ପ୍ରାମାଣିକ ଚଳଚ୍ଚିତ୍ରରେ ଆମେରିକା କୃଷକଙ୍କ କରୁଣ ଚିତ୍ର, ନୂତନ କୃଷି ଆଇନ ଆମେରିକା ଭଳି ପରିସ୍ଥିତି ସୃଷ୍ଟି କରିବ

୪ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ସମ୍ବଲପୁରର ଝିଅ ସ୍ରିଷ୍ଟି

ଭୁବନେଶ୍ବର: ଭାରତ ସରକାର ନୂଆ କୃଷି ଆଇନ ପ୍ରଣୟନ କରିବା ପରେ ଏହାକୁ ବିରୋଧ କରି ଦୀର୍ଘ ଶହେ ଦିନରୁ ଅଧିକ ସମୟ ଧରି କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି। ଏହି ନୂତନ କୃଷି ଆଇନ ଉଭୟ ଚାଷ ଓ ଚାଷୀଙ୍କୁ ଭୟଙ୍କର ଭାବେ କ୍ଷତି ପହଞ୍ଚାଇବ ବୋଲି ଆଶଙ୍କା କରି ଆଇନର ପ୍ରତ୍ୟାହାର ଦାବିରେ ସାରା ଦେଶରେ କୃଷକ ଆନ୍ଦୋଳନ ଚାଲିଛି। ଏହି ପରିପ୍ରେକ୍ଷୀରେ ଆମେରିକାର ୮୦ ଦଶକରେ ପ୍ରଣୀତ କୃଷି ଆଇନର ପରବର୍ତ୍ତୀ ପ୍ରଭାବକୁ ନେଇ ସେଠାରେ ଅବସ୍ଥାପିତ ୪ଜଣ ବନ୍ଧୁ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି। ଏଥରେ ଆମେରିକାରେ କୃଷି ଆଇନ କାର୍ଯ୍ୟକାରୀ ହେବା ପରେ ଗ୍ରାମୀଣ ଅଞ୍ଚଳରେ କୃଷି ଓ କୃଷକଙ୍କ କରୁଣ ଚିତ୍ର ଦର୍ଶାଯାଇଛି। ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଶାସନକାଳରେ କାର୍ଯ୍ୟକାରୀ ହୋଇଥିବା ଏହି ଆଇନ କିଭଳି ଚାଷ ଓ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଥଲା ତାହା ଏଥିରେ ବର୍ଣ୍ଣନା କରାଯାଇଛି। ଭାରତର ନୂତନ କୃଷି ଆଇନ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରର ୨୦ବର୍ଷ ପୂର୍ବର ସ୍ଥିତି ହୋହରାଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି।

ଲସ୍‌ ଆଞ୍ଜେଲସରେ ଅବସ୍ଥାପିତ ଆଇଆଇଟିଆନ, ନାସାର ପୂର୍ବତନ ବୈଜ୍ଞାନିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ବେଦବ୍ରତ ପାଇନ୍‌, ପିଏଚ୍‌ଡି ସ୍କଲାର ସ୍ରିଷ୍ଟି ଅଗ୍ରୱାଲ, ରାଜସିକ ତରଫଦାର ଏବଂ ଥିଏଟର କଳାକାର ରୁମିଲା ଗଙ୍ଗୋପାଧ୍ୟାୟ ଗ୍ରାମୀଣ ଆମେରିକାର ଦୀର୍ଘ ୧୦ହଜାର କିଲୋମିଟର ଯାତ୍ରା କରି ଏହି ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି। ଗତ ଜାନୁଆରି ୨୨ତାରିଖରେ ସେମାନେ ଲସ୍‌ଆଞ୍ଜେଲସରୁ ଯାତ୍ରା ଆରମ୍ଭ କରି ଦୀର୍ଘ ୧୪ଦିନ ବିଭିନ୍ନ ଅଞ୍ଚଳରେ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଏଥିରେ ଚିତ୍ରିତ କରିଛନ୍ତି।

