ଖଣ୍ଡଗିରି ଫ୍ଲାଏଓଭର୍‌ରେ ଗଡ଼ିଲା ଗାଡ଼ି, ସର୍ଭିସ୍ ରୋଡ୍ ଓ ଆଲୋକୀକରଣ ସମେତ ଅନ୍ୟାନ୍ୟ କାମ ସାରିବାକୁ ଆହୁରି ମାସେ

ଟ୍ରାଫିକ୍ ଜାମ୍‌କୁ କୋହଳ କରିବା ପାଇଁ ଖୋଲିଲା ଫ୍ଲାଏଓଭର୍: ଏନ୍‌ଏଚ୍‌ଏଆଇ, ଏମ୍‌ସ ଛକରେ ଅଣ୍ଡରପାସ୍ ପ୍ରଶସ୍ତୀକରଣ କରିବାକୁ ଦାବି

ଭୁବନେଶ୍ବର: ଦୁର୍ଘଟଣାପ୍ରବଣ ବା ବ୍ଲାକସ୍ପଟ୍‌ ଛକ ଭାବେ ପରିଚିତ ଖଣ୍ଡଗିରି ଛକରେ ଏବେ ଫ୍ଲାଏଓଭର୍‌ରେ ଆଜିଠାରୁ ଗାଡ଼ି ଗଡ଼ିବା ଆରମ୍ଭ ହୋଇଛି। ୨୦୧୯ ମାର୍ଚ୍ଚ ୧ ତାରିଖ ସୁଦ୍ଧା ମୁଖ୍ୟ ରାସ୍ତା ବନ୍ଦ କରି କାମ ଆରମ୍ଭ ହୋଇଥିବା ଏହି ଫ୍ଲାଏଓଭର୍‌ କାମ ଧାର୍ଯ୍ୟ ସମୟଠାରୁ ବହୁବାର ଘୁଞ୍ଚିବା ପରେ ଶେଷରେ ୨୫ ମାସରେ ଶେଷ ହୋଇଛି। ତଥାପି ଖଣ୍ଡଗିରି ମୁଖ୍ୟ ଛକକୁ ସର୍ଭିସ୍ ରୋଡ୍ ସଂପୂର୍ଣ୍ଣ ଓ ରାସ୍ତା ଆଲୋକୀକରଣ କାମ ଶେଷ ହେବାକୁ ଆହୁରି ମାସେ ସମୟ ଲାଗିବ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଖଣ୍ଡଗିରି ଛକରେ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଫ୍ଲାଏଓଭର୍‌କୁ ଖୋଲା ଯାଇଥିବା ପ୍ରକଳ୍ପ ମୁଖ୍ୟ ଏଏସ୍ ରାଓ ସୂଚନା ଦେଇଛନ୍ତି।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବହୁ ବାଦବିବାଦକୁ ନେଇ ତିଆରି ହୋଇଥିବା ଏହି ଖଣ୍ଡଗିରି ଫ୍ଲାଏଓଭର୍‌ର ମେଡିଆନ୍ କଟ୍ ବା କସ୍‌ମୋପଲିସ୍ ଟ୍ରାଫିକ୍ ଛକ ଉଠିଯିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଫ୍ଲାଏଓଭର୍‌ର ନିୟମାନୁଯାୟୀ, କୌଣସି ଓଭରବ୍ରିଜ୍‌ର କେଉଁଠି ବି ମେଡିଆନ୍ କଟ୍ ରହିବନି। ତେଣୁ କସ୍‌ମୋପଲିସ୍‌ରୁ ଟ୍ରାଫିକ୍ କଟ୍ ଉଠିଯିବା ଯୋଗୁଁ ବର୍ତ୍ତମାନ ଏମ୍ସ ଅଣ୍ଡରପାସ୍ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ଯାତାୟାତ ବଢ଼ିବ। ମାତ୍ର ଏମ୍ସ ଅଣ୍ଡରପାସ୍‌ ମାତ୍ର ୨୨ ଫୁଟ୍ ଚଉଡ଼ା ହୋଇଥିବା ବେଳେ ଏକାସଙ୍ଗେ ଦୁଇଟି କାର୍‌ ଯିବା ସମ୍ଭବ ନୁହେଁ। ପ୍ରିଭେନ୍‌ସନ୍ ଅଫ୍ ଆକ୍ସିଡେଣ୍ଟ୍ ସୋସାଇଟି(ପାସୋ)ର କାର୍ଯ୍ୟକାରୀ ସଭାପତିଙ୍କ ସୂଚନା ମୁତାବକ, ପ୍ରତି ଓଭରବ୍ରିଜ୍‌ର ଅଣ୍ଡରପାସ୍‌ଗୁଡ଼ିକ ଅତିକମ୍‌ରେ ୩୦ରୁ ୩୬ଫୁଟ୍ ରହିବା କଥା। ମାତ୍ର ଏମ୍‌ସ ଅଣ୍ଡରପାସ୍‌ରେ ୨୨ଫୁଟ୍‌ର ଚଉଡ଼ାର ରାସ୍ତା ରହିଛି। ଗୋଟେ ଟ୍ରକ୍‌ ବା ବଡ଼ଗାଡ଼ି ପ୍ରବେଶ କଲେ ସେପଟୁ କାର୍‌ଟିଏ ଆସିବା ମଧ୍ୟ ସମ୍ଭବ ନୁହେଁ। ତେଣୁ ଏହି ଅଣ୍ଡରପାସ୍‌ର ପ୍ରଶସ୍ତୀକରଣ କରାଯାଉ ନଚେତ୍ ଗାଡ଼ି ଯିବା ଆସିବା ପାଇଁ ଦୁଇଟି ବାଟ ଖୋଲାଯାଉ। କାରଣ ଏହି ରାସ୍ତାରେ ଜାତୀୟ ସ୍ତରର ଚିକିତ୍ସା ପ୍ରତିଷ୍ଠାନ ଏମ୍‌ସ ସାଙ୍ଗକୁ ଆଇଟିସି ହୋଟେଲ୍, ହୋଟେଲ୍ ମ୍ୟାନେଜମେଣ୍ଟ କଲେଜ୍, କିଡ୍ସ ହସ୍ପିଟାଲ୍ ଭଳି ବହୁ ବଡ଼ବଡ଼ ପ୍ରତିଷ୍ଠାନ ରହିଛି। ତେଣୁ ଏମ୍‌ସ ଛକରେ ଥିବା ଏହି ଅଣ୍ଡରପାସ୍‌କୁ ଯଦି ସମାଧାନ କରାନଯାଏ, ତେବେ ଆଗକୁ ଏହା ଦୁର୍ଘଟଣାପ୍ରବଣ ଅଞ୍ଚଳରେ ପରିଣତ ହେବ ବୋଲି ସେ କହିଛନ୍ତି।

ଅପରପକ୍ଷରେ ଭୁବନେଶ୍ବର ବରମୁଣ୍ଡା ବସ୍ ମାଲିକ ସଂଘ ଖଣ୍ଡଗିରି ଫ୍ଲାଏଓଭର କାର୍ଯ୍ୟକ୍ଷମ ହେବାକୁ ସ୍ବାଗତ କରିଛି। ସଂଘର ମୁଖପାତ୍ର ଦେବାଶିଷ ନାୟକ କାମ ଶୀଘ୍ର ସରିଥିବାରୁ ପ୍ରଶଂସା କରିଥିଲେ ହେଁ ଆଲୋକୀକରଣ ଓ ସର୍ଭିସ୍ ରୋଡ୍‌କୁ କାର୍ଯ୍ୟକାରୀ କରିବାରେ ଯେମିତି ଏନ୍‌ଏଚ୍ଏଆଇ ଅବହେଳା ନ କରେ, ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି। କାରଣ ସର୍ଭିସ୍ ରୋଡ୍‌ର ଅବସ୍ଥା ଖୁବ୍ ଦୟନୀୟ ଥିବାରୁ ଗାଡ଼ି ଚଳାଚଳ ସମୟରେ ବାରମ୍ବାର ଦୁର୍ଘଟଣା ଘଟିବା ସହ ଲୋକଙ୍କ ଜୀବନ ଯାଉଛି।

ସମ୍ବନ୍ଧିତ ଖବର