ଭତ୍ତା ପାଇଁ ୱାର୍ଡ ଅଫିସ୍ ଘେରିଲେ ଆଶାୟୀ

ପୁରୁଣା ଭୁବନେଶ୍ୱର: ୩ ବର୍ଷରୁ ଅଧିକ ସମୟ ହେଲା ଭତ୍ତା ପାଇଁ ଆବେଦନ କଲେଣି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଳୁନି। ବାରମ୍ବାର ୱାର୍ଡ ଅଫିସ୍ ଓ ବିଏମ୍‌ସି ଅଫିସ୍ ଦୌଡ଼ିଦୌଡ଼ି କୌଣସି ସୁଫଳ ମିଳୁନାହିଁ। ତେଣୁ ଆଜି ଆଶାୟୀ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗମାନେ ୬୭ନଂ ୱାର୍ଡ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ। ସୁନ୍ଦରପଦା ଓ କପିଳପ୍ରସାଦ ଗ୍ରାମର ଏହି ଆଶାୟୀମାନେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୱାର୍ଡ ଅଫିସରଙ୍କ ଜରିଆରେ ଦାବିପତ୍ର ଦେଇଥିଲେ। ତୁରନ୍ତ ସେମାନଙ୍କ ଦାବି ପୂରଣ ନହେଲେ, ସେମାନେ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବା ସହ ଆଗାମୀ ପୌର ନିର୍ବାଚନରେ ଭୋଟ୍‌ ବର୍ଜନ କରିବେ ବୋଲି କହିଛନ୍ତି। ଭତ୍ତା ଆଶାୟୀମାନଙ୍କ ଅଭିଯୋଗ ଅନୁସା‌ରେ, ସେମାନେ ୩ ବର୍ଷ ତଳୁ ଆବେଦନ କଲେଣି। ମାତ୍ର ଉକ୍ତ ୱାର୍ଡରେ ଧାର୍ଯ୍ୟ ସଂଖ୍ୟକ ହିତାଧିକାରୀ ଭତ୍ତା ପାଉଥିବାରୁ ଆଉ ନୂଆ ସାମିଲ୍ କରିବା ସମ୍ଭବ ହେଉନାହିଁ ବୋଲି ତାଙ୍କୁ କୁହାଯାଉଛି। କୌଣସି କାରଣରୁ ଭତ୍ତା ପାଉଥିବା ହିତାଧିକାରୀଙ୍କ ନାମ କଟିଲେ ଯାଇ ନୂଆ ନାଁ ତାଲିକାରେ ସାମିଲ୍ ହେବ ବୋଲି କହି ଦିନ କର୍ତ୍ତୃପକ୍ଷ ଗଡ଼ାଇ ଚାଲିଛନ୍ତି। ପୁରୁଣା ନାଁ ନ କଟିଲେ, ସେମାନଙ୍କୁ ଭତ୍ତା ମିଳିପାରିବ ନାହିଁ ବୋଲି ରୋକ୍‌ଠୋକ କୁହାଯାଉଛି।

ଏ ଭିତରେ ଅଲେଖ ମା‌ର୍ଥା, ଫୁଲ ବେହେରାଙ୍କ ଭଳି ୬୫ବର୍ଷ ବୟସ ଅତିକ୍ରାନ୍ତ କରିଥିବା ବହୁ ବୃଦ୍ଧବୃଦ୍ଧା ଓ ଟୁନି ଓଝାଙ୍କ ଭଳି ୫୫ ବର୍ଷୀୟା ବିଧବା ଆଜି ପର୍ଯ୍ୟନ୍ତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସରକାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଦେବା ପାଇଁ ନିୟମ କରିଛନ୍ତି। କିନ୍ତୁ ଏଭଳି ବିଚିତ୍ର ନିୟମ ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ବଡ଼ ହନ୍ତସନ୍ତ ହେଉଛନ୍ତି ବୋଲି ଆଜି ଧାରଣାରେ ବସିଥିବା ଅନନ୍ତ ବେହେରା, ମୁରଲୀ ବେହେରା, ବିଜୁଳି ସ୍ବାଇଁ, ସେକ୍ ଇମାମ୍, ବୁଦ୍ଧଦେବ ପ୍ରଧାନ, ଶନି ବେହେରା, ବାବାଜୀ ଜେନା, ଅଲେଖ ମାର୍ଥା, ପ୍ରହଲ୍ଲାଦ ସେଠୀ, ତଇନ ବେହେରା, ଭାଲୁ ମଲ୍ଲିକ, ଟୁନି ଓଝା ପ୍ରମୁଖ କହିଛନ୍ତି। ଏମାନଙ୍କ ଭିତରୁ ବର୍ତ୍ତମାନ ନିହାତି ଭତ୍ତା ଲୋଡ଼ୁଥିବା ଫୁଲ ବେହେରା କହିଛନ୍ତି ‌ଯେ ତିନି ବର୍ଷ ହେଲା ସେ ଭତ୍ତା ପାଇଁ ଧାଉଁଛନ୍ତି। ପୁରୁଣା ତାଲିକାରୁ କାହା ନାଁ କଟୁନାହିଁ। କାରଣ କେହି ମରିନାହାନ୍ତି। ତେଣୁ ତାଙ୍କ ନାଁ ପାଳି ପଡ଼ିବା ବେଳକୁ ‌ବୋଧହୁଏ ତାଙ୍କ ପ୍ରାଣ ଚାଲି ଯାଇଥିବ। ଏନେଇ ୱାର୍ଡ ଅଫିସର୍‌ଙ୍କ ସ୍ପଷ୍ଟ ମତ ମିଳି ପାରିନଥିଲା। ସେ ଏହି ଆବେଦନକାରୀଙ୍କ ନାଁ ତାଲିକା କରି ରଖିଛନ୍ତି ବୋଲି କେବଳ କହିଥିଲେ। ଆଜିର ଏହି ଧାରଣାରେ ସ୍ଥାନୀୟ ସ୍ବେଚ୍ଛାସେବୀ ନୀଳମଣି ମିଶ୍ର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର