ଭୁବନେଶ୍ବର: ଅବଧି ସରିଲା କିନ୍ତୁ ଏମ୍ଏସ୍ପି ପାଇଁ କେନ୍ଦ୍ର ସରକାର କମିଟି ଗଠନ କଲେ ନାହିଁ। ଏପରିକି ଗିରଫ ଚାଷୀଙ୍କ ବିରୋଧରେ ମାମଲା ମଧ୍ୟ ପ୍ରତ୍ୟାହାର ହେଲା ନାହିଁ। ଏହାର ପ୍ରତିବାଦରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିଶ୍ବାସଘାତକତା ଦିବସ ପାଳନ କରାଯାଇଛି। ମୋର୍ଚ୍ଚାର କର୍ମକର୍ତ୍ତାମାନେ ଆଜି ପୂର୍ବାହ୍ନରେ ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ଏକତ୍ରିତ ହୋଇ ମୋଦୀ ସରକାର ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ଏମ୍ଏସ୍ପିକୁ ନେଇ ଆଇନଗତ ମାନ୍ୟତା, ସହିଦ କିଷାନ ପରିବାରଙ୍କୁ ଆର୍ଥିକ ସହାୟତା, କୃଷକମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର, ଲକ୍ଷ୍ମୀପୁର ଖେରି କୃଷକ ଗଣହତ୍ୟା ମାମଲାର ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ, କୃଷି ବିରୋଧୀ ବିଦ୍ୟୁତ୍ ବିଲ-୨୦୨୦ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା।
ମୋର୍ଚ୍ଚାର ଅଭିଯୋଗ ଅନୁଯାୟୀ, କୃଷକ ଆନ୍ଦୋଳନ ଚାପରେ କେନ୍ଦ୍ର ସରକାର ତିନି କୃଷି ଆଇନ ବାତିଲ କରିଥିଲେ। ସେତେବେଳେ ଏମ୍ଏସ୍ପି ପାଇଁ କମିଟି ଗଠନ ସମେତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଡିସେମ୍ବର ୯ ତାରିଖରେ ସରକାର ଚିଠି ଦେବା ପରେ ୧୧ ତାରିଖରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। କିନ୍ତୁ ବର୍ତ୍ତମାନ ପ୍ରତିଶ୍ରୁତି ରକ୍ଷା ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଥିଲା।
ଆଜିର ଏହି ଆନ୍ଦୋଳନରେ ସଂଗଠନର ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ ପାଣିଗ୍ରାହୀ, ଅଭିରାମ ବେହେରା, ସନାତନ ପାତ୍ର, କୃଷ୍ଣଚନ୍ଦ୍ର ରାଉତ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଜ୍ୟୋତିରଞ୍ଜନ ମହାପାତ୍ର, ପ୍ରଫୁଲ୍ଲ ସାମନ୍ତରାୟ, ଦେବପ୍ରସାଦ ରାୟ, ଜୟନ୍ତ ଦାସ, ଡମ୍ବରୁ ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ।