୨ରେ ଆସୁଛନ୍ତି ଉପରାଷ୍ଟ୍ରପତି: ଜଗିବେ ୩୦ ପ୍ଲାଟୁନ୍‌ ଫୋର୍ସ, ୩ ଜଣିଆ ମେଡିକାଲ ଟିମ୍ ପ୍ରସ୍ତୁତ

ଭୁବନେଶ୍ୱର/କଟକ: ଆସନ୍ତା ଏପ୍ରିଲ ୨ ଓ ୩ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ପାଇଁ ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ଉପରାଷ୍ଟ୍ରପତି କଟକସ୍ଥିତ ସାରଳା ଭବନ ଓ ବାଣୀବିହାରଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏଠାରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ, ସେ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନସିଂ ଜରିଆରେ ଡିଜିପି ବିଭ‌ାଗର ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଉପରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୨୦ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବାକୁ ସ୍ଥିର ହୋଇଛି।

ବୈଠକରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତି ଓ ଆୟୋଜନ ସଂପର୍କରେ ସୂଚନା ଦେଇଥିବା ବେଳେ ଡିଜିପି ଅଭୟ ଭୁବନେଶ୍ବର ବିମାନବନ୍ଦର ଓ ରାଜଭବନର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଉପରାଷ୍ଟ୍ରପତିଙ୍କ ପ୍ରତିଟି କାର୍ଯ୍ୟକ୍ରମରେ କୋଭିଡ ନିୟମ ଅନୁପାଳନ, କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ଏହି ଭିଡିଓ କନଫରେନସ ସମୀକ୍ଷାରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ-ଶୃଙ୍ଖଳା), ଗୁଇନ୍ଦା ନି‌ର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଇଣ୍ଟେଲିଜେନସ ବ୍ୟୁ‌ରୋ‌, କଟକ, ଭୁବନେଶ୍ବରର ଡିସିପି ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ୩ଟି ମେଡିକାଲ ଟିମ୍ ଗଠନ କରାଯାଇଛି। କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ପାରା ମେଡିକ୍‌ଙ୍କୁ ମିଶାଇ ଗୋଟିଏ ଟିମ୍‌ରେ ୬/୭ଜଣ ସଦସ୍ୟ ରହିବେ ବୋଲି ଜଣାପଡ଼ିଛି। ୩ଟି ଟିମ୍‌ ବିମାନବନ୍ଦର, ରାଜଭବନ ଓ କ୍ୟାପିଟାଲ ହସ୍ପିଟାଲରେ ରହିବେ। ଏଥିରେ ୩/୪ଜଣ ଡାକ୍ତର, ପାରାମେଡିକ୍‌, ରକ୍ତଭଣ୍ଡାର ଅଧିକାରୀ ଓ ଅନ୍ୟ କର୍ମଚାରୀ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଉପସ୍ଥିତ ରହିବେ ବୋଲି କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି।

ଦୁଇଟି କାର୍ଯ୍ୟକ୍ରମରେ ଘଣ୍ଟାଏ ଲେଖାଏଁ ରହିବେ
ଭୁବନେଶ୍ବର: ଦୁଇ ତାରିଖ ପୂର୍ବାହ୍ନ ୧୧ଟା ୧୫ରେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ରାଜଭବନ ଯିବେ ଓ ମଧ୍ୟାହ୍ନଭୋଜନ କରିବେ। ଅପରାହ୍ଣ ୪ଟା ୪୫ରେ ରାଜଭବନରୁ ବାହାରି ‌ରାସ୍ତା ଦେଇ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନକୁ ଯିବେ। ଅପରାହ୍ଣ ୫ଟା ୩୦ରୁ ୬ଟା ୩୦ଟା ପର୍ଯ୍ୟନ୍ତ କଟକ ସାରଳା ଭବନଠାରେ ଆୟୋଜିତ ହେବାକୁ ଥିବା ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମ ଉତ୍ସବ ତଥା ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ସମାରୋହରେ ଉପସ୍ଥିତ ରହିବେ। ସନ୍ଧ୍ୟା ୬ଟା ୩୦ରେ ସାରଳା ଭବନରୁ ବାହାରି ୭ଟା ୫ରେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ।

ଏପ୍ରିଲ ୩ରେ ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବରେ ଯୋଗଦେବେ। ପୂର୍ବାହ୍ନ ୧୦ଟା ୧୦ରେ ରାଜଭବନରୁ ବାହାରି ବିଶ୍ବବିଦ୍ୟାଳୟ ଅଭିମୁଖେ ଯିବେ। ୧୦ଟା ୨୦ରେ କ୍ୟାମ୍ପସରେ ପହଞ୍ଚିବା ସହ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ସେଠାରେ ରହିବେ। ଏହାପରେ ପୁଣିଥରେ ରାଜଭବନକୁ ଯାଇ ସେଠାରେ ମଧ୍ୟାହ୍ନଭୋଜନ କରିବେ। ଅପରାହ୍ଣ ୪ଟା ୪୦ରେ ବିମାନବନ୍ଦର ଅଭିମୁଖେ ବାହାରିବେ ଏବଂ ୫ଟାରେ ନୂଆଦିଲ୍ଲୀ ଯାତ୍ରା କରିବେ।

ସମ୍ବନ୍ଧିତ ଖବର