ବଜେଟ୍‌କୁ ୟୁସିସିଆଇଏଲ୍‌ର ସ୍ବାଗତ

ଭୁବନେଶ୍ବର: ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍(ୟୁସିସିଆଇଏଲ୍) ପକ୍ଷରୁ କେନ୍ଦ୍ର ବଜେଟ୍ ୨୦୨୨-୨୩ ଉପରେ ବିଶ୍ଳେଷଣ କରାଯାଇଛି। ୟୁସିସିଆଇଏଲ୍‌ର ଉପସଭାପତି(ବାଣିଜ୍ୟ) ଅଶୋକ ସାରଦାଙ୍କ ଅଧ୍ୟକ୍ଷତାରେ ଏହାକୁ ବିଶ୍ଳେଷଣ କରାଯାଇ ୧୦ରୁ ୭.୫ ପ୍ରତିଶତ ମାର୍କ ଦିଆଯାଇଛି। ଏଥର ବଜେଟ୍‌ରେ ଆଗାମୀ ବହୁ ବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା କରାଯାଇଛି। ଉକ୍ତ ବଜେଟ୍‌ରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ସ୍ବାଗତଯୋଗ୍ୟ। ଏଥିରେ ୪୦୦ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ଏବଂ ୧୦୦ କାର୍ଗୋ ଟର୍ମିନାଲ ପାଇଁ ବ୍ୟୟ ବରାଦ ହୋଇଛି। କୃଷି କ୍ଷେତ୍ରରେ ଡ୍ରୋନ୍‌ର ବ୍ୟବହାର, କୃଷକଙ୍କୁ ସିଧାସଳଖ ୨.୭୫କୋଟି ଟଙ୍କା ପ୍ରଦାନ, ରାସାୟନିକମୁକ୍ତ କୃଷି, ୧.୫ ଲକ୍ଷ ଡାକଘରକୁ ଅନଲାଇନ ଟ୍ରାନ୍ସଫର ବ୍ୟବସ୍ଥାରେ ସାମିଲ, ବେସରକାରୀ ସଂସ୍ଥା ମାନଙ୍କରେ ଇଲେକ୍ଟ୍ରି ଗାଡ଼ି ଇକୋ ସିଷ୍ଟମକୁ ପ୍ରୋତ୍ସାହନ, ଇଲେକ୍ଟ୍ରିକ ଗାଡ଼ିକୁ ସହଜ କରିବା ପାଇଁ ବ୍ୟାଟେରି ସ୍ବାଫିଙ୍ଗ୍ ବ୍ୟବସ୍ଥା, ୱାନ ନେସନ ୱାନ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା, ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୪ଲକ୍ଷ କୋଟି ପ୍ରଦାନ ସ୍ବାଗତଯୋଗ୍ୟ ବୋଲି ଶ୍ରୀ ସାରଦା କହିଛନ୍ତି। ମୋଟାମୋଟି ଭାବେ ଦେଖିବାକୁ ଗଲେ ଚଳିତ ବଜେଟ୍‌ରେ ଆର୍ଥିକ ଶୃଙ୍ଖଳା ଏବଂ ମୁଦ୍ରା ନିୟନ୍ତ୍ରଣକୁ ଅଧିକ ଗୁରୁତ୍ବ ଦିଆଯାଇଛି ବୋଲି ସେ ମତ ରଖିଛନ୍ତି।

କାର୍ଯ୍ୟକ୍ରମରେ ୟୁସିସିଆଇଏଲ୍‌ର ଉପସଭାପତି (ଶିଳ୍ପ) ବିନୋଦ ଦାଶ ସମୀକ୍ଷା କରି କହିଛନ୍ତି, ସରକାର ଏହି ବଜେଟ୍‌ରେ ବହୁତ ଭଲ ପଦକ୍ଷେପ ନେଇଛନ୍ତି। ପାଠପଢ଼ା, ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ଏଥିରେ ଗୁରୁତ୍ବ ଦିଆଯାଇଛି। ଡିଜିଟାଲ ୟୁନିଭର୍ସିଟି, ଡିଜିଟାଲ କଣ୍ଟେଣ୍ଟ୍ , ସ୍କୁଲ୍ ଓ ଉଚ୍ଚଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଡିଜିଟାଲ କରେନ୍ସିକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି ଯାହା ଅତି ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଚଳିତ ବଜେଟ୍‌କୁ କୋଷାଧ୍ୟକ୍ଷ ସିଏ. ଗିରିଧାରୀ ଲାଲ୍ ଶର୍ମା ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ୟୁସିସିଆଇଏଲ୍‌ ପ୍ରବନ୍ଧକ ପ୍ରତ୍ୟୁଷ ବିଶୋୟୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର