ଶୈଳଶ୍ରୀବିହାର ସାଇ ମନ୍ଦିର ପାଚେରି ଜବରଦଖଲ ପ୍ରସଙ୍ଗ: କାମ ବନ୍ଦ କଲେ, ଭାଙ୍ଗିବେ ତ?

ଅକ୍ଟୋବର ମାସରେ ଭାଙ୍ଗିବାକୁ ନିଷ୍ପତ୍ତି, ନିଷ୍ପତ୍ତିର କାର୍ଯ୍ୟକାରିତା ନେଇ ସନ୍ଦେହ

ଚନ୍ଦ୍ରଶେଖରପୁର: ସରକାରୀ ଜମିରେ ଛିଡ଼ା ହୋଇଛି ପାଚେରି। ତା’ପରେ ବି ଭାଙ୍ଗିବାକୁ ସରକାରୀ ବାବୁଙ୍କ ସାହସ ପାଉନି। ଏନେଇ ଦୁଇ ମାସ ହେଲା ‘ସମ୍ବାଦ’ରେ ଲଗାତାର ଭାବେ ଖବର ପ୍ରକାଶ ପରେ ଏବେ ଅଧା ପାଚେରି ଭଙ୍ଗାଯାଇଛି। ତେବେ ମେନ୍‌ ଗେଟ୍‌ ସହ ବାକି ଅଧା ପାଚେରିକୁ ସୁରକ୍ଷା ଦିଆଯାଇ ଡ୍ରେନ୍‌ ଦିଗ ବଦଳାଇ ରବିବାର ନିର୍ମାଣ କାମ ପୁଣିଥରେ ଆରମ୍ଭ ହୋଇଥିଲା। ଏସମ୍ପର୍କରେ ସୋମବାର ଖବର ପ୍ରକାଶ ପରେ ଦୁଇ ଦିନ ହେଲା କାମ ବନ୍ଦ ରହିଛି। କୌଣସି କର୍ମଚାରୀ ଆସିନାହାନ୍ତି କି ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଦେଖା ନାହିଁ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବେଆଇନ ନିର୍ମାଣ ଭାଙ୍ଗିବା ଲାଗି ଉପର ମହଲର ସରକାରୀ ବାବୁମାନେ ବ୍ୟାପକ ମାନସମନ୍ଥନ କରିଛନ୍ତି। କେଉଁ ପରିସ୍ଥିତି ଓ କାହିଁକି ଡ୍ରେନ୍‌ର ଦିଗ ବଦଳାଗଲା? ପାଚେରି ଭଙ୍ଗାଗଲା ନାହିଁ କାହିଁକି? ଇନ୍‌ଫୋସିଟି ଛକ ଆଡ଼ୁ ଏକାଠି ଆସୁଥିବା ୟୁଟିଲିଟି କରିଡର ଓ ଡ୍ରେନ୍‌ ସାଇ ମନ୍ଦିର ପାଚେରି ନିକଟରେ କାହିଁକି ଅଲଗା ହେଲା? ମନ୍ଦିର ପରିସରରେ ୟୁଟିଲିଟି କରିଡର ଓ ବାହାରେ ଡ୍ରେନ୍‌ ଯିବାର କ’ଣ ଆବଶ୍ୟକତା ଥିଲା? ପୂର୍ତ୍ତ ବିଭାଗ ବାବୁଙ୍କୁ ଏଭଳି ପ୍ରଶ୍ନ ପଚରାଯାଇଛି। ଏମିତିକି କାହା ଚାପରେ ରାସ୍ତାର ଓସାର କମାଉଛ। କ’ଣ ଦରକାର ଅଛି। ଯଦି ସରକାରୀ ଜମି ଜବରଦଖଲ ହୋଇଛି ତେବେ ଭାଙ୍ଗୁନା କାହିଁକି ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି। ତେବେ ସାଇ ମନ୍ଦିର ପ୍ରେମରେ ପଡ଼ିଥିବା ବାବୁମାନେ ସଠିକ୍‌ ଉତ୍ତର ଦେଇପାରି ନ ଥିଲେ।

