ଭୁବନେଶ୍ୱର: ଭାରତର ମହାନ ସଂସ୍କୃତି ଯୁଗେ ଯୁଗେ ବିଶ୍ୱକୁ ଦିଗ୍‌ଦର୍ଶନ ଦେଇ ଆସୁଛି। ତେବେ ଆମ ସଂସ୍କୃତିର ବହୁ ଅଜଣା କଥାକୁ ବିଶ୍ୱବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରି ଭାରତବର୍ଷର ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ଏବେ ସମୟ ଆସିଛି। ଭାରତୀୟ ବିଦ୍ୟାଭବନରେ ଆୟୋଜିତ ମୁକ୍ତ ଚିନ୍ତନ ମଞ୍ଚର ‘ଆମ ସଂସ୍କୃତିର ଅଜଣା କଥା’ ବିଷୟବସ୍ତୁ ଉପରେ ଆଧାରିତ ୧୮୬ତମ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର୍‌ ଶରତ ଚନ୍ଦ୍ର ରଥ ଏହା କହିଛନ୍ତି।

Advertisment

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତୀୟ ସଂସ୍କୃତିର ମହାନତା, ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ଭାରତୀୟ ଦର୍ଶନ ଉପରେ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ସାହିତିକ୍ୟ ସାତକଡ଼ି ହୋତା ତାଙ୍କ ସଭାପତିତ୍ବ ଅଭିଭାଷଣରେ ଭାରତୀୟ ସାମାଜିକ ପରମ୍ପରା ଓ ଧର୍ମ ବିଶ୍ୱାସ ପୃଥିବୀବାସୀଙ୍କ ପାଇଁ ଆଦର୍ଶ ବୋଲି କହିଥିଲେ। କବିତା ସଂକଳନ ‘ଦୟାନଦୀ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ଦ୍ୱାରା ପୁରସ୍କୃତ ହୋଇଥିବା ସାହିତ୍ୟିକା ଗାୟତ୍ରୀବାଳା ପଣ୍ଡା ଏବଂ ଚଳଚ୍ଚିତ୍ର ସାମ୍ୱାଦିକତା ଓ ପୁସ୍ତକ ରଚନା ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଥିବା ସୂର୍ଯ୍ୟ ଦେଓଙ୍କୁ ଏହି ଅବସରରେ ସମ୍ୱର୍ଦ୍ଧିତ କରାଯାଇଥିଲା। ସଂଗଠନର ସମ୍ପାଦକ ପୀତବାସ ରାଉତ ସ୍ୱାଗତ ଭାଷଣ ଓ ସଭା ପରିଚାଳନା କରିଥିବା ବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଶରତ ଚନ୍ଦ୍ର ରଥଙ୍କ ପୁସ୍ତକ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଲୋକାର୍ପିତ ହୋଇଥିଲା।