ଭୁବନେଶ୍ବର: ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲ ସର୍ଜରି ବିଶେଷଜ୍ଞଙ୍କ ଦ୍ବାରା ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାକରୁ ଏକ ଟ୍ୟୁମରକୁ ଆଧୁନିକ ଅସ୍ତ୍ରୋପଚାର ଦ୍ବାରା ସଫଳତାର ସହ ବାହାର କରାଯାଇଛି। ନାସାରନ୍ଧ୍ରଟି ମସ୍ତିଷ୍କ ସହ ଜଡ଼ିତ ଥିବା ମିନିମାଲ ଇନ୍ଭାସିଭ୍ ବ୍ୟବସ୍ଥା ଦ୍ବାରା ଏହା କରାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ପଞ୍ଚାନନ ପାଣିଗ୍ରାହୀ ନାମକ ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ନାକରେ ଏକ ଟ୍ୟୁମର ହୋଇଥିଲା। ଏହା ଗନ୍ଧ ବାରିପାରୁଥିବା ସ୍ନାୟୁ ସହିତ ଜଡ଼ିତ ଥିଲା ଯାହାକି ମସ୍ତିଷ୍କ ଭିତରକୁ ଯାଉଥିଲା। ତାଙ୍କ ନାକରୁ ରକ୍ତ ବାହାରୁଥିଲା, ମୁଣ୍ଡ ବିନ୍ଧୁଥିଲା ଓ ଗନ୍ଧ ବାରିପାରୁ ନ ଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ତୁରନ୍ତ ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସମ୍ ଅଲ୍ଟିମେଟ ମେଡିକେୟାରର ଇଏନ୍ଟି ଏଣ୍ଡ ସ୍କଲ ସର୍ଜରି ମୁଖ୍ୟ ଡା.ରାଧାମାଧବ ସାହୁ ଟ୍ରାନ୍ସ ନାଜାଲ ଏଣ୍ଡୋସ୍କୋପିକ୍ ଓ ସ୍କଲ୍ ବେସ୍ଡ ସର୍ଜରି ଦ୍ବାରା ଏହି ଟ୍ୟୁମରକୁ ବାହାର କରିବାରେ ସଫଳ ହୋଇଥିଲେ। ଏହି ବିରଳ ଅସ୍ତ୍ରୋପଚାରରେ ସଂପୃକ୍ତ ବ୍ୟକ୍ତିଙ୍କ ନାକରୁ ଗଲ୍ଫ ବଲ୍ ଆକାରର ଟ୍ୟୁମର ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ବାହାର କରାଯାଇଥିଲା। ଏହାକୁ ଗ୍ଲୋମାଜଜିଓପେରିସାଇଟୋମା ବା ଜିପିସି ବୋଲି କୁହାଯାଏ। ଏହି ଟ୍ୟୁମର ରକ୍ତ ନଳୀରୁ ସୃଷ୍ଟି ହୋଇଥାଏ ଓ ଠିକ୍ ଭାବେ ଏହାକୁ କଢ଼ା ନ ଗଲେ ରୋଗୀ ପାଇଁ ବିପଦ ଆଣିଥାଏ। ଅଧିକାଂଶ କ୍ଷେତ୍ରରେ ନାକରେ ସୃଷ୍ଟି ହୋଇଥିବା ଟ୍ୟୁମରଗୁଡ଼ିକୁ ଅନୁଧ୍ୟାନ କଲେ ଏହି ଟ୍ୟୁମରର ମାତ୍ରା ୦.୫ ପ୍ରତିଶତ ବୋଲି ଜଣାପଡ଼ିଛି।
ଡା.ସାହୁ କହିଛନ୍ତି, ପୂର୍ବରୁ ଓପନ୍ ଏକ୍ସଟ୍ରା ନାଜାଲ ପଦ୍ଧତିରେ ଚିକିତ୍ସା କରାଯାଉଥିବା ବେଳେ ଏହା ଖୁବ ବିପଦସଙ୍କୁଳ ଥିଲା। ଏବେ ଅତ୍ୟାଧୁନିକ ମିନିମାଲ ଇନଭାସିଭ୍ ଏଣ୍ଡୋସ୍କୋପିକ ଚିକିତ୍ସା ଦ୍ବାରା ଏହାର ଚିତ୍ର ବଦଳିଛି। ବିନା ଦାଗରେ ଅସ୍ତ୍ରୋପଚାର ହୋଇପାରିବା ସହିତ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇପାରୁଛନ୍ତି ବୋଲି ସେ କହିଛନ୍ତି।