ଦେଢ଼ ମାସ ପରେ ଆଜି ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ଗଡ଼ିବ ଟ୍ରେନ୍‌, ପ୍ରଥମେ ଯିବେ ୯୧୬ ଯାତ୍ରୀ

ଭୁବନେଶ୍ବର: ‌ଦୀର୍ଘ ଦେଢ଼ ମାସ ପରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍‌। ମେ’ ୧୩ ତଥା ବୁଧବାର ସକାଳ ୧୦ଟାରେ ଭୁବନେଶ୍ୱରରୁ ଏହି ସ୍ବତନ୍ତ୍ର ଟ୍ରେନ୍ (୦୨୮୨୩) ୯୧୬ ଜଣ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀ ଅଭିମୁଖେ ଚାଲିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏଥିରେ ଏସି ତୃତୀୟ ଶ୍ରେଣୀ/ଦ୍ୱିତୀୟ ଶ୍ରେଣୀ/ପ୍ରଥମ ଶ୍ରେଣୀ ସହ ମୋଟ ୧୭ଟି କୋଚ୍‌ରେ ୯୧୬ଟି ସିଟ୍‌ ରହିଛି। ପ୍ରଥମ ଏସିରେ ୨୪ଟି ସିଟ୍‌ ରହିଥିବା ବେଳେ ଦ୍ବିତୀୟ ଏସିରେ ୧୦୪ ଓ ତୃତୀୟ ଏସିରେ ୭୯୨ଟି ସିଟ୍‌ ରହିଛି। ଟ୍ରେନ୍‌ ନିର୍ଦ୍ଧାରିତ ସମୟ ସକାଳ ୧୦ଟାରେ ଛାଡ଼ିବାକୁ ଥିବା ବେଳେ ୮ଟା ୩୦ ସୁଦ୍ଧା ଯାତ୍ରୀମାନେ ଷ୍ଟେସନ ନିକଟରେ ଉପସ୍ଥିତ ରହିବାକୁ କୁହାଯାଇଛି।

ଏହି ଟ୍ରେନ୍‌ଟି ଭୁବନେଶ୍ୱରର ପ୍ଲାଟ୍‌ଫର୍ମ ନମ୍ବର-୧ (ମାଷ୍ଟର କ୍ୟାଣ୍ଟିନ୍‌ ପାର୍ଶ୍ବରୁ) ଛାଡ଼ିବ। କନ୍‌ଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ କେବଳ ପ୍ଲାଟ୍‌ଫର୍ମକୁ ଯିବା ଲାଗି ଅନୁମତି ମିଳିବ। ଟ୍ରେନ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ନିମନ୍ତେ ସମସ୍ତ ଯାତ୍ରୀ ପୂର୍ବରୁ ମେଡିକାଲ୍ ସ୍କ୍ରିନିଂ (ସ୍ୱାସ୍ଥ୍ୟ ଯାଞ୍ଚ) କରିବା ଆବଶ୍ୟକ। ରୋଗର ଲକ୍ଷଣ ନଥିବା ଯାତ୍ରୀମାନେ କେବଳ ଯାତ୍ରା କରିବାକୁ ଅନୁମତି ପାଇବେ। ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସାଙ୍ଗରେ ହ୍ୟାଣ୍ଡ ସାନିଟାଇଜର, ସାବୁନ୍ ଆଦି ଆଣିବାକୁ ଅନୁରୋଧ କରାଯାଇଛି। ନିଜ ନିଜର ଖାଦ୍ୟ ସାଙ୍ଗରେ ଧରି ଆସିବେ। ବେଡ଼୍‌ରୋଲ୍ ଓ ଲିନେନ୍‌ (ଚାଦର ଓ ତକିଆ) କିଛି ପ୍ରଦାନ କରାଯିବ ନାହିଁ। ସୁବିଧା ନିମନ୍ତେ ଯାତ୍ରୀମାନେ ନିଜ ନିଜର ବେଡ଼୍‌ସିଟ୍‌ ଆଣିବାକୁ କୁହାଯାଇଛି। ଯେହେତୁ ଆଟେଣ୍ଡାଣ୍ଟ୍‌, ପୋର୍ଟର ସେବା ସୁବିଧା ମିଳିବ ନାହିଁ ତେଣୁ ଯାତ୍ରୀମାନେ ଯେତେ କମ୍ ଲଗେଜ୍ ସାଙ୍ଗରେ ଆଣିବା ଉଚିତ। ଦିଲ୍ଲୀ/ଭୁବନେଶ୍ୱରରେ ଓହ୍ଲାଇବା ପରେ ଏହି ଯାତ୍ରୀଙ୍କ ପାଇଁ ଲାଗୁ ହେଉଥିବା ସ୍ଥାନୀୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିୟମାବଳୀ ପାଳନ କରିବାକୁ ପଡ଼ିବ।

‘ଆରୋଗ୍ୟ ସେତୁ’ ବାଧ୍ୟତାମୂଳକ
କରୋନା ସଂକ୍ରମଣ ରୋକିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଟ୍ରେନ୍‌ରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯାତ୍ରୀମାନେ ନିଜ ମୋବାଇଲ୍‌ରେ ‘ଆରୋଗ୍ୟ ସେତୁ’ ଆପ୍‌ ଡାଉନ୍‌ଲୋଡ କରିବା ଆବଶ୍ୟକ। ‘https://t.co/bpfHKNLHmD’ ଓ ‘https://t.co/aBvo2Uc1fQ https://t.co/MRvP8QBVPU’ ମାଧ୍ୟମରେ ଯାତ୍ରୀମାନେ ଏହାକୁ ଡାଉନ୍‌ଲୋଡ କରିପାରିବେ।

ଗଣମାଧ୍ୟମ ପ୍ରବେଶ ଉପରେ କଟକଣା
କୌଣସି ବି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ଲାଟଫର୍ମ ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ। ସାମାଜିକ ଦୂରତ୍ବ ରକ୍ଷା କରି ଗଣମାଧ୍ୟମ ପ୍ରତିନିଧିମାନେ ଏଟିଏମ୍‌ ପାର୍କିଂ ଜୋନ୍‌କୁ ପ୍ରବେଶ କରିପାରିବେ। ୬ ନମ୍ବର ପ୍ଲାଟଫର୍ମ ଦେଇ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କ ସୁବିଧା ପାଇଁ ସକାଳ ୮ଟାରୁ ପୂର୍ବତଟ ରେଳପଥ ପକ୍ଷରୁ ନିୟମିତ ବ୍ୟବଧାନରେ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଭିଡିଓ ପଠାଯିବ। ଏଥିସହ କିଛି ଫଟୋ ମଧ୍ୟ ପ୍ରଦାନ କରାଯିବ। ତେବେ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯିବା ସମୟରେ ବହୁ ସଂଖ୍ୟାରେ ଷ୍ଟିଲ୍‌ ଫଟୋ ଦିଆଯିବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।

ବାତିଲ୍‌ ‌ହେଲା ୫ଟି କୋଚ୍‌
୧୭ଟି କୋଚ୍‌ ନେଇ ଗଡ଼ିବାକୁ ଥିବା ଭୁବନେଶ୍ବର-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନ୍‌ରେ ଆଉ ୫ଟି କୋଚ୍‌ ଯୋଡ଼ିବା ଲାଗି ଆଜି ସକାଳେ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଯେଉଁଥିରେ ତୃତୀୟ ଶ୍ରେଣୀ ଏସିର ୪ଟି ଓ ଦ୍ବିତୀୟ ଶ୍ରେଣୀ ଏସିର ଗୋଟିଏ କୋଚ୍‌ ରହିଥିଲା। ତେବେ ବୈଷୟିକ ସମସ୍ୟା ସୃଷ୍ଟି ହେବାରୁ ସନ୍ଧ୍ୟା ସମୟରେ ନିଷ୍ପତ୍ତିରେ ପରିବର୍ତନ କରାଯାଇଛି। ଯୋଡ଼ା ହେବାକୁ ଥିବା ୫ଟି କୋଚ୍‌ ବାତିଲ୍‌ ହୋଇଛି। ପରବର୍ତୀ ସମୟରେ ଏନେଇ ନିଷ୍ପତ୍ତି ନିଆଯିବା‌ ସହ ଘୋଷଣା କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

 

ସମ୍ବନ୍ଧିତ ଖବର