ଶାନ୍ତନୁଙ୍କୁ ଶ୍ରଦ୍ଧାର୍ଘ୍ୟ ଢାଳିଲେ କଣ୍ଠଶିଳ୍ପୀ, ମୟୂରୀ ଗୋ, ତୁମ ଆକାଶେ ମୁଁ…
ପ୍ରଣବ ପଟ୍ଟନାୟକଙ୍କୁ ‘ଶାନ୍ତନୁ ସମ୍ମାନ’, ସବ୍ୟସାଚ୍ଚୀଙ୍କୁ ‘ଏମ୍ଜିଏମ୍ଆର୍ଏଲ୍ ଉତ୍କର୍ଷ ସମ୍ମାନ’
ଭୁବନେଶ୍ବର: ମୟୂରୀ ଗୋ ତୁମ ଆକାଶେ ମୁଁ…, ଆଗୋ ଚନ୍ଦ୍ରିକା.., ଆଜି ମୁଁ ଶ୍ରାବଣୀ…, ଯା’ରେ ଯା’ ଭାସିଯାଆ… ଆଦି ଶାନ୍ତନୁ ମହାପାତ୍ରଙ୍କ ନିର୍ଦ୍ଦେଶିତ ଚିରସବୁଜ ସଙ୍ଗୀତର ମୂର୍ଚ୍ଛନାରେ ମୁଖରିତ ହେଉଥିଲା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଦ୍ୱିତୀୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସ୍ମୃତିରେ ସଙ୍ଗୀତରେ ଶ୍ରଦ୍ଧାର୍ଘ୍ୟ ଢାଳୁଥିଲେ ଲକ୍ଷ୍ମୀକାନ୍ତ ପାଲିତ, ଦେବାଶିଷ ମହାପାତ୍ର, ବନ୍ଦିଶ୍ ପାଲିତ୍, ଅଭିଜିତ୍ ମିଶ୍ର, ଅଭିଷେକ ପଣ୍ଡା, ସୋହିନୀ ମିଶ୍ର, ଅର୍ପିତା ଚୌଧୁରୀ, ନାଜିଆ ଆଲମ୍, ଆଦ୍ୟାଶା ଦାସ, ଲୋପିତା ମିଶ୍ରଙ୍କ ଭଳି ଲୋକପ୍ରିୟ କଣ୍ଠଶିଳ୍ପୀମାନେ। ଅବସର ଥିଲା, ‘ଶାନ୍ତନୁ ମହାପାତ୍ର ଫାଉଣ୍ଡେସନ୍’ ଆନୁକୂଲ୍ୟରେ ଏମ୍ଜିଏମ୍ଆର୍ଏଲ୍ ଫାଉଣ୍ଡେସନ୍ ସହଯୋଗରେ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତିରେ ଆୟୋଜିତ ‘ଶାନ୍ତନୁ ଜୟନ୍ତୀ-୨୦୨୧’। କାର୍ଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ‘ଶାନ୍ତନୁ ସମ୍ମାନ-୨୦୨୧’ରେ ସମ୍ବର୍ଦ୍ଧିତ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପୁରସ୍କାରସ୍ବରୂପ ତାଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି। ଏଥିସହ ଓଲିଉଡ଼୍ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ପ୍ରଥମ ‘ଏମ୍ଜିଏମ୍ଆର୍ଏଲ୍ ଉତ୍କର୍ଷ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏଥିପାଇଁ ତାଙ୍କୁ ପୁରସ୍କାର ସ୍ୱରୂପ ୨୫ହଜାର ଟଙ୍କାର ଅର୍ଥରାଶି, ଉପଢୌକନ, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରତିଷ୍ଠିତ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା ଏମ୍ଜିଏମ୍ଆର୍ଏଲ୍ର ପ୍ରତିଷ୍ଠାତା ରାଜୀବ ଲୋଚନ ଓ ଅନନ୍ତ ମହାପାତ୍ର ଯୋଗ ଦେଇଥିଲେ। ଫାଉଣ୍ଡେସନ୍ର ଅଧ୍ୟକ୍ଷ କୌଶିକ୍ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ମ୍ୟାନେଜିଙ୍ଗ ଟ୍ରଷ୍ଟର ତନୁଜ୍ ମହାନ୍ତି ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଯୁବ ନୃତ୍ୟନିର୍ଦ୍ଦେଶକ ବିଦୁ ଓ ସାଥୀମାନେ ଶାନ୍ତନୁ ମହାପାତ୍ରଙ୍କ କାଳଜୟୀ ଗୀତଗୁଡ଼ିକରେ ନୃତ୍ୟ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଜାଗୃତି ଓ ଉଲ୍ଲାସ। ଶିଖା ମହାପାତ୍ର, ସମ୍ବିତ ମହାପାତ୍ର, ପୋଲ୍ଲୀ ମହାପାତ୍ ଓ ଅର୍ପିତ ମହାପାତ୍ର ସହଯୋଗ କରିଥିବା ବେଳେ ହ୍ୱାଇଟ୍ କାନ୍ଭାସ୍ ପକ୍ଷରୁ ଚିଣ୍ଟୁ ମିଶ୍ର, ସୌମ୍ୟଜିତ୍ ପରିଡ଼ା, ଅମୃତ ରଞ୍ଜନ ଦାସ, ଜ୍ଞାନରଞ୍ଜନ ରାୟ ଓ ଅସିତ୍ କୁମାର ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।