ଦୁଇ ହସ୍ପିଟାଲରେ ଅଧିକ ଗୁରୁତର ଆକ୍ରାନ୍ତ: ୱାର୍ଡ ଖାଲି, ଆଇସିୟୁରେ ଭିଡ଼

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ରାଜଧାନୀରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ରାଜଧାନୀରେ ଦୁଇଟି ହସ୍ପିଟାଲରେ ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳୁଥିବାବେଳେ ଏଠାରେ ଗୁରୁତର ଆକ୍ରାନ୍ତଙ୍କ ଭିଡ଼ ଜମୁଛି। ଯେଉଁମାନେ କରୋନା ଆକ୍ରାନ୍ତ ହେଉଛନ୍ତି ଗୁରୁ୍ତର ନ ହେଲେ ହସ୍ପିଟାଲ ଆସୁନାହାନ୍ତି। ତେଣୁ ରାଜଧାନୀରେ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ସମ୍‌ ଓ ଆଦିତ୍ୟ ଅଶ୍ବିନୀରେ ଏବେ ଜେନେରାଲ୍‌ ୱାର୍ଡରେ ସବୁ ଶଯ୍ୟା ଖାଲି ପଡ଼ିଥିବାବେଳେ ଆଇସିୟୁ, ଏଚ୍‌ଡିୟୁ ଓ ଭେଣ୍ଟିଲେଟରରେ ଆକ୍ରାନ୍ତଙ୍କ ଭିଡ଼ ଜମୁଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇଟି ହସ୍ପିଟାଲରେ ୧୧୦ଟି ସାଧାରଣ ଶଯ୍ୟା ଥିବାବେଳେ ଏଥିରେ ସମ୍‌ରେ ୫୦ଟି, ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲରେ ୬୦ଟି ଶଯ୍ୟା ଅଛି। ଆଇସିୟୁରେ ମୋଟ୍‌ ୧୩୦ଟି ଶଯ୍ୟା ଥିବାବେଳେ ସମ୍‌ରେ ୭୫ଟି ଶଯ୍ୟା ଅଛି। ଏଥିରୁ ୧୮ଟି ଶଯ୍ୟାରେ ଆକ୍ରାନ୍ତ ଥିବାବେଳେ ଭୁବନେଶ୍ବରର ୧୦ଜଣ ଓ ବାହାରର ୮ଜଣ ଅାକ୍ରାନ୍ତ ଅଛନ୍ତି। ଆଦିତ୍ୟ ଅଶ୍ବିନୀରେ ୫୫ଟି ଆଇସିୟୁ ଥିବାବେଳେ ଏଥିରେ ତିନିଟିରେ କେବଳ ଭୁବନେଶ୍ବର ବାହାରର ଆକ୍ରାନ୍ତ ଅଛନ୍ତି। ଭେଣ୍ଟିଲେଟରରେ ମୋଟ୍‌ ୧୧୫ଟି ଶଯ୍ୟା ଥିବାବେଳେ ସମ୍‌ରେ ୭୫ଟି ଶଯ୍ୟା ଅଛି। ଏଥିରେ ଭୁବନେଶ୍ବରର ‌ମାତ୍ର ୨ଜଣ ଆକ୍ରାନ୍ତ ଅଛନ୍ତି। ଆଦିତ୍ୟ-ଅଶ୍ବିନୀରେ ୪୦ଟି ଶଯ୍ୟା ଥିବାବେଳେ ଏଥିରେ ଭୁବନେଶ୍ବର ବାହାରର ଜଣେ ଆକ୍ରାନ୍ତ ଅଛନ୍ତି।

ଏଚ୍‌ଡିୟୁରେ ମୋଟ୍‌ ୫୦ଟି ଶଯ୍ୟା ଥିବାବେଳେ ସମ୍‌ରେ ୨୫ଟି ଶଯ୍ୟାରୁ ୧୭ଟିରେ ଭୁବନେଶ୍ବର ବାହାରର ଆକ୍ରାନ୍ତ ଅଛନ୍ତି। ସମସ୍ତେ ଭୁବନେଶ୍ବର ବାହାରର। ଆଦିତ୍ୟ ଅଶ୍ବିନୀର ୨୫ଟି ଶଯ୍ୟାରୁ ୪ଟିରେ ଭୁବନେଶ୍ବର ବାହାରର ଆକ୍ରାନ୍ତ ଅଛନ୍ତି। ଏ ନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିନଥିଲେ ହେଁ ହସ୍ପିଟାଲ ପ୍ରସ୍ତୁତ ଅଛି। ଏବେ ମୁଖ୍ୟତଃ ଗୁରୁତର ଆକ୍ରାନ୍ତ ହସ୍ପିଟାଲକୁ ଆସୁଛନ୍ତି। ତେଣୁ ଆଇସିୟୁ, ଏଚ୍‌ଡିୟୁ ଓ ଭେଣ୍ଟିଲେଟରରେ ଅଧିକ ଶଯ୍ୟା ରଖିଛୁ। ଯେପରି କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେବନି ସେଥିପାଇଁ ଆମେ ସବୁ ବ୍ୟବସ୍ଥା କରିଛୁ। ଏବେ ଦୁଇଟି ହସ୍ପିଟାଲରେ ଜେନେରାଲ ୱାର୍ଡରେ ୧୧୦ଟି, ଆଇସିୟୁରେ ୧୦୯ଟି, ଏଚ୍‌ଡିୟୁରେ ୨୯ଟି, ଭେଣ୍ଟିଲେଟରରେ ୧୧୨ଟି ଶଯ୍ୟା ଖାଲି ଅଛି।

ସମ୍ବନ୍ଧିତ ଖବର