କୃଷ୍ଣ-ଭକ୍ତଙ୍କ ମଧ୍ୟରେ ପାଚେରି ପ୍ରତିବନ୍ଧକ: ଦର୍ଶନ ମିଳିଲାନି, ତଥାପି ଆସିଲେ

ଭୁବନେଶ୍ବର: ମନରେ ଥିଲା କୃଷ୍ଣ ପ୍ରୀତି। ମୁଖରେ ଥିଲା ହରିନାମ। ମାତ୍ର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ହୋଇଥିଲା କଟକଣା। ମନ୍ଦିର ପର୍ଯ୍ୟନ୍ତ ଯିବାରେ କୌଣସି ସମସ୍ୟା ନଥିଲା, ହେଲେ ମନ୍ଦିର ନିକଟକୁ ଯାଇ ବି ପ୍ରଭୁଙ୍କ ଦର୍ଶନ କରିବାର ଅବକାଶ ନଥିଲା। ତେଣୁ ମନ୍ଦିର ଓ ମଠ ବାହାରୁ ପ୍ରଭୁଙ୍କ ପୂଜାର ସାନ୍ନିଧ୍ୟକୁ ଉପଲବ୍ଧି କରି ଫେରିଥିଲେ ଭକ୍ତ। ଏନେଇ ଗତକାଲି ରାତିରୁ ମଠ ଓ ମନ୍ଦିରରେ ବିନା ଭକ୍ତରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଲିଙ୍ଗରାଜ ମନ୍ଦିର, ଇସ୍କନ, ରାମମନ୍ଦିର, ବାୟାବାବା ମଠ, ଏକାମ୍ର ସତ୍ୟ ସେବାଶ୍ରମ, ବରମୁଣ୍ଡା ଗ୍ରାମସ୍ଥିତ ଗୋପାଳଜୀଉ ମନ୍ଦିର ଆଦିରେ ବ୍ୟାପକ ବ୍ୟବସ୍ଥା ହୋଇଥିଲା।

ସାମାଜିକ ମତରେ ଯଦିଓ ଆଜି ଜନ୍ମାଷ୍ଟମୀ ପାଳନ କରାଯାଇଥିଲା। ଲୋକେ ବାହାରେ ଦର୍ଶନ ଓ ଦୀପ ଜାଳିଥିଲେ। ଭୋଗ ପାଇଁ ବାହାରେ ଇସ୍କନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ତେବେ ଇସ୍କନ ପକ୍ଷରୁ ଏହି ପର୍ବ ୧୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ବୁଧବାର ଇସ୍କନ ମଧ୍ୟରେ ବୈଷ୍ଣବ ମତରେ ଜନ୍ମାଷ୍ଟମୀ ପାଳନ ହେବ। ଇସ୍କନର ଉପେନ୍ଦ୍ର ମିଶ୍ରଙ୍କ ସୂଚନା ମୁତାବକ, ଆସନ୍ତାକାଲି ଭୋର ୪ଟାରେ ମଙ୍ଗଳ ଆଳତି, ସନ୍ଧ୍ୟା ସାଢ଼େ ୭ଟାରେ ଦର୍ଶନ ଆରତି ଓ ଗୁରୁପୂଜା, ପରେ ପ୍ରଭୁଙ୍କ ଲୀଳା କୀର୍ତନ ଚାଲୁ ରହିବ। ରାତି ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ମଧ୍ୟ ପ୍ରଭୁଙ୍କ ଲୀଳା କୀର୍ତନ ପରେ ରାତି ୧୨ଟାରେ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ପରେ ମହାଭିଷେକ କରାଯିବ। ରାତି ୧ଟାରେ ମହା ଆରତି କରାଯିବ। ୧୩ ତାରିଖରେ ନନ୍ଦ ଉତ୍ସବ ସହ ଇସ୍କନର ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦଙ୍କ ଶୁଭ ଆବିର୍ଭାବ ଉତ୍ସବ ଅନୁଷ୍ଠିତ ହେବ। ରାମ ମନ୍ଦିରରେ ମଧ୍ୟ ରାଧାକୃଷ୍ଣଙ୍କ ମନୋହର ବେଶ କରାଯାଇଥିଲେ ମଧ୍ୟ ଭକ୍ତଙ୍କ ପାଇଁ ଦର୍ଶନର ଅବକାଶ ନଥିଲା। ତେବେ ଭକ୍ତମାନେ ପ୍ରଭୁଙ୍କ ସାନ୍ନିଧ୍ୟ ନେବାକୁ ମନ୍ଦିର ଯାଏ ଆସିଥିବା ଦେଖିବାକୁ ମିଳିଥିଲା। ସେହିଭଳି ଅନ୍ୟ ମଠ ମନ୍ଦିରମାନଙ୍କରେ କଟକଣା ମଧ୍ୟରେ ବିନା ଭକ୍ତରେ ପ୍ରଭୁଙ୍କ ଅବିର୍ଭାବ ପର୍ବକୁ ପାଳନ କରାଯାଇଥିଲା।

ସମ୍ବନ୍ଧିତ ଖବର