ଭୁବନେଶ୍ବର: କୋହଲା ପାଗ। ତା’ ସାଙ୍ଗକୁ କାଲୁଆ ପବନ ରାଜଧାନୀବାସୀଙ୍କୁ ଆଜି ଦିନତମାମ କଲବଲ କରିଛି। ଦିନରେ ବି ସୂର୍ଯ୍ୟଙ୍କ କିରଣ ଦେଖିବାକୁ ମିଳିନାହିଁ। ଦୁଇ ଦିନ ହେଲା କୋହଲା ପାଗ ରହିଥିବା ବେଳେ ଆଜି ତୁହାକୁ ତୁହା ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଗତକାଲି ରାତିରେ ସହରରେ ୫ ମିମି ବର୍ଷା ହେବା ପରେ ଆଜି ସକାଳୁ ସହର ପାଗର ମିଜାଜ୍ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲା। କୋହଲା ପାଗ ସାଙ୍ଗକୁ ପବନ ଓ ଝିପିଝିପି ବର୍ଷା ସହରବାସୀଙ୍କୁ ଘରେ ରହିବାକୁ ବାଧ୍ୟ କରିଥିଲା। ପବନ ସାଙ୍ଗକୁ ଝିପିଝିପି ବର୍ଷା ହେଉଥିବାରୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଖୁବ୍ କମ୍ ରହିଥିଲା। ହାଟ ଓ ବଜାର ପ୍ରାୟତଃ ଫାଙ୍କା ଥିଲା। ସକାଳୁ କାମକୁ ବାହାରିଥିବା ଶ୍ରମିକମାନଙ୍କ ଭିତରୁ ଅନେକ କାମ ନ ପାଇ ନିରାଶ ହୋଇଛନ୍ତି।
ତେବେ ଦିନ ସାରା କୋହଲା ପାଗ ରହିଥିବା ବେଳେ ସନ୍ଧ୍ୟାର ମଧ୍ୟମଧରଣର ବର୍ଷା ଦ୍ବାରା ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ଉଠାକୋଦାନୀଙ୍କଠାରୁ ଆରମ୍ଭ କରି ପରିବା ବଜାର, ମାର୍କେଟ୍ କମ୍ପ୍ଲେକ୍ସ ବ୍ୟବସାୟୀଙ୍କର ହଜାର ହଜାର ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ଲଗାଣ ବର୍ଷା ଯୋଗୁଁ ସହରର କେତେକ ସ୍ଥାନରେ କାମ ଚାଲୁଥିବାରୁ ଜଳବନ୍ଦି ପରି ସମସ୍ୟା ସୃଷ୍ଟି ହୋଇଥିଲା। ବାଇକ୍ ଚାଳକମାନେ ବର୍ଷାରୁ ରକ୍ଷା ପାଇଁ ରେନ୍କୋର୍ଟ ପିନ୍ଧିବେ ନା ଥଣ୍ଡାର ମୁକାବିଲା କରିବାକୁ ସ୍ବେଟର ବା ଜ୍ୟାକେଟ୍ ପିନ୍ଧିବେ, ଦ୍ବନ୍ଦ୍ବରେ ପଡ଼ିଥିଲେ। ଜୟଦେବବିହାର-ନନ୍ଦନକାନନ ରାସ୍ତା, କଟକ ରୋଡ, ଏଜି ଛକ, ଜନପଥ ଭଳି ସହରର କିଛି ସ୍ଥାନରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ଅନେକ ଅଞ୍ଚଳରେ ସନ୍ଧ୍ୟା ପରେ ମଧ୍ୟ ବର୍ଷା ଲାଗିରହିଥିବାରୁ ଲୋକେ ଥଣ୍ଡାରେ ଥରୁଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି ଯେ ଭୁବନେଶ୍ବର ସହରର ଦିନର ତାପମାତ୍ରା ସ୍ବାଭାବିକଠାରୁ ୮ ଡିଗ୍ରି ତଳେ ରହିଥିଲା। ଆଜିର ଦିନରେ ସହରର ସର୍ବୋଚ୍ଚ ତାପମାତ୍ରା ୨୯.୭ ଡିଗ୍ରି ରହିବା କଥା। ମାତ୍ର ଆଜି ୨୧.୭ ଡିଗ୍ରି ରହିଥିଲା। ଆଜି ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ୧ ମିମି ବର୍ଷା ହୋଇଥିବା ବେଳେ ଏହାପରେ ବର୍ଷା ପରିମାଣ ବଢ଼ିଥିଲା। ଅପରାହ୍ଣ ୫ଟା ୩୦ରୁ ରାତି ୮ଟା ୩୦ ଅର୍ଥାତ୍ ୩ ଘଣ୍ଟା ମଧ୍ୟରେ ୧୫.୪ ମିମି ବର୍ଷା ରେକର୍ଡ କରାଯାଇଛି। ରାତିରେ ଥଣ୍ଡା ଜାରି ରହିଥିବାରୁ ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଓଡ଼ିଶା ଉପକୂଳରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏଥିସହ ଏକ ନିମ୍ନଚାପ ରେଖା ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବାରୁ ରାଜ୍ୟର କେତେକ ସ୍ଥାନରେ କୋହଲା ପାଗ ସାଙ୍ଗକୁ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗିରହିଛି। ଗୁରୁବାରଠାରୁ ପାଗରେ ପରିବର୍ତ୍ତନ ଆସିବ। ଅପରାହ୍ଣ ସୁଦ୍ଧା ଆକାଶ ମେଘମୁକ୍ତ ହେବାର ସମ୍ଭାବନା ରହିଛି।