ଚନ୍ଦ୍ରଶେଖରପୁର: ଚକେଇସିଆଣୀସ୍ଥିତ ଭୋଟପଡ଼ା ଲୋକନାଥବିହାର ଅଞ୍ଚଳର ଚିନ୍ତା ବଢ଼ାଉଛି ରାସ୍ତା ସମସ୍ୟା। ଅସରାଏ ବର୍ଷାରେ ବେହାଲ ହେଉଛି ଅଞ୍ଚଳ। ଏହି ଅଞ୍ଚଳରେ ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ତଥାପି ସବୁ ଜାଣି ମଧ୍ୟ ବିଏମସି ଚୁପ୍। ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। 

Advertisment

ବିଏମ୍‌ସି ୧୦ ନମ୍ବର ୱାର୍ଡ ଅଧୀନ ଲୋକନାଥବିହାର ଅଞ୍ଚଳର ପ୍ରମୁଖ ସମସ୍ୟା ପାଲଟିଛି ଗମନାଗମନ। ଅନେକ ସ୍ଥାନରେ ରାସ୍ତାର ଚଉଡ଼ା କମ୍‌ ରହିଛି। ସେଗୁଡ଼ିକରେ ପୁଣି ଖାଲ, ଢିପ ଭର୍ତ୍ତି। ପାଦେ ପାଦେ କାଦୁଆ କଚଡ଼ା। ଗାଡ଼ି ମୋଟର ଯିବା ତ ଦୂରର କଥା ଚାଲିକି ଯିବା ମଧ୍ୟ ଅସମ୍ଭବ। ବର୍ଷା ପୂର୍ବରୁ ଲୋକେ ନିଜ ଉଦ୍ୟମରେ ରାସ୍ତାରେ ମାଟି ପକାଇଛନ୍ତି। କିନ୍ତୁ ତାହା ମଧ୍ୟ ବେଶି ଦିନ ତିଷ୍ଠିଲାନି। ନିକଟରେ ଡ୍ରେନେଜ୍ କାମ ଚାଲିଥିବା ବେଳେ ଏକାଧିକ ଭାରୀଯାନ ଆସି ମାଟି ରାସ୍ତାକୁ ନଷ୍ଟ କରି ଦେଇଛନ୍ତି। ତେଣୁ ଅଞ୍ଚଳରେ ବିଭିନ୍ନ କାମ ଆରମ୍ଭ କରାଯାଉଥିଲେ ମଧ୍ୟ ପ୍ରଥମେ ରାସ୍ତା ସୁବିଧା କରାଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।