ଭୁବନେଶ୍ୱର: ନାହିଁ ବଣ୍ଡା, ଜୁଆଙ୍ଗ, ଭୁଞ୍ଜିଆ, ପରଜା, ସାନ୍ତାଳ, କନ୍ଧଙ୍କ କୁଟୀର। ନାହାନ୍ତି ଜନଜାତି ଲଳନା। ନାହିଁ ଜନଜାତିର ସାଂସ୍କୃତିକ କାର୍ଯ୍ୟକ୍ରମ। ନାହିଁ ସେମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ କୃଷି ଉପକରଣ। ନାହିଁ ସେମାନଙ୍କ ଖାଦ୍ୟ ପସରା। ଏମିତି ବହୁ ନାହିଁ ନାହିଁରେ ଚାଲିଛି ଚଳିତ ବର୍ଷର ଆଦିବାସୀ ମେଳା। ଫଳରେ ମେଳାର ଆକର୍ଷଣ ନାହିଁ। କେବଳ ବିଭିନ୍ନ ଷ୍ଟଲ୍ରେ ସେମାନଙ୍କ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର କିଣାବିକା ଚାଲିଛି। ତେଣୁ କେବଳ କିଣାକିଣି କରିବାକୁ ଆସୁଥିବା ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ଦେଖିବାକୁ ମିଳୁଛି ମେଳାରେ। ସେଲ୍ଫି ନେବା, ଫଟୋ ଉଠାଇବା, ଖିଆପିଆ କରିବା ଭଳି ମେଳା ମଜା ନେବା ପାଇଁ ଛୋଟ ପିଲା ଓ ଯୁବପିଢ଼ିର ଦର୍ଶକଙ୍କ ସଂଖ୍ୟା ସେମିତି ଆଖିଦୃଶିଆ ହୋଇପାରିନି। ତେଣୁ ଏଥର ଏକପ୍ରକାର ଖାଁ ଖାଁ ଲାଗୁଛି ଆଦିବାସୀ ମେଳା।
ଆଦିବାସୀ ମେଳା-୨୦୨୧ ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ପ୍ରଦର୍ଶିତ ହେଉଛି। ଆସନ୍ତା ମାସ ୯ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଏବେ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବାକୁ ମେଳାକୁ ଆସୁଛନ୍ତି। କେହି କେହି ପରିବାର ସହିତ ମେଳା ବୁଲାବୁଲି କରିବା ସହିତ ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ସବାଇ ଘାସର ଚାଙ୍ଗୁଡି, ସପ ଓ ପା’ପୋଛ କିଣୁଛନ୍ତି। କନ୍ଧମାଳ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାରେ ବସବାସ କରୁଥିବା ଆଦିବାସୀମାନେ ଆସି ନିଜ ନିଜ ଜିଲ୍ଲାରେ ଉପଲବ୍ଧ ଓ ସେମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ସାମଗ୍ରୀ ବିକ୍ରୟ କରୁଛନ୍ତି। ଆଇଟିଡିଏ ଓ ମାଇକ୍ରୋ ପ୍ରୋଜେକ୍ଟ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରୟ କରୁଛନ୍ତି। ପିଣ୍ଡିମାନଙ୍କରେ ସୋରିଷ, ହଳଦୀ, ଅଦା, କାନ୍ଦୁଲ, ମହୁ, ଝୁଣା, ରାଶି, ପେଶି, ପାଳୁଅ ଆଦି ବନଜାତ ଦ୍ରବ୍ୟ ଉପଲବ୍ଧ ହେଉଛି। ମାଲକାନଗିରି ମୁଦୁଲିପଡ଼ାର ବଣ୍ଡା ଉନ୍ନୟନ ସଂସ୍ଥା, ସମ୍ବଲପୁର କୁଚିଣ୍ଡାର ବନଜା ବାଣିଜ୍ୟ ସଂଘ, ସୁନାବେଡ଼ା ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା, ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ, ବଣାଇଁ ଜୁଆଙ୍ଗ ଉନ୍ନୟନ ସଂସ୍ଥା ଆଦି ସଂସ୍ଥାର ମହିଳାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିପଣନ କରୁଛନ୍ତି। କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଥିବା କେନ୍ଦୁଝର ବଡ଼ିର ଚାହିଦା ବହୁ ଅଧିକ ଥିବା ଦେଖିବାକୁ ମିଳୁଛି। ଫୁଲବଡ଼ି ଓ କଖାରୁ ବଡ଼ି ଲୋକଙ୍କ ବେଶି ପସନ୍ଦ। କଳାହାଣ୍ଡି ହଳଦୀ, ଅଦା, ଲଙ୍କାଗୁଣ୍ଡ ମଧ୍ୟ ଅଧିକ ବିକ୍ରି ହେଉଛି। ସବାଇ ଘାଷର ସପ ପ୍ରତି ଗ୍ରାହକ ଆକର୍ଷିତ ହେଉଛନ୍ତି। ଏହାର ମୂଲ୍ୟ ରହିଛି ୩୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଆଦିବାସୀଙ୍କ ପ୍ରସ୍ତୁତ ଫୁଲଝାଡୁ ଲୋକଙ୍କ ମନକୁ ଛୁଉଁଥିବା ଦେଖିବାକୁ ମିଳୁଛି।
ଆଦିବାସୀ ମେଳାରେ ୯୦ଟି ଷ୍ଟଲ ରହିଛି। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମେଳା ଖୋଲା ରହୁଛି। ତେବେ ମେଳାରେ ଭିଡ଼ ହେଉନଥିବାରୁ ବ୍ୟବସାୟୀମାନେ ନିରାଶ ହୋଇଛନ୍ତି। ମେଳା ସନ୍ଧ୍ୟା ୭ଟାରେ ବନ୍ଦ ହେଉଥିବାରୁ ଗ୍ରାହକଙ୍କ ସଂଖ୍ୟା କମିଯାଉଛି ବୋଲି ଥୁଆମୂଳ ରାମପୁରରୁ ଆସିଥିବା ବ୍ୟବସାୟୀ କପିଳେଶ୍ବର ପାତ୍ର କହିଛନ୍ତି। କରୋନା ଭୟ ଥିବାରୁ ବହୁତ କମ୍ ଦର୍ଶକ ଆସୁଛନ୍ତି ବୋଲି ସୁନ୍ଦରଗଡ଼ର ବ୍ୟବସାୟୀ ନିର୍ମଳା ସାହା କହିଛନ୍ତି। ସେହିଭଳି ମେଳା ବୁଲିବା ପାଇଁ ଆସିଥିବା ଝରଣା ସାହୁଙ୍କ ମତରେ ଏଥର ମେଳାର ଆକର୍ଷଣ କିଛି ନାହିଁ। ଏତେ ଭଲ ଲାଗୁନି ଏଥର ମେଳା, ଖାଁ ଖାଁ ଲାଗୁଚି। ଆଦିବାସୀଙ୍କ ପାରମ୍ପରିକ କୁଡ଼ିଆ ନଥିବାରୁ ଭଲ ଲାଗୁନି ବୋଲି ସେ କହିଛନ୍ତି। ସେହିଭଳି ରସୁଲଗଡ଼ ଜିଜିପି କଲୋନିରୁ ମେଳା ବୁଲିବାକୁ ଆସିଥିବା ସନତ ମହାନ୍ତିଙ୍କ କହିବା କଥା ଏଭଳି ମେଳା ଖାଲି କିଣାବିକା ପାଇଁ ଆୟୋଜିତ ହୁଏ ନାହିଁ। ବିଭିନ୍ନ ମଜା ନେବା ମେଳା ଲକ୍ଷ୍ୟ। ପୂର୍ବରୁ ଏଠାରେ ସିଧାସଳଖ ଆଦିବାସୀ ପୁରୁଷ ଓ ମହିଳାମାନଙ୍କ ସହ ମିଶି ସେମାନଙ୍କ ବାବଦରେ ବହୁତ କଥା ଜାଣିବାର ସୁଯୋଗ ଥିଲା। ଆଦିବାସୀଙ୍କ ନାଚଗୀତ ଦେଖିବାକୁ ମିଳୁଥିଲା। ମାତ୍ର ଏଥର ନାହିଁ। ତେଣୁ ମେଳାର ମଜା ନାହିଁ ବୋଲି ସେ କହିଛନ୍ତି। ତେବେ ଦର୍ଶକମାନେ ୱେବ୍ସାଇଟ www.adivasimela2021.com ରେ ପଞ୍ଜୀକରଣ କରୁଛନ୍ତି। ଏହା ମାଧ୍ୟମରେ ଦର୍ଶକମାନେ ଜନଜାତିଙ୍କ ବିଷୟରେ ଘରେ ବସି ଜାଣି ପାରୁଛନ୍ତି। କୋଭିଡ୍ କଟକଣା ଯୋଗୁଁ ବିଭିନ୍ନ ସାମଗ୍ରୀର ଇ-ମାର୍କେଟିଂର ସୁବିଧା ମଧ୍ୟ କରାଯାଇଛି। ଆଗ୍ରହୀ ଗ୍ରାହକ ଘରେ ବସି ସାମଗ୍ରୀ ବରାଦ ଦେଇପାରୁଛନ୍ତି। ସେହିଭଳି ଡିଜିଟାଲ ମାଧ୍ୟମରେ କିଣାବିକା ମଧ୍ୟ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କୁ ସମସ୍ୟାରେ ପକାଉଛି। ତେଣୁ କିଣାବିକା ମଧ୍ୟ କିଛିଟା ପ୍ରଭାବିତ ହୋଇଛି ବୋଲି ବ୍ୟବସାୟୀମାନେ କହିଛନ୍ତି।