ସମ୍ବଲପୁରର ଝିଅ ସ୍ରିଷ୍ଟି କହିଛନ୍ତି, ସେମାନେ ଏହି ଯାତ୍ରାକାଳରେ ଆମେରିକାର ବିଭିନ୍ନ କ୍ଷତିଗ୍ରସ୍ତ ଚାଷୀଙ୍କ ଭେଟିଥିଲେ। ସେମାନେ କୃଷିକ୍ଷେତ୍ର ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। କୃଷକମାନେ ଅଶାନୂରୂପକ ଆୟ କରିବାରେ ସକ୍ଷମ ହୋଇପାରୁନଥି‌ଲେ। ଏହାଦ୍ବାରା ଗ୍ରାମୀଣ କୃଷି କ୍ଷେତ୍ରରେ କାର୍ଯ୍ୟରତ କ୍ଷୁଦ୍ର ଚାଷୀଙ୍କ ଆୟ ସମ୍ପୂର୍ଣ୍ଣଭାବେ ନିମ୍ନଗାମୀ ହୋଇଥିଲା। ୨୦୨୦ ଫେବ୍ରୁଆରିରେ ଆମେରିକାର କୃଷି କ୍ଷେତ୍ରର ଆୟ ୧୪ଶହ ଡଲାର ବିଯୁକ୍ତାତ୍ମକ ହୋଇଥିଲା। ଚାଷୀ ବ୍ରେଣ୍ଟ ବ୍ରେୱେର ସୂଚନା ଦେଇଥିଲେ ଯେ, ଗତ ୨୦ବର୍ଷରେ ଗହମର ଉତ୍ପାଦନ ମୂଲ୍ୟ ତିନିଗୁଣା ହୋଇଥିବା ବେଳେ ଏହାର ବିକ୍ରୟ ମୂଲ୍ୟ ୧୮୬୫ର ଗୃହ ଯୁଦ୍ଧ ସମୟ ସହ ସମାନ ରହିଥିଲା। ଉତ୍ପାଦିତ ସାମଗ୍ରୀର ଖୁଚୁରା ମୂଲ୍ୟ ୧୯୬୦ ମସିହାରେ ୫୦ ପ୍ରତିଶତକୁ ଖସି ଆସିଥିବା ବେଳେ ଏହା ଏବେ ୧୫ ପ୍ରତିଶତ ରହିଛି। ୧୯୮୧ ମାନ୍ଦାବସ୍ଥା ପରେ ଆମେରିକାର ଋଣ ୪୨୫ ବିଲିୟନ ଡଲାରରେ ପହଞ୍ଚିଥିଲା। ଯାହାକି ସର୍ବକାଳୀନ ରେକର୍ଡ। ଋଣ ଖିଲାପକାରୀ ଓ ଦେବାଳିଆ ହାର ମଧ୍ୟ ବଢ଼ିବାରେ ଲାଗିଲା। ଅନେକ ଚାଷୀ ଆତ୍ମହତ୍ୟା ଭଳି ଚରମ ପନ୍ଥା ଆପ‌ଣାଇବାକୁ ବାଧ୍ୟ ହେଲେ।

