ଚନ୍ଦ୍ରଶେଖରପୁର : ନାରୀର ମଧ୍ୟ କିଛି ବ୍ୟକ୍ତିଗତ କଥା ରହିଛି। ସ୍ୱାଧୀନ ଭାବରେ ମତବ୍ୟକ୍ତ କରିବାର ଅଧିକାର ରହିଛି। ସାଙ୍ଗସାଥୀଙ୍କ ମେଳରେ ଅନ୍ୟମାନଙ୍କ ଭଳି ଗୋପନ କଥା ବିଷୟରେ ମଧ୍ୟ ଆଲୋଚନା କରିବାର ରହିଛି ସମାନ ଅଧିକାର। ତାହାର ଋତୁକାଳୀନ ସମସ୍ୟା ହେଉ ଅବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା। ନାରୀଟିଏ ଯଦି ଏଭଳି ଗୋପନ କଥା ସର୍ବସାଧାରଣରେ ଆଲୋଚନା କଲା ତେବେ ସେ ଅଧିକାଂଶ ସମୟରେ ସମାଜର ଶରବ୍ୟ ହୋଇଥାଏ। କିନ୍ତୁ ଏଭଳି ବ୍ୟବସ୍ଥା ନାରୀ ସ୍ୱାଧୀନତାକୁ କ୍ଷୁଣ୍ଣ କରୁଛି, ନାରୀ ସଶକ୍ତୀକରଣର ପ୍ରକୃତ ବ୍ୟାଖ୍ୟାକୁ ବ୍ୟାହତ କରୁଛି। ଏମିତି କିଛି ବିଷୟ ସହିତ ମହିଳାଙ୍କ ଜନନେନ୍ଦ୍ରିୟ ଭଳି ଏକ ସମ୍ବେଦନଶୀଳ ବିଷୟକୁ ଇଭ୍ ଏନ୍ସଲର୍ଙ୍କ ନାଟକ ବହୁଚର୍ଚିତ ନାଟକ ‘ଦି ଭାଜିନା ମନୋଲୋଗ୍ସ’ ମାଧ୍ୟମରେ ଚମତ୍କାର ଢଙ୍ଗରେ ପରିବେଷଣ କରିଥିଲେ ‘ସମ୍ବାଦ’ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ତାଙ୍କ ଗ୍ରୁପ୍। ସଂପୂର୍ଣ୍ଣ ଭିନ୍ନ ଏକ ଅନୁଭବ ଦେଉଥିବା ଇଂରାଜୀ ଭାଷାର ନାଟକଟିକୁ ଉପସ୍ଥିତ ବିଭିନ୍ନ ବର୍ଗର ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ।
ଆଜି ହୋଟେଲ୍ ମେଫେୟାର୍ରେ ପରିବେଷିତ ଏହି ନାଟକଟିକୁ ପ୍ରାଚୀ ଅଗ୍ରଓ୍ଵାଲ୍ ମହାଜନ ନିର୍ଦ୍ଦେଶନା ଦେଇଥିଲେ। ତନୟାଙ୍କ ସମେତ ଗାର୍ଗୀ ଭଟ୍ଟାଚାର୍ଯ୍ୟ, ବିନୀତା ଘୋଷାଲ, ପ୍ରାଚୀ ମହାଜନ, ଧୃବାଣୀ ମିଶ୍ର ଓ ଫ୍ଲୋରା ସ୍ୱାଇଁଙ୍କ ଚମତ୍କାର ଅଭିନୟ ଓ ବଳିଷ୍ଠ ସଂଳାପ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ସମାଜରେ ଏହି ବିଷୟରେ ସଚେତନତା ସୃଷ୍ଟି କରିବା ଏହାର ମୂଳଲକ୍ଷ୍ୟ ବୋଲି କହିଥିଲେ ତନୟା। ରାଜଧାନୀରେ ଏହି ନାଟକ ପ୍ରାୟ ୭/୮ ବର୍ଷ ତଳେ ପ୍ରଦର୍ଶିତ ହୋଇଥିଲା। ତେବେ ବ୍ରିଟେନ୍ରେ ପଢ଼ୁଥିବା ସମୟରେ ଏଭଳି ନାଟକ ତାଙ୍କୁ ଦେଖିବାର ସୁଯୋଗ ମିଳିଥିଲା। ତେଣୁ ଭାଜିନା ମନୋଲୋଗ୍ସ ପ୍ରଦର୍ଶନରେ ସ୍ଥାନୀୟ ଲୋକଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅନ୍ଜିପ୍ ପକ୍ଷରୁ ଏହି ନାଟକରେ ଅଭିନୟ କରିଥିବା ସମସ୍ତ କଳାକାରଙ୍କ ବାକ୍ଚାତୁରୀ ନାରୀ ସ୍ୱାଧୀନତାର କଥା ବଖାଣିଥିଲା। ଭରପୂର୍ ଦର୍ଶକ ଏହି ନାଟକଟିକୁ ଉପଭୋଗ କରିଥିବା ଦେଖାଯାଇଥିଲା।