ଭୁବନେଶ୍ବର: ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ହେବ। କଟକ ପଟୁ ଭୁବନେଶ୍ବର ଆସୁଥିବା ଗାଡ଼ିଗୁଡ଼ିକର ବେଗ ହଠାତ୍ ହଂସପାଳ ନିକଟରେ କମିଯାଇ ପରେ ପୂରା ସ୍ଥିର ହୋଇଗଲା। ଖଣ୍ଡଗିରି ପଟୁ ଆସୁଥିବା ଗାଡ଼ି ସତ୍ସଙ୍ଗ ବିହାର ନିକଟରେ ଅଟକିଥିଲା। ଖାଲି କଟକ କି ଖଣ୍ଡଗିରି ପଟୁ ନୁହେଁ, ସହରର ଯେଉଁଆଡ଼େ ଦେଖିଲେ ସବୁ ରାସ୍ତାରେ ଗାଡ଼ିଗୁଡ଼ିକଲ ଲମ୍ବା ଲାଇନ୍ ଥିଲା। ଗାଡ଼ି ଆଗକୁ ବା ପଛକୁ ଗଡ଼ିବା ଅସମ୍ଭବ ଥିଲା। ଯିଏ ଯେଉଁଠି ଥିଲେ ସେଇଠି ଅଟକି ରହିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ୩ଘଣ୍ଟା ଧରି ଲୋକ ଜାମ୍ରେ ରହି ନାକେଦମ ହୋଇଥିଲେ। ଏମିତିକି କିଛି ସ୍ଥାନରେ ଅନେକ ଆମ୍ବୁଲାନ୍ସ ମଧ୍ୟ ଫସିଥିବା ଜଣାପଡ଼ିଥିଲା। ରାଜଧାନୀରେ ଟ୍ରାଫିକ ପରିଚାଳନାର ବିଫଳତାକୁ ଆଜିର ଘଟଣା ଆଉଥରେ ପଦାରେ ପକାଇ ଦେଇଥିଲା। ସ୍ମାର୍ଟ ରାଜଧାନୀରେ ବାରମ୍ବାର ଜାମ୍ ସ୍ଥିତି ଉପୁଜିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି।
ଛୁଟିଦିନରେ ସହରରେ ଜାମ୍ ହେବା ପ୍ରାୟତଃ ଦେଖିବାକୁ ମିଳୁଥିବା ବେଳେ ଆଜି ସୋମବାର ସନ୍ଧ୍ୟାରେ ହଠାତ୍ କାହିଁକି ଜାମ୍, କେହି କିଛି ବୁଝିପାରିନଥିଲେ। ପରେ ଜଣାପଡ଼ିଥିଲା ଯେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଢ଼େଙ୍କାନାଳ ଯିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ପରବର୍ତ୍ତୀ ସମୟରେ ସେଥିରେ ପରିବର୍ତ୍ତନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଢ଼େଙ୍କାନାଳ ଯାଇଥିଲା। ସେଥିପାଇଁ ଜାତୀୟ ରାଜପଥଠାରୁ ସହରର ଅନ୍ୟ ଅନେକ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି କରାଯାଇଥିଲା। ଫଳରେ ଜାମ୍ ସୃଷ୍ଟି ହୋଇଥିଲା। କିନ୍ତୁ ବଡ଼କଥା ହେଉଛି, କାର୍କେଡ୍ ଯିବାପରେ ଯୋଜନାବଦ୍ଧ ଭାବେ ଯେମିତି ଜାମ୍କୁ ହଟାଇବାକଥା, ତାହା ଦେଖା ଯାଇନଥିଲା। ଜାମ୍ରେ ଫସିଥିବା ହଜାର ହଜାର ଲୋକ ଓ ଗାଡ଼ିକୁ ନିଜେ ଯୁଦ୍ଧକରି ଜାମ୍ରୁ ମୁକୁଳିବାଲାଗି ଛାଡ଼ି ଦିଆଯାଇଥିଲା। ଫଳରେ ୨ଘଣ୍ଟା ପର୍ଯ୍ୟନ୍ତ ଜାମ୍ ହଟିନଥିଲା। ୩ଘଣ୍ଟାର କସରତ ପରେ ଜାମ୍ ହଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/22/ona5aCJBbGHClFhvwWkp.jpg)