ଫଳରେ ଜାତୀୟ ହାରରେ ଚାଷୀ ଆତ୍ମହତ୍ୟା ୪ରୁ ୫ଗୁଣ ବଢ଼ିଗଲା। ଦେବାଳିଆ ଚାଷୀଙ୍କଠାରୁ ଋଣ ଆଦାୟ କରିବାକୁ ବାଧ୍ୟ କରାଯିବାରୁ ଜଣେ ବ୍ୟାଙ୍କ ଅଧିକାରୀ ଆତ୍ମହତ୍ୟା ମଧ୍ୟ କରିଥିଲେ। କୃଷିକ୍ଷେତ୍ର ବିପର୍ଯ୍ୟୟ ସ୍ଥିତି ଦେଇ ଗତି କରିବାରୁ ଗ୍ରାମାଞ୍ଚଳର ଜନବସତି ଧୀରେଧୀରେ ଜନଶୂନ୍ୟ ହେବାକୁ ଲାଗିଲା। ବିହନ ଯୋଗାଣକାରୀ, ଶସ୍ୟ ଉତ୍ପାଦନକାରୀ ଏପରିକି ଗ୍ରାମଞ୍ଚଳର ହସ୍ପିଟାଲ ଉଭାନ ହୋଇଗଲେ। ଏବେ ଆମେରିକାର ଗ୍ରାମାଞ୍ଚଳ ଜିଲ୍ଲାମାନଙ୍କରେ ପ୍ରତିବର୍ଷ ପ୍ରାୟ ୧ହଜାର ସ୍କୁଲ ବନ୍ଦ ହେବାରେ ଲାଗିଛି। ଆମେରିକାର କୃଷି କ୍ଷେତ୍ରରେ ବୃହତ କର୍ପୋରେଟ ସଂସ୍ଥା ଆଧିପତ୍ୟ ବିସ୍ତାର କରିଛନ୍ତି। ଏଥିପାଇଁ ଚାଷୀମାନେ ସିଧାସଳଖ ପୂର୍ବତନ ରାଷ୍ଟ୍ରପତି ରେଗାନଙ୍କୁ ଦାୟୀ କରିଛନ୍ତି। ଚାଷୀଙ୍କ ଦୁଃଖ ଓ ଦୁର୍ଦ୍ଦଶାର କାରଣ ପାଲଟିଥିବା ଏହି ବଡ଼ ବଡ଼ ସଂସ୍ଥା କବଳରୁ ମୁକ୍ତି ପାଇଁ ସେମାନେ ଏବେବି ସଂଘର୍ଷ ଜାରି ରଖିଛନ୍ତି ବୋଲି ଚାଷୀମାନେ କହିଛନ୍ତି।
୧୯୮୧ ମସିହାରେ ଦାୟିତ୍ବ ଗ୍ରହଣ କରିଥିବା ରାଷ୍ଟ୍ରପତି ରେଗାନ କୃଷି କ୍ଷେତ୍ରରେ ନୂତନ ଆଇନର ପ୍ରଣେତା ଥିଲେ। ଏହି ଆଇନ ଫଳରେ କୃଷି କ୍ଷେତ୍ର ଉପରେ ସରକାରୀ ନିୟନ୍ତ୍ରଣ ରହିଲା ନାହିଁ। ଫଳରେ କୃଷି ଅର୍ଥନୀତି କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେଲା। ହଠାତ୍‌ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଭୁଶୁଡ଼ି ପଡ଼ିଲା। ଜମିର ମୂଲ୍ୟ ଅହେତୁକ ଭାବେ ହ୍ରାସ ପାଇବା ସହ ବିଶ୍ବସ୍ତରରେ ମାନ୍ଦାବସ୍ଥା ଆରମ୍ଭ ହୋଇଗଲା। ଲକ୍ଷଲକ୍ଷ ଛୋଟ ଫାର୍ମ ବନ୍ଦ ହୋଇଗଲା। ନିୟୁତ ନିୟୁତ ଚାଷୀ ବିସ୍ଥାପିତ ହେବା ଯୋଗୁଁ ଗ୍ରାମାଞ୍ଚଳ ଜନଶୂନ୍ୟ ହୋଇପଡ଼ିଲା। ବଡ଼ ବଡ଼ କର୍ପୋରେଟ ସଂସ୍ଥା ବଜାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଗଲେ।

ଟିମ୍‌ର ଯାତ୍ରା ସମୟରେ ଗୋପାଳକ ଜିମ୍‌ ଗୁଡମ୍ୟାନ କହିଥିଲେ, ତାଙ୍କର ୪୫ଟି ଗାଈ ଥିଲେ। ୪୦ବର୍ଷର ସଂଘର୍ଷ ପରେ ସେ ବାଧ୍ୟହୋଇ ସବୁ ଗାଈଙ୍କୁ ବିକ୍ରି କରିଦେବା ସହ ଡାଏରି ଫାର୍ମକୁ ବନ୍ଦ କରିଦେଇଥିଲେ। ଅନ୍ୟଜଣେ ଡାଏରି ଫାର୍ମ ମାଲିକ ଏବେ ତାଙ୍କ ଫାର୍ମକୁ ବଞ୍ଚାଇବା ପାଇଁ ଏକ କାରଖାନାରେ ୧୨ଘଣ୍ଟା କାମ କରୁଛନ୍ତି। ଆଉ କିଛି ଚାଷୀ ସେମାନଙ୍କ କୃଷି କ୍ଷେତ୍ରକୁ ରକ୍ଷା କରିବାକୁ କଠିନ ପରିଶ୍ରମ କରୁଥିବା କହିଛନ୍ତି। ଏପରିକି ଚାଷୀ ଋଣର ଗୋଟିଏ କିସ୍ତି ଖିଲାପ କଲେ କଣ୍ଟ୍ରାକ୍ଟ ଦେଇଥିବା କମ୍ପାନି ଚାଷ ଋତୁର ମଝିରୁ ସେମାନଙ୍କ ଟ୍ରାକ୍ଟର ଜବତ କରୁଥିବା ଚାଷୀମାନେ ଦୁଃଖର ସହ କହିଛନ୍ତି। ସେହିପରି ମାଇକ୍‌ କାଲିକ୍ରେଟ ନାମକ ଜଣେ ଚାଷୀ କହିଛନ୍ତି ବଡ଼ ବଡ଼ କମ୍ପାନିଙ୍କ ପ୍ରବେଶ ଫଳରେ କୁକୁଡ଼ା ପାଳନ କରୁଥିବା ୭୫ ପ୍ରତିଶତ ଚାଷୀ ପରିବାର ଏବେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ୪ଟି ବୃହତ ଫାର୍ମ ଦୁଇ ତୃତୀୟାଂଶ ବିହନ ମାର୍କେଟରୁ ଆରମ୍ଭ କରି ଗ୍ରୋସରି ଷ୍ଟୋର ଓ ୮୦ ପ୍ରତିଶତ ରାସାୟନିକ ସାର ଶସ୍ୟ ବ୍ୟବସାୟକୁ ନିୟନ୍ତ୍ରଣ କରୁଛନ୍ତି।

ଏଭଳି ସ୍ଥିତିରେ ସରକାରୀ କୃଷି ବୀମା ସବସିଡ୍‌ ଅର୍ଥ ସିଧାସଳଖ ଏହି ବୃହତ କର୍ପୋରେଟ ସଂସ୍ଥାକୁ ଯାଉଛି। ୨୦ ପ୍ରତିଶତ ସବସିଡି ଅର୍ଥ ସଂସ୍ଥାଗୁଡ଼ିକ ପାଉଛନ୍ତି। ମିସୌରି ବିଶ୍ବବିଦ୍ୟାଳୟର ପ୍ରଫେସର ଜନ ଇ ଆଇକର୍ଡ କହିଛନ୍ତି ବିନା ସରକାରୀ ପ୍ରୋତ୍ସାହନରେ ଏହା ସମ୍ଭବ ନୁହେଁ। ଏମଏସପି, କଣ୍ଟାକ୍ଟ ଫାର୍ମିଂ ‌ଭଳି ନିୟମ ଯୋଗୁଁ ଆମେରିକା ଗ୍ରାମାଞ୍ଚଳର ଲୋକଙ୍କ ଆୟ କମିବା ସହ ସେମାନଙ୍କୁ ଘର ଛାଡ଼ିବା ପାଇଁ ବାଧ୍ୟ କରିଛି ବୋଲି ଜୋ ମାକ୍ସୱେଲ କହିଛନ୍ତି।

ସମ୍ବନ୍ଧିତ ଖବର