ପାଗ ବଢ଼ାଇଦେଲା ଜଳ ସଙ୍କଟ, ଲୋକେ ଅଧିକ ପାଣି ନଷ୍ଟ କରୁଛନ୍ତି: ୱାଟ୍‌କୋ

ଭୁବନେଶ୍ବର: ଫେବ୍ରୁଆରି ମାସରୁ ରାଜଧାନୀର କିଛି ଅଞ୍ଚଳରେ ଲୋକ ପାଣି ପାଇଁ ଆଉଟୁପାଉଟୁ ହେଲେଣି। ଏହା ନୁହେଁ ଯେ ସେମାନଙ୍କୁ ପାଣି ଯୋଗାଣ ହେଉନି। ପାଣି ଗତ ତିନି ଚାରି ମାସ ତଳେ ଯେପରି ଯୋଗାଣ ହେଉଥିଲା ଏବେବି ସେମିତି ଯୋଗାଣ ହେଉଛି। କିନ୍ତୁ ଫେବ୍ରୁଆରିରେ ହଠାତ୍ ପାଗ ବଦଳିବା ଲୋକଙ୍କୁ ଜଳ ସଙ୍କଟ ପରିସ୍ଥିତିରେ ପକାଇ ଦେଇଛି। ଖରା ବଢ଼ିବା ଯୋଗୁଁ ଲୋକଙ୍କ ପାଣି ଚାହିଦା ବଢ଼ିଯାଇଛି। ୱାଟ୍‌କୋ (ଜଳ ନିଗମ) ବସ୍ତିରୁ ଆରମ୍ଭ କରି ସମ୍ଭ୍ରାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ସବୁ ଅଞ୍ଚଳରେ ପାଇପ୍ ପାଣି ପହଞ୍ଚାଇଥିଲେ ‌ହେଁ କିଛି ସ୍ଥାନରେ ପାଣି ମିଳୁନି ବୋଲି ଅଭିଯୋଗ ହେଉଛି। ବସ୍ତି ଅଞ୍ଚଳରେ ପାଣିକି ନେଇ ଯେତିକି ସମସ୍ୟା ନାହିଁ ତାହାଠାରୁ ଅଧିକ ସମସ୍ୟା ରାଜଧାନୀର ଅନ୍ୟ ଅଞ୍ଚଳରେ ସୃଷ୍ଟି ହୋଇଛି।

ଏ ନେଇ ୱାଟ୍‌କୋ‌ର ଭୁବନେଶ୍ବର ଡିଭିଜନ-୨ ମହାପ୍ରବନ୍ଧକ ଇଂ. ଗୁରୁଚରଣ ଦାସ କହିଛନ୍ତି ଯେ, ଖରାଦିନେ ଲୋକଙ୍କର ଅଧିକ ପାଣି ଦରକାର ହୋଇଥାଏ। ଲୋକଙ୍କର ଯେତିକି ପାଣି ଦରକାର ହେଉଛି ତାହା ଠାରୁ ଅଧିକ ପାଣି ଯୋଗାଣ ହେଉଛି। କିନ୍ତୁ ଲୋକ ପାଣିର ଉଚିତ ବ୍ୟବହାର କରୁନାହାନ୍ତି। ପାଣି ଅଧିକ ନଷ୍ଟ କରୁଥିବାରୁ ଏବଂ ଠିକ୍ ଭାବେ ସଂରକ୍ଷିତ କରି ରଖୁନଥିବାରୁ ପାଣି ମିଳୁନି ବୋଲି କହୁଛନ୍ତି। ସେ ଆହୁରି କହିଛନ୍ତି, ଜଣେ ଲୋକ ଦୈନିକ ହାରାହାରି ୧୩୫ଲିଟର ପାଣି ବ୍ୟବହାର କରିଥାନ୍ତି। ଏହି ହିସାବରେ ପୂରା ରାଜଧାନୀକୁ ଦୈନିକ ୧୩୫ରୁ ୧୪୦ମିଲିଅନ ଲିଟର ପାଣି ଆବଶ୍ୟକ ଅଛି। ହେଲେ ଆମେ ୨୭୦ମିଲିଅନ୍ ଲିଟର ଯୋଗାଉଛୁ। ରାଜଧାନୀରେ ଅଧିକାଂଶ ଅଞ୍ଚଳରେ ଲୋକଙ୍କ ଘରକୁ ୨ହଜାର ଲିଟର ପାଣି ଯୋଗାଣ ହେଉଛି। ଏପରିକି କୌଣସି ଅଞ୍ଚଳକୁ ୧୨୦୦ଲିଟରରୁ କମ୍‌ ପାଣି ଯୋଗାଣ ହେଉନି। ‌ଯଦି ଗୋଟିଏ ଘରେ ୫ଜଣ ସଦସ୍ୟ ରହୁଥିବେ ତେବେ ଜଣଙ୍କୁ ୧୩୫ଲିଟର ହିସାବରେ ୬୭୫ଲିଟର ପାଣି ଆବଶ୍ୟକ। ଆମେ ଏହାର ଦୁଇଗୁଣାରୁ ଅଧିକ ପାଣି ଯୋଗାଣ କରୁଛୁ। କିନ୍ତୁ ଲୋକ ପାଣିର ଠିକ୍ ବ୍ୟବହାର କରୁନଥିବାରୁ ସମସ୍ୟା ହେଉଛି। ଲୋକଙ୍କୁ ପାଣି ବ୍ୟବହାର ନେଇ ସଚେତନ ହେବାକୁ ହେବ।

ୱାଟ୍‌କୋ ଯଦି ପାଣି ଯୋଗାଣ ଠିକ୍ ଭାବେ କରୁନଥିଲା ତେବେ ଗତ ତିନି/ଚାରିମାସ ତଳେ ଲୋକ କାହିଁକି ଅଭିଯୋଗ କରୁ ନ ଥିଲେ? ଖରାଦିନେ ଅଧିକ ବ୍ୟବହାର ହେଉଥିବାରୁ ଏବଂ ବ୍ୟବହାର ସମୟରେ ଅଧିକ ପାଣି ନଷ୍ଟ ହେଉଥିବାରୁ ପାଣି ସଙ୍କଟ ହେଉଛି। ତେଣୁ ସମସ୍ତଙ୍କୁ ପାଣିକୁ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବାକୁ ପଡ଼ିବ ବୋଲି ଶ୍ରୀ ଦାସ କହିଛନ୍ତି।

ପାଣି ଅସୁବିଧା ହେଲେ ଫୋନ୍‌ କର
ଲୋକଙ୍କର ଯଦି ପିଇବା ପାଣି ନେଇ କିଛି ସମସ୍ୟା ଅଛି ତେବେ ସେମାନେ ଟୋଲ୍‌ ଫ୍ରି ନମ୍ବରରେ ଫୋନ୍‌ କରିପାରିବେ। ଏଥିପାଇଁ ୱାଟ୍‌କୋ ପକ୍ଷରୁ ଦୁଇଟି ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ଯଦି କେଉଁ ଅଞ୍ଚଳରେ ଲୋକଙ୍କୁ ଠିକ୍ ସମୟରେ ପାଣି ମିଳୁନି, ପାଣିର ମାନ ଖରାପ ଅଛି ତେବେ ୧୮୦୦୩୪୫୬୭୮୩ କିମ୍ବା ୧୫୫୩୫୯ ନମ୍ବରରେ ଫୋନ୍‌ କରିପାରିବେ। ଅଭିଯୋଗ ପାଇବା ପରେ ତୁରନ୍ତ ସମାଧାନ କରାଯିବ। ଏପରିକି ଯେଉଁଠି ପାଣି କମ୍‌ ସମୟ ଦିଆଯାଉଛି ସେଠାରେ ସିନଟେକ୍ସ ଟାଙ୍କି କିମ୍ବା ପାଣି ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ। ତେଣୁ ଲୋକମାନେ ସେମାନଙ୍କ ଅଭିଯୋଗ ଆମ ନିକଟରେ ଆଗ ପହଞ୍ଚାଇବା ଦରକାର।

ସମ୍ବନ୍ଧିତ ଖବର