ଫାଟିଗଲା ଟ୍ରକ୍‌ ଚକା, ଦୁଇ ଘଣ୍ଟା ଧରି ରାଜପଥ ଜାମ୍‌

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଭୁବନେଶ୍ବର-କଟକ ରାଜପଥର ପଳାସୁଣିଠାରେ ଏକ ଟ୍ରକ୍‌ର ଚକା ଫାଟିଯିବାରୁ ଦୁଇ ଘଣ୍ଟା ଧରି ରାଜପଥ ଜାମ୍ ହୋଇ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଭୁବନେଶ୍ବରରୁ କଟକ ଯାଉଥିବା ଏହି ଟ୍ରକ୍‌ଟି ରାସ୍ତା ମଝିରେ ରହିଯିବାରୁ କେବଳ ବାଇକ୍‌କୁ ଛାଡ଼ିଦେଲେ ଅନ୍ୟ କୌଣସି ଗାଡ଼ି ପଳାସୁଣିରୁ ଆଗକୁ ଯିବା ସମ୍ଭବ ହୋଇନଥିଲା। ଫଳରେ ବଡ଼ ଗାଡ଼ିଗୁଡ଼ିକ ପଳାସୁଣିରୁ ଜୟଦେବ ବିହାର ପର୍ଯ୍ୟନ୍ତ ଓଭରବ୍ରିଜ୍‌ରେ ଧାଡ଼ି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା ପହଞ୍ଚି କ୍ରେନ୍‌ ସହାୟତାରେ ଟ୍ରକ୍‌କୁ ହଟାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ଟ୍ରକ୍‌ଟି ଏତେ ଭାରୀ ଥିଲା ଯେ କ୍ରେନ୍‌ ମଧ୍ୟ ଉଠାଇ ପାରିନଥିଲା। ଫଳରେ ଗାଡ଼ିଟି ମରାମତି ସରିବା ପରେ ଟ୍ରାଫିକ୍‌ ଶୃଙ୍ଖଳିତ ହୋଇଥିଲା।

ସନ୍ଧ୍ୟା ୬ଟାରୁ ଏଭଳି ଅବସ୍ଥା ହୋଇଥିଲା। ଏହି ସମୟରେ ସାଧାରଣତଃ ସହର ଭିତ‌ର ଦେଇ ଯାଇଥିବା ରାଜପଥରେ ଗାଡ଼ିମଟର ବେଶୀ ଯିବାଆସିବା କରୁଥିବାରୁ ଭୟଙ୍କର ଜାମ୍ ସୃଷ୍ଟି ହୋଇଥିଲା। ଦୂରଗାମୀ ବସ୍‌ଗୁଡ଼ିକ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ଅନେକ ଜାରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ି ମଧ୍ୟ ଯାଇ ପାରିନଥିଲେ। କେତେକ ଗାଡ଼ି ପଛକୁ ବୁଲାଇ ରଙ୍ଗ୍‌ରୁଟ୍‌ରେ ଫେରୁଥିଲେ। କେତେକ ଗାଡ଼ି ବାଣୀବିହାରରୁ ରଙ୍ଗ୍‌ରୁଟ୍‌ରେ ଯାଇ ପଳାସୁଣି ପାଖରେ ରାସ୍ତା ଅତିକ୍ରମ କରିଥିଲେ। ଫଳରେ ଜାମ୍‌ ହୋଇଥିବା ରାଜପଥର ଅନ୍ୟ ପାର୍ଶ୍ବରେ ମଧ୍ୟ ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହୋଇଥିଲା। ରାଜପଥରେ ଦୁର୍ଘଟଣା ହେଲେ ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷ ଏହାକୁ ବ୍ୟବସ୍ଥିତ କରିବା କଥା। କ୍ରେନ୍‌ ସାହଯ୍ୟରେ ତୁରନ୍ତ ଟ୍ରାଫିକ୍‌ ଶୃଙ୍ଖଳିତ କରିବା କଥା। ହେଲେ ଅନେକ ସମୟରେ କର୍ତ୍ତୃପକ୍ଷ ଏହା କରୁନଥିବା ଅଭିଯୋଗ ହେଉଛି। ଏଭଳି ଦୁର୍ଘଟଣା ବେଳେ ସାଧାରଣ ଯାତ୍ରୀ ହୀନସ୍ତା ହେଉଛନ୍ତି।

ସମ୍ବନ୍ଧିତ ଖବର