ଯାତ୍ରୀମାନେ ବି ଏହି ବାଟ ଦେଇ ଯା’ଆସ କରୁଛନ୍ତି। କାରଣ ରେଳଷ୍ଟେସନ୍, ବିମାନବନ୍ଦର ପାଇଁ ଯୋଗାଯୋଗ ବ୍ୟବସ୍ଥା ଭଲଥିବାରୁ ବହୁ ଲୋକ ଏହି ରାସ୍ତାକୁ ଆପଣାଉଛନ୍ତି। ଏ ଦୃଷ୍ଟିରୁ ଏହି ରାସ୍ତା ଅନେକ ଗୁରୁତ୍ବ ବହନ କରୁଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରସୁଲଗଡ଼ରୁ କଳ୍ପନା ଭିତରେ ୪ଟି ଟ୍ରାଫିକ୍ ଛକ ରହିଛି। କିନ୍ତୁ ଲୋକଙ୍କୁ ଭାଗ ଭାଗ କରି ଛାଡ଼ିବା ବେଳେ ରସୁଲଗଡ଼ ପାର୍ଶ୍ବ ଓ କଳ୍ପନା ପାର୍ଶ୍ବ ରାସ୍ତା ଏତେ ଭିଡ଼ ହୋଇଯାଉଛି ଯେ ଟ୍ରାଫିକ୍ ପୁଲିସ ବି ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। ସର୍ବାଧିକ ଭିଡ଼ ସକାଳ ୯ଟାରୁ ପୂର୍ବାହ୍ଣ ୧୧ଟା ଓ ରାତି ୭ଟାରୁ ୯ଟା ପର୍ଯ୍ୟନ୍ତ ରହୁଛି। ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି, ରାସ୍ତାର ଦୁଇପାର୍ଶ୍ବରେ ବେଆଇନ୍ ପାର୍କିଂ। ପ୍ରତିଦିନ କାର ଓ ଅନ୍ୟ ବଡ଼ ବଡ଼ ଗାଡ଼ି ରାସ୍ତାର ଦୁଇପାର୍ଶ୍ବରେ ପାର୍କିଂ ହେଉଛି। ଯେଉଁ ଦୋକାନୀମାନେ ରହିଛନ୍ତି, ସେମାନଙ୍କ ଗାଡ଼ି ବି ରାସ୍ତା ଉପରେ ରହୁଛି।
ସେପଟେ ଏହି ରାସ୍ତାରେ ଦୁଇ ଦୁଇଟି ଫ୍ଲାଏ ଓଭରବ୍ରିଜ୍ ରହିଛି ସତ, କିନ୍ତୁ ଏହା ଭିଡ଼କୁ ବଢ଼ାଉଛି। ଦୁଇଟି ବ୍ରିଜ୍ରୁ ଗୋଟିଏ ଜନପଥର ସତ୍ୟନଗରକୁ ଓ ଅନ୍ୟଟି ଆଇଡିବିଆଇ ଛକକୁ ସଂଯୋଗ କରୁଛି। ସତ୍ୟନଗରକୁ ସଂଯୋଗ କରୁଥିବା ଓଭରବ୍ରିଜ୍ ଦେଇ ଯେଉଁ ଲୋକେ ଆସୁଛନ୍ତି, ସେମାନେ ରସୁଲଗଡ଼-କଳ୍ପନା ରାସ୍ତା ଭିଡ଼ରେ ମିଶିବା ପରେ ଟ୍ରାଫିକ୍ ସମସ୍ୟା ଆହୁରି ବଢ଼ିଯାଉଛି। ସେପଟେ ବମିଖାଲ ଛକରେ ଯେଉଁ ଓଭରବ୍ରିଜ୍ ଆଇଡିବିଆଇ ଛକକୁ ସଂଯୋଗ କରୁଛି, ତାହା ଏକ ବ୍ୟତିକ୍ରମ ଓ ଏହା ଅଧିକ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି ବୋଲି ଅଭିଯୋଗ ହୋଇଛି। କାରଣ ଏହା ୱାନ୍ ୱେ। କିନ୍ତୁ କେତେକ ଅମାନିଆ ଏହି ଓଭରବ୍ରିଜ୍କୁ ବ୍ୟବହାର କରି ରଙ୍ଗ୍ ରୁଟ୍ରେ ଯାଉଥିବାରୁ ଭୟଙ୍କର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି।ତିନିଦିନ ତଳେ ଏହି ଓଭରବ୍ରିଜ୍ ଉପରେ ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବା ଓ ଗାଡ଼ିରେ ଥିବା ଲୋକେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେବା, ଏହାର ପ୍ରମୁଖ କାରଣ। ୪୩ ନମ୍ବର ୱାର୍ଡ କର୍ପୋରେଟର୍ ଭରତ କୁମାର ଲେଙ୍କା କହିଛନ୍ତି, ରସୁଲଗଡ଼ରୁ କଳ୍ପନା ଭିଡ଼ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ଯେତିକି ରାସ୍ତା ଅଛି, ତା’ଠାରୁ ଅଧିକ ଚଉଡ଼ା ରାସ୍ତା କରିବାକୁ ହେଲେ, ସରକାରଙ୍କୁ ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ଏହା ବ୍ୟୟବହୁଳ ହେବ। ଯେତିକି ରାସ୍ତା ଅଛି, ସେତିକିରେ ଭିଡ଼ ନିୟନ୍ତ୍ରଣ କରିବାକୁ ହେଲେ, ଏକମାତ୍ର ବିକଳ୍ପ ହେଉଛି, ଫ୍ଲାଏଓଭର ନିର୍ମାଣ। ଯଦି ସରକାର ରସୁଲଗଡ଼ରୁ କଳ୍ପନା ପର୍ଯ୍ୟନ୍ତ ଫ୍ଲାଏଓଭର ନିର୍ମାଣ କରିବେ, ଆଉ ଭିଡ଼ ରହିବନି ବୋଲି ସେ କହିଛନ୍ତି।