ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀରେ ବିଳମ୍ୱିତ ରାତିରେ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିବା ବେଳେ ଏଥିରେ ଜଣେ ନାବାଳକ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବେଣାପଞ୍ଜରୀ ମସଜିଦ୍ ଛକ ଅଞ୍ଚଳରେ ବଣ୍ଟି ଓ କୁରବାନ୍ ଦୁଇ ଗୋଷ୍ଠୀ ମଧ୍ୟରେ ଅନେକ ଦିନ ହେଲାଣି ବିବାଦ ଲାଗି ରହିଆସିହିଛି। ଦୁଇଦିନ ତଳେ ଉଭୟ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା ଓ ପରବର୍ତ୍ତୀ ସମୟରେ ସମାଧାନ ହୋଇଯାଇଥିଲା।
ହେଲେ ଉଭୟ ଗୋଷ୍ଠୀ ମଧ୍ୟରେ ରାଗ କୁହୁଳୁ ଥିଲା। ଶନିବାର ରାତି ପ୍ରାୟ ୧୧ଟା ସମୟରେ ମସଜିଦ୍ ଛକରେ ଗୋଟିଏ ଗୋଷ୍ଠୀର ସଦସ୍ୟ ପ୍ରଥମେ ବୋମାମାଡ଼ କରିଥିଲେ। ଏହାପରେ ଅପର ଗୋଷ୍ଠୀର ସଦସ୍ୟ ମଧ୍ୟ ଗୋଟିଏ ବୋମାମାଡ଼ କରିଥିଲେ। ଏଥିରେ ଜଣେ ନାବାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଖବରପାଇ ପୁଲିସ ପିସିଆର୍ ଘଟଣାସ୍ଥଳରେ ପହଞ୍ଚିଛି। ଅନ୍ୟପଟେ ବେଣାପଞ୍ଜରୀରେ ଦୁଇମାସ ପୂର୍ବରୁ ଉଭୟ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ହେଲେ ପୁଲିସ ଘଟଣାକୁ ହାଲୁକା ଭାବେ ନେଇ ତଦନ୍ତକୁ ଆଗକୁ ନେଇ ନଥିଲା। ହେଲେ ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ଭାଇଗିରି ପାଇଁ ବାରମ୍ୱାର ବୋମାମାଡ଼ ହେଉଛି। ଆଗକୁ ଭୟଙ୍କର ସ୍ଥିତି ସୃଷ୍ଟି ହେବା ପୂର୍ବରୁ ପୁଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।