ମୁକ୍ତି ଖୋଜୁଛି ମୁକ୍ତି ଦେଉଥିବା ପୁଣ୍ୟ ପୁଷ୍କରିଣୀ, ପବିତ୍ର ଗୋସାଗରେଶ୍ବର ଜଳାଶୟ ଏବେ ବର୍ଜ୍ୟକୁଣ୍ଡ

ଭୁବନେଶ୍ବର: ପବିତ୍ର ପୁଷ୍କରିଣୀ ଭାବେ ଦିନେ ପ୍ରସିଦ୍ଧି ଅର୍ଜନ କରିଥିବା ଗୋସାଗରେଶ୍ବର ଜଳାଶୟ ବର୍ଜ୍ୟରେ ପରିଣତ ହୋଇଛି। ମୁକ୍ତିର ବାଟ ଦେଖାଉଥିବା ‌ଜଳାଶୟ ଐତିହ୍ୟ ମନ୍ଦିର ପାଇଁ ଏବେ ବିପଦ ସାଜିଛି। ପୌରାଣିକ ଯୁଗ ସହ ଯୋଡ଼ି ହୋଇ ରହିଥିବା ଏହି ପୋଖରୀ ଅସ୍ତିତ୍ବ ହରାଇବାକୁ ବସିଲାଣି। ସରକାରୀ କଳର ଆନ୍ତରିକତାର ଅଭାବ ଓ ଅବହେଳା ଯୋଗୁଁ ଅଣନିଃଶ୍ବାସୀ ହୋଇପଡ଼ିଥିବା ଏହି ପୋଖରୀ ଏବେ ନିଜ ମୁକ୍ତିର ବାଟ ଖୋଜୁଛି।

ଜନଶ୍ରୁତି ମୁତାବକ, ପ୍ରଭୁ ଶିବଙ୍କ ହାତରେ ଅଜାଣତରେ ଏକ ବାଛୁରୀର ମୃତ୍ୟୁ ହୋଇଯାଇଥିଲା। ପଶ୍ଚାତାପର ଗ୍ଳାନିରେ ପ୍ରଭୁ ଏହି ପୋଖରୀରେ ସ୍ନାନ କରିଥିଲେ। ସେବେଠୁ ଯେବେ ବି କୌଣସି ବ୍ୟକ୍ତିଙ୍କ ହାତରେ ଅସାବଧାନତାବଶତଃ ଗୋ ହତ୍ୟା ହୋଇଯାଏ, ସେ ଏହି ପୋଖରୀରେ ସ୍ନାନ କରିବା ଦ୍ବାରା ଗୋ ହତ୍ୟା ପାପରୁ ମୁକ୍ତି ମିଳୁଥିବା ବିଶ୍ବାସ କରାଯାଏ। ଗଙ୍ଗ ବଂଶର ରାଜତ୍ବ ପରେ ପ୍ରାୟ ୧୩ଶହ ଖ୍ରୀଷ୍ଟାବ୍ଦର ଏହି ପୋଖରୀ ବୈତାଳ ମନ୍ଦିରରୁ ୨ଶହ ମିଟର ଦୂରରେ ରହିଛି। ଏହାର ପ୍ରାକୃତିକ ଝର ରହିଥିବା ବେଳେ ବର୍ଷା ସମୟରେ ଅବଶିଷ୍ଟ ପାଣି ବିନ୍ଦୁସାଗରକୁ ନିଷ୍କାସନ ପାଇଁ ଉତ୍ତର ପୂର୍ବ କୋଣରେ ବାଟ ରହିଥିଲା। ମାତ୍ର ପରିଚାଳନା ଅଭାବରୁ ଦୀର୍ଘବର୍ଷ ହେଲା ନିଷ୍କାସନ ବାଟ ବନ୍ଦ। ଫଳରେ ବର୍ଷା ହେଲେ ମନ୍ଦିର ପରିସର ବୁଡ଼ିଯାଉଛି। ଗୋସାଗରେଶ୍ବର ପରିସରରେ ୧୧ଟି ମନ୍ଦିର ରହିଥିବା ବେଳେ ୩ଟି ମନ୍ଦିର ଓ ବଡ଼ ମଣ୍ଡପ ପରିତ୍ୟକ୍ତ ଭାବେ ପଡ଼ି ରହିଛି। ଦୀର୍ଘଦିନ ଧରି ପାଣି ଛାଡ଼ୁନଥିବାରୁ ମନ୍ଦିର ମୂଳଦୁଆ ଦୁର୍ବଳ ହୋଇଗଲାଣି। ଚଟାଣରେ କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ମଣ୍ଡପ ଏକ ପାର୍ଶ୍ବକୁ ଢଳି ପଡ଼ିଲାଣି। ଜଳାଶୟର ପାଣି ଦୂଷିତ ହୋଇଗଲାଣି। ଦୈନିକ ‌ସ୍ନାନ କରୁଥିବା ଲୋକେ ମୁହଁ ଫେରେଇ ନେଲେଣି। ଦିନେ ଯେଉଁ ପୋଖରୀର ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରାଯାଉଥିଲା ତାହା ଆଜି ଗାଧୋଇବା ଯୋଗ୍ୟ ହୋଇ ରହିନାହିଁ।

ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ୧୯୯୯ ମସିହାରେ ମନ୍ଦିର ମରାମତି କରିଥିଲେ। ଚତୁଃପାର୍ଶ୍ବରେ ପାଚେରି ନିର୍ମାଣ ପରଠୁ ପୋଖରୀରୁ ପାଣିର ପ୍ରାକୃତିକ ପ୍ରବାହ ବନ୍ଦ ହୋଇଯାଇଛି। ସଂପ୍ରତି ମନ୍ଦିର ଦାୟିତ୍ବରେ ଥିବା ବ୍ୟକ୍ତି ପମ୍ପ ଯୋଗେ ଅନାବଶ୍ୟକ ପାଣି କାଢ଼ୁଛନ୍ତି, କିନ୍ତୁ ଏହା ସମସ୍ୟା ଦୂର କରିପାରୁନାହିଁ। ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଛନ୍ତି। କିନ୍ତୁ ଏହାକୁ ଗୁରୁତ୍ବର ସହ ନିଆଯାଇନାହିଁ। ମା’ ଜାଗେଶ୍ବରୀ ଯୁବ ସଂଘର ସମ୍ପାଦକ ପ୍ରଫୁଲ୍ଲ ସ୍ବାଇଁ କହିଛନ୍ତି, ସେମାନେ ସଂଘ ତରଫରୁ ଅନେକଥର ଏହି ଜଳାଶୟକୁ ସଫା କରିଛନ୍ତି। ମାତ୍ର ସ୍ଥାୟୀ ସମାଧାନ ହୋଇପାରିନାହିଁ। ଇନ୍‌ଟାକ୍‌ର ପ୍ରକଳ୍ପ ସଂଯୋଜକ ଅନିଲ୍‌ ଧୀର୍‌ କହିଛନ୍ତି, ଗଙ୍ଗା ଯମୁନା, ବଡ଼ କୂଅ, କପିଳ କୁଣ୍ଡ, ମଣିକର୍ଣ୍ଣିକା, କୁକୁଟେଶ୍ବର, କେଦାରଗୌରୀ, କୋଟିତୀର୍ଥ, ମୁକ୍ତେଶ୍ବର, ପାପନାଶିନୀ, ଯମେଶ୍ବର, ମହାଭୋଇ ଶାସନରେ ଥିବା ପୋଖରୀର ରକ୍ଷଣାବେକ୍ଷଣ ଜରୁରୀ ହୋଇପଡ଼ିଛି। ପରିବେଶବିତ୍‌ ଡ.ବିଶ୍ବଜିତ ମହାନ୍ତି କହିଛନ୍ତି, ସ୍ଥାନୀୟ କ୍ଲବ୍‌ ସ୍ବେଚ୍ଛାକୃତ ଭାବେ ଜଳାଶୟଗୁଡ଼ିକୁ ନିର୍ମଳ ରଖିବା ପାଇଁ ଆଗେଇ ଆସିବା ଉଚିତ୍‌। ବିଶେଷତଃ ଗୋସାଗରେଶ୍ବର ପୋଖରୀର ତୁରନ୍ତ ମରାମତି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର