ଭୁବନେଶ୍ବର: ଧୀରେଧୀରେ ପ୍ରାଚୀନ କଳା ଓ ସଂସ୍କୃତି ପ୍ରତି ଲୋକଙ୍କ ମୋହ କମିବାରେ ଲାଗିଛି। ଡିଜିଟାଲ୍‌ ଯୁଗର ପ୍ରବେଶ ଏବଂ ଲୋକଙ୍କ ହାତକୁ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ସେଟ୍‌ ଆସିବା ପରଠୁ ଲୋକଙ୍କ ଚାଲିଚଳଣ ଓ ଜୀବନଯାପନ ପ୍ରଣାଳୀରେ ବହୁ ପରିବର୍ତ୍ତନ ପରିଲକ୍ଷିତ ହେଊଉଛି। ପ୍ରାଚୀନ କଳା ଓ ଲୋକକଳା ପ୍ରତି ଆଦର ବହୁ ପରିମାଣରେ କମିଛି। ବର୍ତ୍ତମାନର ସ୍ଥିତି ଏମିତି ହୋଇଛି ଯେ ସିନେମା ଶିଳ୍ପ ବଞ୍ଚିବାକୁ ସଂଘର୍ଷ କରୁଛି। ତେଣୁ ସେଠାରେ ଲୋକକଳା ବଞ୍ଚିବା ବା ତିଷ୍ଠି ରହିବା କାଠିକର ହୋଇପଡ଼ିବା ସ୍ବାଭାବିକ। କିନ୍ତୁ ସୁନା ସବୁବେଳେ ସୁନା ଓ ଉଜ୍ଜ୍ବଳତା ପ୍ରଦର୍ଶନ କରିବା ତା’ର ଧର୍ମ। ଠିକ୍‌ ସେମିତି ଉତ୍କଳର ବହୁ ପ୍ରାଚୀନ କଳା ଆଜି ବି ବଞ୍ଚି ରହିଛି। ତନ୍ମଧ୍ୟରୁ ପାଲା ସଂସ୍କୃତି ଅନ୍ୟତମ। ସମସାମୟିକ ଲୋକକଳା ଦାସକାଠିଆ, ଘୁଡ଼ୁକି ନାଚ ଭଳି କିଛି ଏକପ୍ରକାର ଲୋପ ପାଇବାକୁ ବସିଥିଲେ ମଧ୍ୟ ପାଲାର ଆଦର କମିନି। ସତ୍ୟନାରାୟଣ ପୂଜା ସହ ପାଲା ତିଷ୍ଠିଛି। ମାତ୍ର ବାଦୀପାଲାର ଆଦର କିଛି ପରିମାଣରେ କମିଛି। ଅତୀତର ବହୁ ପ୍ରତିଷ୍ଠିତ ବାଦୀପାଲା ମଣ୍ଡପ ସଂଖ୍ୟା କମିବାରେ ଲାଗିଛି। ଦର୍ଶକ ବା ଶ୍ରୋତାଙ୍କ ଅନାଗ୍ରହ ଏହାର ପ୍ରମୁଖ କାରଣ। ଏକଦା ଉପକୂଳ ଓଡ଼ିଶାରେ ବାଦୀପାଲାର ବହୁ ଆଦର ଥିଲା। କିନ୍ତୁ ଏବେ କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଭଳି ଜିଲ୍ଲା‌ରେ ଏହି କଳା ପ୍ରତି ଲୋକଙ୍କ ଯେତିକି ଆଗ୍ରହ ରହିଛି, ଉପକୂଳ ଓଡ଼ିଶାରେ ସେତିକି ନାହିଁ ବୋଲି କୁହାଯାଏ। ତଥାପି କିଛି ପାଲାମଣ୍ଡପ ତିଷ୍ଠି ରହିଛି ଏବଂ ବାଦୀପାଲା ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। 

Advertisment

୧୬ନମ୍ବର ଜାତୀୟ ରାଜପଥରେ ଯାଁଳା ଓଗାଳପଡ଼ାସ୍ଥିତ ମା’ ବାଟ ଭୁଆସୁଣୀଙ୍କ ପୀଠ ବାଦୀପାଲାର ଅନ୍ୟତମ ପୁରାତନ ମଣ୍ଡପ। ପ୍ରତିବର୍ଷ ଦଶହରା ବେଳେ ଏଠାରେ ବାଦୀପାଲା ଆୟୋଜନ କରାଯିବା ଏକ ପରମ୍ପରା। ଓଡ଼ିଶାର ବହୁ ପ୍ରତିଷ୍ଠିତ ପାଲା ଗାୟକଙ୍କୁ ଏଠାରେ ପାଲା ପରିବେଷଣ କରିବା ଉଦାହରଣ ରହିଛି। ଗତ କିଛି ବର୍ଷ ହେଲା ଏଠାରେ ଦୁଇଟି ପର୍ଯ୍ୟାୟରେ ବାଦୀପାଲା କରାଯାଉଛି ଏବଂ ଚାରିଜଣ ଗାୟକଙ୍କୁ ଆମନ୍ତ୍ରଣ କରାଯାଉଛି। ଚଳିତବର୍ଷ ମଧ୍ୟ ଚାରିଜଣ ଗାୟକଙ୍କୁ ଆମନ୍ତ୍ରଣ କରାଯାଇଛି। ୩ ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ପର୍ଯ୍ୟାୟରେ କଟକର ଦୁଇ ପ୍ରସିଦ୍ଧ ପାଲାକାର ସୁଦର୍ଶନ ଜେନା ଓ ଗଙ୍ଗାଧର ପୁହାଣ ବାଦୀପାଲାରେ ଅବତୀର୍ଣ୍ଣ ହୋଇଥିଲେ। ସେହିଭଳି ୮ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ହେଉଥିବା ଦ୍ବିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧାର ଦୁଇ ଖ୍ୟାତନାମା ଗାୟକ କାଳୁଚରଣ ଦାଶ ଓ ସାରଦା ପ୍ରସାସ ନାୟକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ପ୍ରତିଦିନ ସନ୍ଧ୍ୟାରେ ଶହଶହ ପାଲାପ୍ରେମୀ ଉପସ୍ଥିତ ରହି ପୁରାଣ ଚର୍ଚ୍ଚା ଉପ‌ଭୋଗ କରୁଛନ୍ତି।