୧୮ରେ ଖୋଲିବ ଜନଜାତି ସଂଗ୍ରହାଳୟ, ୬୫ରୁ ଅଧିକ, ୧୪ରୁ କମ୍‌ ବୟସ୍କଙ୍କୁ ପ୍ରବେଶ ମନା

ଭୁବନେଶ୍ବର: ସର୍ବସାଧାରଣଙ୍କ ନିମନ୍ତେ ଆସନ୍ତା ୧୮ରୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ସିଆର୍‌ପି ଛକସ୍ଥିତ ଏହି ସଂଗ୍ରହାଳୟ ବନ୍ଦ ରହିଥିବା ବେଳେ ଏଠାରେ ଅନଲାଇନ୍‌ରେ ପର୍ଯ୍ୟଟକଙ୍କୁ ପରିଦର୍ଶନର ସୁଯୋଗ ଦିଆଯାଉଥିଲା। ଦୀର୍ଘ ୮ ମାସ ପରେ ଏହା ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲା ଯାଇଥିଲେ ହେଁ ଏଥିପାଇଁ କୋଭିଡ୍‌ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି। ପ୍ରତ୍ୟେକ ଦର୍ଶକଙ୍କୁ ଫୋର୍‌ହେଡ୍‌ ସ୍କାନର୍‌ ମେସିନ୍‌ ଦ୍ବାରା ଯାଞ୍ଚ କରାଯାଇ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ। ପ୍ରତ୍ୟେକ ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସଂଗ୍ରହାଳୟ ମଧ୍ୟରେ ପ୍ରତ୍ୟେକ ଦର୍ଶକ ପରସ୍ପର ମଧ୍ୟରେ ୧୦ ଫୁଟର ଦୂରତା ରକ୍ଷା କରିବେ।

ପ୍ରତ୍ୟେକ ଦର୍ଶକ ପ୍ରବେଶ ପଥ ଓ ସଂଗ୍ରହାଳୟ ପ୍ରବେଶ ପଥରେ ହାତ ସାନିଟାଇଜ୍‌ କରିବେ। କୌଣସି ସୋ କେସ୍‌, ଟଚ୍‌ ସ୍କ୍ରିନ୍‌, କିଓସ୍କୋ, ଭିଆର୍‌ ହେଡ୍‌ସେଟ୍‌ କିମ୍ବା କୌଣସି କଳାବସ୍ତୁକୁ ଛୁଇଁବା ନିଷେଧ କରାଯାଇଛି। ୬୫ ବର୍ଷରୁ ଅଧିକ ଓ ୧୪ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ସଂଗ୍ରହାଳୟ ପ୍ରବେଶ ଅନୁମତି ମିଳିବ ନାହିଁ। ଏକକାଳୀନ ମାତ୍ର ୧୦ ଜଣଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିବ। ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନ ୧୦ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ନ‌ିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର