୩ ବର୍ଷ ହେଲା ସରୁନି ଡ୍ରେନେଜ୍ କାମ: ପଚା ପାଣି ଘେରରେ ଗ୍ରାମଦେବତୀ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଭୋଟପଡ଼ା ଗ୍ରାମରେ ଚାଲିଥିବା ଡ୍ରେନେଜ୍‌ କାମ ୩ ବର୍ଷ ହେଲା ଚାଲିଛି। ମାତ୍ର ଠିକାସଂସ୍ଥାର ମନମାନି କାରଣରୁ କାମ ସରି ପାରୁନାହିଁ। ଫଳରେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାରେ ପଚା ପାଣି ଜମି ରହୁଛି ଓ ଗ୍ରାମବାସୀମାନେ ପଚାପାଣିରେ ପଶି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ବଡ଼ ସମସ୍ୟା ହେଉଛି, ଗ୍ରାମ ଦେବତୀଙ୍କ ମନ୍ଦିର ଏବେ ପଚା ପାଣି ଘେରରେ ରହିଛି। ଫଳରେ ପ୍ରତିଦିନ ମନ୍ଦିରକୁ ଯିବା ପାଇଁ ଶ୍ରଦ୍ଧାଳୁମାନେ ସମସ୍ୟାରେ ପଡ଼ୁଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କରିବା ପରେ ବି ଡ୍ରେନେଜ୍‌ କାମ ସରି ପାରୁନାହିଁ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବିଏମ୍‌ସି ୧୦ ନମ୍ବର ୱାର୍ଡରେ ଏହି ଗାଁ ସାମିଲ୍ ହୋଇଛି। ନିର୍ମାଣାଧୀନ ଏହି ଡ୍ରେନ୍‌ଟି ଭୋଟପଡ଼ା ଗ୍ରାମ ଭିତରୁ ଆସି ଦରିଆଣୀ ମନ୍ଦିର ଓ ଖେଳପଡ଼ିଆ ଦେଇ ଗଙ୍ଗୁଆ ନାଳକୁ ଯିବାର ବ୍ୟବସ୍ଥା ରହିଛି। କିନ୍ତୁ ଏବେ ତାହା ଦରିଆଣୀ ମନ୍ଦିର ନିକଟରେ ବନ୍ଦ କରି ଦିଆଯାଇଛି। ଫଳରେ ପଚା ଦୁର୍ଗନ୍ଧ ପାଣି ସବୁବେଳେ ରାସ୍ତାରେ ଲହଡ଼ି ମାରୁଛି। ଏହା ଭିତରେ ଦୀର୍ଘ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁନାହିଁ। ପଚା ପାଣି ଭାସି ଭାସି ମନ୍ଦିର ଯାଏଁ ପହଞ୍ଚୁ ଥିବାରୁ ଶ୍ରଦ୍ଧାଳୁମାନେ ମନ୍ଦିର ଯାଇ ପାରୁନାହାନ୍ତି।

ସେହିଭଳି ଗାଡ଼ି ମଟର ଯିବା ସମୟରେ ଚାଲି ଚାଲି ଯାଉଥିବା ଲୋକଙ୍କ ଉପରେ ପଚା ପାଣି ଛିଟିକା ପଡୁଛି ଓ ବିଭିନ୍ନ ସମୟରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେଉଛି। ନିକଟରେ ଭୋଟପଡ଼ା ବିଦ୍ୟାଳୟ ରହିଛି। ପଚାପାଣି ଦୁର୍ଗନ୍ଧରେ ବିଦ୍ୟାଳୟ ପରିସର ମଧ୍ୟ ପ୍ରଭାବିତ ହେଉଛି ବୋଲି ଅଭିଯୋଗ ହେଉଛି। ତେବେ ବେଶି ସମସ୍ୟା ହେଉଛି ମଶା ଉପଦ୍ରବ। ପଚା ପାଣି ଜମି ରହୁଥିବାରୁ ଗାଁରେ ପ୍ରବଳ ମଶା ହେଉଛନ୍ତି। କିନ୍ତୁ ମଶା ଘଉଡ଼ାଇବା ପାଇଁ ବିଏମ୍‌ସି ପକ୍ଷରୁ କେବେ ବି ପଦକ୍ଷେପ ନିଆଯାଉନାହିଁ।

ଏ ନେଇ ସ୍ଥାନୀୟ ବାସିନ୍ଦା ଅମୂଲ୍ୟ ବେହେରାଙ୍କ କହିବା କଥା, ଏହି କାର୍ଯ୍ୟର ତଦାରଖ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ବାରାମ୍ବାର ଅଭିଯୋଗ କରାଯାଇଛି। କିନ୍ତୁ ସେ କେବଳ ଫମ୍ପା ପ୍ରତିଶ୍ରୁତି ଦେଉଛନ୍ତି। ଏ ସମ୍ପର୍କରେ ବିଏମ୍‌ସିର କନିଷ୍ଠ ଯନ୍ତ୍ରୀ (ଡ୍ରେନେଜ୍ ବିଭାଗ) ପତିତପାବନ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ ଚିରାଚରିତ ଢଙ୍ଗରେ କହିଛନ୍ତି ଯେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଯାଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର