ନିଶାସକ୍ତ ଲୋକୋ ପାଇଲଟ୍‌ଙ୍କ କାରନାମା, ଅଳ୍ପକେ ଟଳିଗଲା ରେଳ ଦୁର୍ଘଟଣା

ଚନ୍ଦ୍ରଶେଖରପୁର: ଆଜି ନିୟୁ ଭୁବନେଶ୍ବର ରେଳ ଷ୍ଟେସନରେ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି। ଜଣେ ନିଶାସକ୍ତ ଲୋକ ପାଇଲଟଙ୍କ ଯୋଗୁଁ ଘଟିବାକୁ ଯାଉଥିବା ରେଳ ଦୁର୍ଘଟଣା ଷ୍ଟେସନ୍ ମାଷ୍ଟର ଓ ଅନ୍ୟ ରେଳ କର୍ମଚାରୀମାନଙ୍କ ତ୍ବରିତ୍ ପଦକ୍ଷେପ ଲାଗି ଅଟକି ଯାଇଛି। ପ୍ରାୟ ଅଧଘଣ୍ଟା ପାଇଁ ସମଗ୍ର ଇଷ୍ଟକୋଷ୍ଟ ରେଲୱେରେ ହଇଚଇ ସୃଷ୍ଟି କରିଥିବା ଏହି ଅଘଟଣ ପାଇଁ ଦାୟୀ ଲୋକ ପାଇଲଟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

ଘଟଣାଟି ଥିଲା ଏମିତି। ରାତି ପ୍ରାୟ ଆଠଟା ବେଳେ ନିୟୁ ଭୁବନେଶ୍ବର ରେଳ ଷ୍ଟେସନରେ ଏକ ମାଲଗାଡ଼ି (ସଂଖ୍ୟା ୩୧୪୭୬ ) ଲାଇନ୍‌ କ୍ଲିଅର୍‌ ନଥିବାରୁ ଅଟକି ରହିଥିଲା। ତେବେ ହଠାତ୍ ଲୋକ ପାଇଲଟ୍‌ ସୋମନାଥ ସେଠୀ ବିନା ସିଗ୍‌ନାଲରେ ଟ୍ରେନ୍‌କୁ ଗଡ଼ାଇବା ଆରମ୍ଭ କରିଥିଲେ। ଟ୍ରେନ୍‌ଟି ଗଡ଼ିବା ଦେଖି ଷ୍ଟେସନର କର୍ମଚାରୀମାନେ ଷ୍ଟେସନ୍ ମାଷ୍ଟର ଗିୟାସୁଦ୍ଦିନ୍‌ଙ୍କୁ ସୂଚନା ଦେଇଥିଲେ। ‌ଷ୍ଟେସନ୍ ମାଷ୍ଟର୍ ମାଲ୍‌ଗାଡ଼ିଟିକୁ ଅଟକାଇବା ପାଇଁ ଚାଳକ ଶ୍ରୀ ସେଠୀଙ୍କୁ ଜରୁରୀକାଳୀନ ସୂଚନା ଦେଇଥିଲେ ମଧ୍ୟ ସେ ନିଶାରେ ଚୁର୍‌ ହୋଇଥିବାରୁ କିଛି ଜାଣି ପାରିନଥିଲେ।

ଟ୍ରେନ୍‌ଟି ପାଖାପାଖି ୬୦୦ ମିଟର ଆଗକୁ ଯାଇଥିବା ବେଳେ ଷ୍ଟେସନ ମାଷ୍ଟର ତୁରନ୍ତ ଖୋର୍ଦ୍ଧାରୋଡ୍‌ ‌ରେଳ ନିୟନ୍ତ୍ରଣ ବୋର୍ଡ଼(ଓଏଚ୍‌ଇ)କୁ ସୂଚନା ଦେଇଥିଲେ। ଫଳରେ ସେଠାରୁ ଗାଡ଼ିର ବିଦ୍ୟୁତ୍ ହୁକ୍‌କୁ ନିଷ୍କ୍ରିୟ କରି ଦିଆଯାଇଥିଲା ଓ ଟ୍ରେନ୍‌ଟି ଅଟକି ଯାଇଥିଲା। ପରେ ଚାଳକ ସୋମନାଥକୁ ଟ୍ରେନ୍‌ରୁ ଓହ୍ଲାଇ ଦିଆଯାଇଥିଲା ଓ ଅନ୍ୟ ଜଣେ ଚାଳକଙ୍କ ଦ୍ବାରା ଟ୍ରେନ୍‌କୁ ପଛକୁ ଅଣାଯାଇଥିଲା। ଖବର ପାଇ ରେଳ ବିଭାଗର ଅଧିକାରୀମାନେ, ଆର୍‌ପିଏଫ୍‌ ଓ ଜିଆର୍‌ପି ଟିମ୍‌ ଷ୍ଟେସନ୍‌ରେ ପହଞ୍ଚିଥିଲେ। ସୂଚନା ମୁତାବକ ଟ୍ରେନ୍‌କୁ ଅଟକାଇବାରେ ଆଉ କିଛି ସମୟ ବିଳମ୍ବ ହୋଇଥିଲେ, ‌ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍ ହୋଇଥାନ୍ତା କିମ୍ବା ମେରାମୁଣ୍ଡଳି ଦିଗରୁ ଆସୁଥିବା ଟ୍ରେନ୍ ସହ ଧକ୍କା ହୋଇଥାନ୍ତା।

ସମ୍ବନ୍ଧିତ ଖବର