ବିଇଓ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବାଲିପାଟଣା: ଉପସ୍ଥାନ କମ୍ ଥିବା ଦର୍ଶାଇ ୬୦ ବର୍ଷ ପୁରୁଣା ବଳଭଦ୍ରପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଉଥିବା ନିଷ୍ପତ୍ତିକୁ ବିରୋଧ କରି ଆଜି ଗ୍ରାମବାସୀମାନେ ବାଲିପାଟଣା ବିଇଓ କାର୍ଯ୍ୟାଳୟକୁ ଘେରିଥିଲେ। ଆଜି ଗ୍ରାମବାସୀ, ଛାତ୍ରଛାତ୍ରୀ ଏବଂ ଏଆଇଡିଏସ୍‌ଓ ମିଳିତ ଭାବେ ଆଜି କଲେଜ ଛକରୁ ରୢାଲିରେ ବାହାରି ବିଇଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ ଏବେ ସ୍କୁଲରେ ୨୩ ପିଲା ଅଛନ୍ତି। ନିୟମାନୁସାରେ ୨୦ରୁ କମ୍ ଉପସ୍ଥାନ ଥିଲେ ବିଦ୍ୟାଳୟ ବନ୍ଦ ହେବା କଥା। କିନ୍ତୁ ଏଠାରେ ୨୩ ପିଲା ଥାଇ ବି ବେଆଇନ ଭାବେ ବିଦ୍ୟାଳୟ ବନ୍ଦ କରାଯାଇଛି। ଆଜିର ଏହି ବିଇଓ କାର୍ଯ୍ୟାଳୟ ଘେରାଉରେ ଏଆଇଡିଏସ୍‌ ସଭାପତି ନସିମ ସରକାର, ସଂପାଦିକା ସ୍ବସ୍ତି ସଂଗୀତା ଦଳେଇ, ବିଦ୍ୟାଳୟ ସୁରକ୍ଷା କମିଟି ସଭାପତି ଅଜୟ କୁମାର ଭୋଇ, ସଂପାଦକ ସୁଜିତ ବେହେରା, ପ୍ରମୁଖ ନେତୃତ୍ୱ ନେଇଥିଲେ। ବିଇଓ ମହେଶ୍ବର ସାହୁଙ୍କ କହିବା କଥା ସରକାରଙ୍କ ନିର୍ଦେଶ ପରେ ତଦନ୍ତ କରାଯାଇ ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ସ୍ତରୀୟ ଟିମ୍‌ ତଦନ୍ତ କରୁଛନ୍ତି। ତେଣୁ ସେମାନେ ଯାହା ନିଷ୍ପତ୍ତି ନେବେ, ସେହି ଅନୁସାରେ ପଦ‌କ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର