ଭୁବନେଶ୍ବର: ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ। ନୂଆ ରୂପ ନେଇଛି ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ ବ୍ୟବସ୍ଥା(ଟିଭିଡିଏସ୍)। ପୂର୍ବରୁ ପରୀକ୍ଷାମୂଳକ ଭାବରେ କେବଳ ରୂପାଲି ଛକରେ ଏହି ବ୍ୟବସ୍ଥା ଥିବା ବେଳେ ଏବେ ଭୁବନେଶ୍ବରର ୨୫ଟି ଜାଗାରେ ଏଭଳି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଫଳରେ ଉଲ୍ଲଂଘନକାରୀ ଆଉ ଖସିବାକୁ ବାଟ ନାହିଁ। ଉଚ୍ଚଶକ୍ତି ସମ୍ପନ୍ନ କ୍ୟାମେରା ସହ ବୈଷୟିକ ଜ୍ଞାନକୌଶଳ ଏହି ବ୍ୟବସ୍ଥାକୁ ମଜଭୁତ କରିଛି।
ଏହି ବ୍ୟବସ୍ଥାରେ ଶତ ପ୍ରତିଶତ ସଫଳତା ପାଇବା ପାଇଁ ଟ୍ରାଫିକ୍ ପୁଲିସଙ୍କୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଗୋଟିଏ ଥରରେ ୪ ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏଭଳି ଶହେରୁ ଊର୍ଦ୍ଧ୍ବ କର୍ମଚାରୀ ପ୍ରଶିକ୍ଷଣ ନେବେ। ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀମାନେ ନୂଆ କଣ୍ଟ୍ରୋଲ ରୁମ୍ରେ ବସି ସମଗ୍ର ବ୍ୟବସ୍ଥାର ପରିଚାଳନା କରିବେ। ଅଗଷ୍ଟ ଶେଷ ସୁଦ୍ଧା ଏହି ବ୍ୟବସ୍ଥା ଜରିଆରେ ଟ୍ରାଫିକ୍ କଟକଣା କଡ଼ାକଡ଼ି ହେବ ବୋଲି ସୂଚନା ମିଳିଛି।
ତେବେ କେବଳ ଟ୍ରାଫିକ୍ ଉଲ୍ଲଂଘନକାରୀ ନୁହନ୍ତି, ବରଂ ବିଭିନ୍ନ ଅପରାଧ ଘଟାଇ ଖସି ଯିବାକୁ ଚାହୁଥିବା ଅପରାଧୀଙ୍କୁ ଏହି ବ୍ୟବସ୍ଥା ଚିହ୍ନଟ କରିବ। ଅପରାଧର ଶିକାର ହୋଇଥିବା ପୀଡ଼ିତଙ୍କ ଠାରୁ ସୂଚନା ଆସିବା ପରେ ଏହି ବ୍ୟବସ୍ଥା ଜରିଆରେ ଲୁଟେରା ତଥା ଅପରାଧୀ ଚିହ୍ନଟ ହେବେ। ସେହିଭଳି ବିନା ନମ୍ବର ପ୍ଲେଟ୍ରେ ଆଉ କୌଣସି ଗାଡ଼ି ସହରରେ ବୁଲି ପାରିବେ ନାହିଁ। ଏଭଳି ବୁଲୁଥିବା ଗାଡ଼ିକୁ ଏହି ବ୍ୟବସ୍ଥା ଜରିଆରେ ଚିହ୍ନଟ କରାଯାଇ ଜବତ କରାଯିବାକୁ ଯୋଜନା ହୋଇଛି। ଏହି ବ୍ୟବସ୍ଥାର ପରିଚାଳନା ଦାୟିତ୍ବ ପୂର୍ବରୁ ସ୍ମାର୍ଟସିଟିର ଥବାବେଳେ ଏବେ ଏହା କମିସନରେଟ୍ ପୁଲିସ ହାତକୁ ଆସିଛି। ଡିସିପିଙ୍କ କାର୍ଯ୍ୟାଳୟରେ ଏହି ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍ ନିର୍ମାଣାଧୀନ ରହିଛି।
ଚାଳକମାନଙ୍କୁ ସଚେତନ କରିବା ପାଇଁ ସହରର ବିଭିନ୍ନ ଜାଗାରେ ୨୦ଟି ଡିସ୍ପ୍ଲେ ବୋର୍ଡ ଲାଗିଛି। ଏହି ଡିସ୍ପ୍ଲେ ବୋର୍ଡରେ ଟ୍ରାଫିକ୍ ନିୟମ ସହ ସହର ବିଭିନ୍ନ ଛକ ତଥା ରାସ୍ତାର ସ୍ଥିତି ବାବଦରେ ସୂଚନା ପ୍ରଦାନ କରାଯିବ। ଫଳରେ ଭିଡ଼ ବାବଦରେ ପୂର୍ବ ସୂଚନା ପାଇବା ସହ ଚାଳକ ଗହଳିରେ ନ ଫସି ବାଟ ବଦଳାଇ ଚାଲିଯିବାକୁ ସୁଯୋଗ ପାଇବ। ଏହି ବୋର୍ଡ ସହ ବଛାବଛା ଜାଗାରେ ଲାଗିଥିବା ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ ମଧ୍ୟ କାର୍ଯ୍ୟ କରିବ। ଗୋଟିଏ କଣ୍ଟ୍ରୋଲ ରୁମ୍ରେ ବସି ଟ୍ରାଫିକ୍ କର୍ମଚାରୀ ସେହି ସବୁ ଛକରେ ଥିବା ଗାଡ଼ି ଚାଳକଙ୍କୁ ସଚେତନ କରିପାରିବ। ଏଥିପାଇଁ ମଧ୍ୟ ଟ୍ରାଫିକ୍ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।