ଜଟଣୀ: ଆଜି ଟାଉନ୍ ଭିତରେ ମୁଖ୍ୟ ରାସ୍ତାରେ ଲାଗିଥିବା ଏକ ବିଜ୍ଞାପନ ହୋର୍ଡିଂରେ ବିଦ୍ୟୁତ୍ ଟ୍ରାନସ୍ଫର୍ମର ବୋଝେଇ ଟ୍ରଲର୍ ଲାଗିଯିବାରୁ ଟ୍ରାଫିକ୍ ଜାମ୍ ହୋଇଥିଲା। ଟ୍ରଲର୍ଟି ମୁଖ୍ୟ ରାସ୍ତାରେ ପ୍ରାୟ ଘଣ୍ଟାଏ କାଳ ଅଟକି ରହିବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ସହରବାସୀଙ୍କ ସହ ଏହି ରାସ୍ତାରେ ଯାତାୟାତ କରୁଥିବା ପିପିଲି ଓ ଖୋର୍ଦ୍ଧା ଅଞ୍ଚଳର ଶହଶହ ଲୋକେ ଫସିଯାଇଥିଲେ। ବେଆଇନ ଭାବେ ବିଜ୍ଞାପନ ହୋର୍ଡିଂ ଲଗାଯାଇଥିବା ଅଭିଯୋଗ କରି ଲୋକେ ପାଟିତୁଣ୍ଡ କରିଥିଲେ ଏବଂ ହୋର୍ଡିଂ ଲଗାଇଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଆଜି ଜଟଣୀ ବଡ଼ନୂଆଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ଲାଗିଥିବା ଘରୋଇ ବିଦ୍ୟାଳୟ ବିଜ୍ଞାପନ ହୋର୍ଡିଂରେ ଟ୍ରାନସ୍ଫର୍ମର ବୋଝେଇ ଟ୍ରଲର ଲାଗିଯାଇଥିଲା। ହୋର୍ଡିଂଟି କମ୍ ଉଚ୍ଚତାରେ ଥିବାରୁ ଟ୍ରଲର୍ରେ ଲଦା ହୋଇଥିବା ଟ୍ରାନସ୍ଫର୍ମରରେ ବାଜିଥିଲା। ତେଣୁ ହୋର୍ଡିଂ ତଳେ ଟ୍ରଲର୍ଟି ଅଟକି ରହିଥିଲା। ଏଣେ ହୋର୍ଡିଂ ବନ୍ଧାହୋଇଥିବା ଖମ୍ବ ରାସ୍ତାର ଦୁଇ ପାର୍ଶ୍ବକୁ ସଂକୁଚିତ କରିଥିଲା। ଫଳରେ ଟ୍ରାଫିକ୍ ଜାମ୍ ହେଲା। ପିପିଲି ଓ ଖୋର୍ଦ୍ଧା ଦିଗରୁ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ଉଭୟ ପାର୍ଶ୍ବରେ ଅଟକି ରହିଲେ। ଖବର ପାଇ ଉକ୍ତ ସଂସ୍ଥାର କର୍ମଚାରୀମାନେ ଆସି ହୋର୍ଡିଂ ଖୋଲିବା ପରେ ଗାଡ଼ା ଚଳାଚଳ ସ୍ବାଭାବିକ ହୋଇଥିଲା। ଏନେଇ ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି ଯେ ନିୟମାନୁସାରେ ରାସ୍ତାରେ ଲାଗୁଥିବା ହୋର୍ଡିଂ ଗୁଡ଼ିକର ଉଚ୍ଚତା ୧୬ ଫୁଟ୍ ରହିବା କଥା। କିନ୍ତୁ ଏହି ହୋର୍ଡିଂର ଉଚ୍ଚତା କେତେ ଥିଲା, ସୋମବାର ଯାଞ୍ଚ କରାଯିବ।