ସୂଚନା ଅନୁଯାୟୀ ଆଜି ସିଇଏମ୍‌ସି ବୈଠକରେ ବି ମଧ୍ୟ ଏହାକୁ ନେଇ ବ୍ୟାପକ ତନାଘନା କରାଯାଇଛି। ବେଆଇନ ନିର୍ମାଣକୁ ପ୍ରୋତ୍ସାହିତ ନ କରିବାକୁ ବୈଠକରେ କୁହାଯାଇଛି। ଯଦି ଆଗରୁ ସବୁ ଜାଣିଥିଲେ ତେବେ ପଦକ୍ଷେପ ନେଲେ ନାହିଁ କାହିଁକି? ଲୋକେ କାହିଁକି ଅଭିଯୋଗ କରିବାକୁ ଗଲେ ବୋଲି ବୈଠକରେ ପ୍ରଶ୍ନ ଉଠିଥିଲା। ଆଲୋଚନା ପରେ ନିଷ୍ପତ୍ତି ହୋଇଛି ‌ଯେ ଅକ୍ଟୋବର ମାସ ତଥା ଦଶହରା ପୂର୍ବରୁ ମନ୍ଦିରର ପ୍ରବେଶ ପଥ ସମେତ ସମ୍ମୁଖ ଭାଗରେ ଥିବା ପାଚେରିକୁ ସମ୍ପୂର୍ଣ୍ଣ ଭଙ୍ଗାଯିବ। ଡ୍ରେନ୍‌ ବଙ୍କା ଯିବ ନାହିଁ। ବରଂ ପୂର୍ବଭଳି ଯେମିତି ୟୁଟିଲିଟି କରିଡର ଓ ଡ୍ରେନ୍‌ ଏକାଠି ଯାଉଥିଲା ପୁଣି ସେମିତି ଆଗକୁ ଯିବ। ବୈଠକରେ ସିନା ନିଷ୍ପତ୍ତି ହୋଇଗଲା। ତେବେ ନିଷ୍ପତ୍ତିର କାର୍ଯ୍ୟକାରିତା ନେଇ ଅଞ୍ଚଳବାସୀ ସନ୍ଦେହ ପ୍ରକାଶ କରିଛନ୍ତି।

ଅଞ୍ଚଳବାସୀଙ୍କ କହିବା କଥା ହେଉଛି ଯେ ମନ୍ଦିର ରହୁ। ଡ୍ରେନ୍‌ ବି ସିଧାଯାଉ। ତା’ମାନ‌େ ନୁହେଁ ଯେ ପାଚେରି ଭଲ ଦେଖାଯିବ ବୋଲି ଡ୍ରେନ୍‌କୁ ବଙ୍କେଇ ନେଇଯିବେ। ରାସ୍ତା ଓସାର କମାଇଦେ‌ବେ। ଏହାଦ୍ବାରା ଲୋକେ ହଇରାଣ ହେବେ। କାମ ସରିବା ପରେ ଠିକାଦାର ପଇସା ନେଇଯିବ। ସରକାରୀ ବାବୁମାନେ ନିଜ ବାଟରେ ଚାଲିଯିବେ। ଭବିଷ୍ୟତରେ ଆମେ ହଇରାଣ ହେବୁ। ଖବର ପ୍ରକାଶ ପାଇବା ପରେ ବନ୍ଦ କରିଛନ୍ତି ସତ ହେଲେ ଭାଙ୍ଗିବା ନେଇ ଆଶଙ୍କା ରହିଛି। କାରଣ ଆଗରୁ ମଧ୍ୟ ଏମିତି ୩ ଥର କଲେଣି। ବିରୋଧ ହେବା ପରେ କାମ ବନ୍ଦ କରୁଛନ୍ତି। କିଛି ଦିନର ନିରବତା ପରେ ପୁଣି କାମ ଆରମ୍ଭ କରୁଛନ୍ତି।

ସମ୍ବନ୍ଧିତ ଖବର