ଲୁଟେରାଙ୍କ ଶିକାର ହେଲେ ଟିଭି ଆଙ୍କର ଗୁଡ୍ଡି, ଦେଢ ଲକ୍ଷ ଟଙ୍କିଆ ଆଇ ଫୋନ୍ ସହ ଭ୍ୟାନିଟି ଛଡ଼ାଇ ନେଲେ

ଚଳନ୍ତା ବାଇକ୍‌ରେ ମାଡ଼ ମାରିଲେ, ନଖ ଉପାଡ଼ିଦେଲେ

ପୁରୁଣା ଭୁବନେଶ୍ବର: ରାଜଧାନୀ ରାସ୍ତାରେ ଲୁଟପାଟ୍ ଥମିବାରେ ନାଁ ଧରୁନି। ଗତକାଲି ରାତିରେ ପୁରୁଣା ଭୁବନେଶ୍ବର ବିବେକାନନ୍ଦ ମାର୍ଗରେ ମହିଳା ଟିଭି ଆଙ୍କର ମଉଲିକାନ୍ତା ମିଶ୍ର (ଗୁଡ୍ଡି)ଙ୍କ ଭ୍ୟାନିଟି ସମେତ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଆଇଫୋନ୍ ଲୁଟି ନେଇଛନ୍ତି। ଏ ନେଇ ସେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତିନି ଲୁଟେରା ଏହି ଲୁଟ୍ କରିଥିବା ବେଳେ ଜଣଙ୍କୁ ଚିହ୍ନଟ କରାଯାଇଛି। ଭ୍ୟାନିଟିରି ୧୦ଟି ଏଟିଏମ୍ ଓ କ୍ରେଡିଟ୍ କାର୍ଡ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଓ ଦେଢ ହଜାର ଟଙ୍କା ମଧ୍ୟ ଥିଲା।

ଗୁଡ୍ଡିଙ୍କ କହିବା ଅନୁସାରେ, ସେ ଗତକାଲି ରାତି ପ୍ରାୟ ୮ଟାରେ ମେଡିସିନ୍ ଆଣିବା ପାଇଁ ସ୍କୁଟିରେ ଭାଉଜଙ୍କ ସହ ଟଙ୍କପାଣି ରୋଡରୁ ବିବେକାନନ୍ଦ ମାର୍ଗ ଆସିଥିଲେ। ତେବେ ଦୁଇଟି ମେଡିସିନ୍ ନ ମିଳିବାରୁ ବାପୁଜୀନଗର ଆଣିବାକୁ ଯାଉଥିଲେ। ଗୁଡ୍ଡି ସ୍କୁଟିର ପଛରେ ବସିଥିବା ବେଳେ ତାଙ୍କ ଭାଉଜ ଗାଡ଼ି ଚଳାଉଥିଲେ। ହନୁମାନ ମନ୍ଦିର ଟପିବା ପରେ ତିନିଜଣ ଯୁବକ ଏକ ପଲସର୍‌ ବାଇକ୍‌ରେ ସେମାନଙ୍କୁ ପିଛା କରି ତାଙ୍କ ଭ୍ୟାନିଟିକୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ସେ ଭ୍ୟାନିଟି ନ ଛାଡ଼ିବାରୁ ତାଙ୍କ କାନ୍ଧକୁ ମାଡ଼ ମାରିଥିଲେ। ଚଳନ୍ତା ଗାଡ଼ିରେ କିଛି ସମୟ ଧସ୍ତାଧସ୍ତି ଚାଲିବା ପରେ ସେମାନେ ଭ୍ୟାନିଟି ଛଡ଼ାଇ ନେଇଥିଲେ। ଏହି ଧସ୍ତାଧସ୍ତିରେ ଗୁଡ୍ଡିଙ୍କର ହାତର ଦୁଇଟି ନଖ ମଧ୍ୟ ଉପୁଡ଼ି ଯାଇଥିଲା ଏହି ସମୟରେ ସେମାନେ ଜୋରରେ ଚିତ୍କାର କରିଥିଲେ। ପାଟି ଶୁଣି ଲୁଟେରା ମଧ୍ୟ କିଛି ନ ଜାଣିବା ଭଳି ଅଭିନୟ କରିଥିଲେ। ଗାଡ଼ି ଧୀରେ ଚଳାଇବା ସହ କିଏ ଲୁଟ୍ କଲା ବୋଲି ଖୋଜିଥିଲେ। ଆଉ ମାଉସୀ ମା’ଛକ ନିକଟରେ ଗାଡ଼ି ସ୍ପିଡ୍ କରି ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର