ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ୧୦ ଦିନ ଧରି ଚାଲିଥିବା ‘ଆଦିବାସୀ ମେଳା’ ଆଜି ଉଦ୍‌ଯାପିତ ହୋଇଛି। ଏହି ମେଳାରେ ଜନସାଧାରଣଙ୍କ ସମାଗମ ଆଶାନୁରୂପ ହୋଇଥିବା ବେଳେ ବିଭିନ୍ନ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀର ବେପାର ଉତ୍ସାହଜନକ ଥିଲା। ପ୍ରତିଦିନ ଅପରାହ୍‌ଣ ସାଢ଼େ ୩ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ମେଳା ପରିସରରେ ପ୍ରବଳ ଜନସମାଗମ ‌ହୋଇଥିଲା। ମେଳାରେ ୪ କୋଟି ଟଙ୍କାରୁ ଊର୍ଧ୍ବ କାରବାର ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଦଶ ଦିନ ମଧ୍ୟରେ ପ୍ରାୟ ୬ ଲକ୍ଷ ୫୦ ହଜାର ଲୋକ ମେଳା ପରିଦର୍ଶନ କରିଛନ୍ତି। ମେଳାରେ କାରବାର କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଭିନ୍ନ ଷ୍ଟଲ ଓ ସଂସ୍ଥାଗୁଡ଼ିକୁ ଉଦ୍‌ଯାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ନିର୍ଦ୍ଦେଶିକା ଗୁହାପୁନମ ତାପସ କୁମାର ଓ ସଦସ୍ୟ ସଚିବ ତଥା ମେଳାର ନୋଡାଲ ଅଧିକାରୀ ପ୍ରଫେସର ଅଖିଳ ବିହାରୀ ଓତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଫେସର ଓତାଙ୍କ ଦ୍ୱାରା ସଂପାଦିତ ଦୁଇଟି ପୁସ୍ତକ ‘ଟ୍ରାଇବାଲ୍‌ ଟ୍ରାଡିସନ୍‌ ଆଣ୍ଡ୍‌ କଲ୍‌ଚର୍‌ ଅଫ୍‌ ଓଡ଼ିଶା’ ଓ ‘ଓଡ଼ିଶାର ଜନଜାତି ପରମ୍ପରା ଓ ସଂସ୍କୃତି’ ଉନ୍ମୋଚିତ ହୋଇଥିଲା।