ଭୁବନେଶ୍ବର: ବିଶ୍ବ ପଖାଳ ଦିବସକୁ ଓଡ଼ିଶା ସମେତ ଦେଶ ବିଦେଶରେ ରହୁଥିବା ଓଡ଼ିଆମାନେ ମହାଉତ୍ସାହର ସହ ପାଳନ କରିଛନ୍ତି। ଆଜି ଭୁବନେଶ୍ବର ସମେତ ଓଡ଼ିଶାର ଅନେକ ଅଞ୍ଚଳରେ ପାଗ ମେଘୁଆ ଥିଲେ ମଧ୍ୟ ପଖାଳପ୍ରେମୀଙ୍କ ଉତ୍ସାହକୁ ଭାଙ୍ଗି ପାରି ନଥିଲା। ସାଧାରଣ ଲୋକଙ୍କଠାରୁ ଅନେକ ବିଶିଷ୍ଟ ବ୍ୟକ୍ତି ଏହାକୁ ନିଜଘରେ ପାଳନ କରିଥିବାବେଳେ ଅନେକ ଅନୁଷ୍ଠାନ ମଧ୍ୟ ପଖାଳ ଦିବସ ଆୟୋଜନ କରିଥିଲେ। କିଛି ବ୍ୟକ୍ତିବିଶେଷ ଏହି ଅବସରରେ ବନ୍ଧୁମିଳନ ଡାକି ପଖାଳରେ ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ପ୍ରମୁଖ ପଖାଳ ଦିବସ ପାଳନ କରିବା ସହ ସୋସିଆଲ୍ ମିଡିଆରେ ବାର୍ତ୍ତା ଦେଇଛନ୍ତି। ରାଜ୍ୟପାଳ ରଘୁବର ଦାସ ଲେଖିଛନ୍ତି ‘‘ଖରାଦିନେ ପଖାଳ ଭୋକ ଓ ଶୋଷ ମେଣ୍ଟାଇବା ସହ ଜରୁରି ପୋଷଣ ମଧ୍ୟ ଯୋଗାଇଥାଏ। ଶରୀରକୁ ଥଣ୍ଡା ରଖି ଅଂଶୁଘାତରୁ ସୁରକ୍ଷା ଦେଇଥାଏ। ପଖାଳ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।’’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି, ‘‘ଓଡ଼ିଆ ଖାଦ୍ୟ ସମ୍ଭାର ମଧ୍ୟରେ ପଖାଳର ସ୍ଥାନ ସର୍ବଦା ସ୍ୱତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ ଏବଂ ଏହା ଆମ ଖାଦ୍ୟ ବିବିଧତାର ଅନନ୍ୟ ପରିଚୟ। ପାରଂପରିକ ଖାଦ୍ୟ ଭାବେ ପ୍ରତି ଓଡ଼ିଆଙ୍କ ଭଳି ପଖାଳ ମଧ୍ୟ ମୋର ଅତିପ୍ରିୟ।’’ ପଖାଳ ଦିବସରେ ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନ୍ଧୁମାନଙ୍କ ସହ ପଖାଳ ଖାଇବାର ଫଟୋକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ତଥା ବିଶିଷ୍ଟ ସାମ୍ବାଦିକ ହରିବଂଶ ନାରାୟଣ ସିଂହ, ପୂର୍ବତନ ରାଷ୍ଟ୍ରଦୂତ ତରଣଜିତ୍ ସିଂହ ସିନ୍ଧୁ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବାସାଙ୍କ ସହ ପଖାଳ ଖାଇ ଖୁସିବ୍ୟକ୍ତ କରିବା ସହ ଏହି ଦିବସର ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ। ସେ ଲେଖିଛନ୍ତି, ‘‘ବନ୍ଧୁମାନଙ୍କ ସହ ପଖାଳ ଖାଇବାର ଖୁସି ନିଆରା। ପଖାଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟଖାଦ୍ୟ ମଧ୍ୟରୁ ଅନ୍ୟତମ। ଏହା ଆମ ଓଡ଼ିଶାର ସାଂସ୍କୃତିକ ପରିଚୟ ଓ ଖାଦ୍ୟପେୟ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ... ପ୍ରତ୍ୟେକ ଓଡ଼ିଆଙ୍କ ପ୍ରାଣ ପଖାଳ। ଏହା ଆମର ଅସ୍ମିତା ଓ ଖାଦ୍ୟପେୟର ଅନନ୍ୟ ପ୍ରତୀକ।’’ ଅନ୍ୟ ଜନନେତାମାନେ ମଧ୍ୟ ଏହି ଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ଅନେକ ନେତା ସୋସିଆଲ୍ ମିଡିଆରେ ନିଜ ପଖାଳ ଖାଇବାର ଫଟୋ ପୋଷ୍ଟ କରିଛନ୍ତି। ଅନେକ ଉଚ୍ଚ ଅଧିକାରୀ ମଧ୍ୟ ସେଭଳି ପଖାଳ ଫଟୋ ପୋଷ୍ଟ କରିଛନ୍ତି। ବିଦେଶରେ ଥିବା ଅନେକ ଓଡ଼ିଆ ନିଜ ନିଜ ପରିବାର ସହିତ ପଖାଳ ଖାଇବାର ଫଟୋକୁ ଫେସ୍ବୁକ୍ ଓ ଏକ୍ସରେ ପୋଷ୍ଟ କରିଛନ୍ତି। ସାଧାରଣ ପଖାଳପ୍ରେମୀ, ସଂସ୍କୃତିପ୍ରେମୀଙ୍କ ଫଟୋ ସହିତ ଏସବୁ ଫଟୋ ଆଜି ସୋସିଆଲ୍ ମିଡିଆକୁ ପଖାଳମୟ କରି ଦେଇଛି।
ସୁରଭାଇଙ୍କ ପଖାଳ ଦିବସରେ ଭିଡ଼
ବିଶ୍ବ ପଖାଳ ଦିବସ ଅବସରରେ ବିଧାୟକ ସୁରେଶ ରାଉତରାୟଙ୍କ ପୁରୁଣା ଭୁବନେଶ୍ବର ବାସଭବନରେ ଲାଗିଥିଲା ଭିଡ଼। ସକାଳ ୮ଟାରୁ ଆରମ୍ଭ ହୋଇଥିଲା ପଖାଳ ଖିଆପିଆ। ବିଧାୟକ ପୂରା ପରିବାର ସହ ଉପସ୍ଥିତ ରହି କଂଗ୍ରେସ ନେତା, ନିର୍ବାଚନ ମଣ୍ଡଳୀ ନେତା, ବନ୍ଧୁ ଓ ନିମନ୍ତ୍ରିତ ଅତିଥିଙ୍କୁ ସ୍ବାଗତ କରିବା ସହ ପଖାଳ ଖାଇବାକୁ ପାଛୋଟି ନେଉଥିଲେ। ଶ୍ରୀ ରାଉତରାୟଙ୍କ ସହ ପତ୍ନୀ ମାନି, ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ, ସାନପୁଅ ମନ୍ମଥ ରାଉତରାୟ ପ୍ରମୁଖ ଅତିଥିମାନଙ୍କୁ ପଖାଳ ବାଢ଼ି ଖାଇବାକୁ ଦେଉଥିବା ଦୃଶ୍ୟ ଥିଲା ନିଆରା। ଅତିଥିମାନଙ୍କ ସହ ବିଧାୟକ ଶ୍ରୀ ରାଉତରାୟ ନିଜେ ବସି ପଖାଳ ଖାଇବା ସହ କହିଥିଲେ, ‘‘ପଖାଳ ଆଗରେ ସବୁ ତୁଚ୍ଛ। ପଖାଳ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଭୋଗହୁଏ। ପଖାଳ ଖାଇଲେ ଶରୀର ସୁସ୍ଥ ହୁଏ। ଏଇ ଖାଦ୍ୟ ଖାଇ ଓଡ଼ିଆମାନେ ସାରା ବିଶ୍ବରେ ଓଡ଼ିଆଙ୍କ ନାମ ଉଚ୍ଚରେ ରଖିଛନ୍ତି। ପାଇକମାନେ ପଖାଳ ଖାଇ ଯୁଦ୍ଧ ଲଢ଼ୁଥିଲେ।’’ ତାଙ୍କ ପଖାଳ ଦିବସରେ ପଖାଳ ସହ ୧୬ ପ୍ରକାର ବ୍ୟଜ୍ଞନ ପ୍ରସ୍ତୁତ କରିଥିଲେ ସାଧୁ କୁମାର। ପ୍ରସ୍ତୁତିରେ ଦହି ପଖାଳ ସହ ଛତୁଭଜା, ସଜନା ଛୁଇଁ ବେସର, କାକୁଡ଼ି, ଜହ୍ନିଭଜା, ଆଳୁ-ବାଇଗଣ ଭର୍ତ୍ତା, ଶାଗ, ବଡ଼ିଚୁରା, ଚୁନା ମାଛଭଜା, ବଡ଼ ମାଛଭଜା, ଚିଙ୍ଗୁଡ଼ିଭଜା, ଆମ୍ବ ଚଟଣି, ଭେଣ୍ଡିଭଜା, କାକୁଡ଼ି, ଲେମ୍ବୁ, ଲଙ୍କା, କଖାରୁ ଫୁଲଭଜା, ଆଳୁଭର୍ତ୍ତା ଓ ନାନାଦି ପ୍ରକାର ମାଛଭଜା ହୋଇଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ପ୍ରଶାନ୍ତ ଚଂପତିଙ୍କ ସମେତ ଅନେକ ନେତା ଯୋଗଦେଇଥିଲେ।
ଏମ୍ପାୟାର୍ସ ହୋଟେଲ୍ରେ ପଖାଳ ମେଳା
ଏମ୍ପାୟାର୍ସ ହୋଟେଲ୍ରେ ମଧ୍ୟ ଆଜି ପଖାଳ ଦିବସ ପାଳନ କରାଯାଇଛି। ଏହି ଅବସରରେ ଉଭୟ ଆମିଷ ଓ ନିରାମିଷ ଭୋଜନର ବ୍ୟବସ୍ଥା କରାଯାଇଥିଲା। ନିରାମିଷ ପଖାଳ ଦାମ୍ ୬୬୬ ଟଙ୍କା ସହିତ ଜିଏସ୍ଟି ଥିବାବେଳେ ଆମିଷ ପଖାଳର ଦାମ୍ ୯୯୯ ଟଙ୍କା ସହ ଜିଏସ୍ଟି ରହିଥିଲା। ନିରାମିଷ ପଖାଳରେ ଅରୁଆ କିମ୍ବା ଉଷୁନା ପଖାଳ, ଭଜା, ଶାଗ, ଛୁଇଁ-ଆଳୁଭଜା, ଭର୍ତ୍ତା, ବଡ଼ିଚୁରା, ପିଆଜ, କାକୁଡ଼ି, କଞ୍ଚାଲଙ୍କା, ଚଟଣି, ପାମ୍ପଡ଼ ଓ ଗୋଟିଏ ମିଠା ଥିଲା। ଆମିଷ ପଖାଳରେ ଥିଲା ପଖାଳ ସହିତ ଭଜା, ଶାଗ, ଭର୍ତ୍ତା, ବଡ଼ିଚୁରା, ଚଟଣି, ପାମ୍ପଡ, ପିଆଜ, କାକୁଡ଼ି, କଞ୍ଚାଲଙ୍କା ଓ ମିଠା ସହିତ ମାଛଭଜା, ଚୁନା ମାଛଭଜା, ପୋହଳା ମାଛଭଜା, ରୋହି ମାଛଭଜା ଓ ଚିଙ୍ଗୁଡ଼ି ଭଜା ମଧ୍ୟରୁ ପସନ୍ଦର ଭଜା ଚୟନ କରିବାର ବିକଳ୍ପ। ଏଥି ସହିତ ଏମ୍ପାୟାର୍ସ ହୋଟେଲ୍ ପକ୍ଷରୁ ଗ୍ରୀଷ୍ମକାଳୀନ ସନ୍ତରଣ ତାଲିମ ଶିବିର ଆରମ୍ଭ କରାଯାଇଛି। ଜଣଙ୍କ ପିଛା ୪୦୦ ଟଙ୍କାର ଦୈନିକ ସଦସ୍ୟତା ରହିଛି। ୫ ଜଣିଆ ଗ୍ରୁପ୍ ପାଇଁ ୨୦ ପ୍ରତିଶତ ରିହାତି ରହିଛି। ତାହାର ଦାମ୍ ୨,୦୦୦ ଟଙ୍କା ବଦଳରେ ୧,୬୦୦ ଟଙ୍କା ରଖାଯାଇଛି। ପୁଲ୍ ସଦସ୍ୟତାର ବିଭିନ୍ନ ଦାମ୍ ରହିଛି। ମାସିକ, ତ୍ରୈମାସିକ ଓ ବାର୍ଷିକ ଭିତ୍ତିରେ ସଦସ୍ୟତା ହାସଲ କରିହେବ। ୫,୦୦୦ ଟଙ୍କାରୁ ଆରମ୍ଭ କରି ୫୦,୦୦୦ ଟଙ୍କା ପର୍ଯ୍ୟନ୍ତର ବିଭିନ୍ନ ପ୍ରକାର ପୁଲ୍ ସଦସ୍ୟତା ରହିଛି ବୋଲି ହୋଟେଲ୍ର ଉପସଭାପତି ସଞ୍ଜୟ ମିଶ୍ର କହିଛନ୍ତି।
ଦିଲ୍ଲୀରେ ‘ମିଳିତ ମହାମଞ୍ଚ’
ନୂଆଦିଲ୍ଲୀ ଓଡ଼ିଶା ନିବାସରେ ମିଳିତ ମହାମଞ୍ଚ ପକ୍ଷରୁ ବିଶ୍ବ ପଖାଳ ଦିବସରେ ଶତାଧିକ ଓଡ଼ିଆଙ୍କୁ ନେଇ ପାଳିତ ହୋଇଯାଇଛି। ଓଡ଼ିଶା ନିବାସ ପକ୍ଷରୁ ପ୍ରସ୍ତୁତ ସ୍ବତନ୍ତ୍ର ପଖାଳ ସହ ନାନାଦି ବ୍ୟଞ୍ଜନଗୁଡିକୁ ସମସ୍ତେ ଏକତ୍ର ଭୋଜନ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପରିବେଶବିତ୍ ବିପିନ ବିହାରୀ ମିଶ୍ର, ଉମେଶ ଖଣ୍ଡେଲୱାଲ, ଚିନ୍ମୟାନନ୍ଦ ବଡ଼ଜେନା, ସଞ୍ଜୟ ଗିରି, ଶରତ ସେଠୀ, ପ୍ରମୋଦ ନାୟକ, ମହେଶ୍ବର ମହାନ୍ତି, ଆଚାର୍ଯ୍ୟ ଅଭିମନ୍ୟୁ, ରୀତା ପାତ୍ର, ପ୍ରକାଶ ରଥ ଓ ପ୍ରକାଶ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ଏକାମ୍ର ହାଟରେ ‘ସଂଭାବନା’
‘ସଂଭାବନା’ ଅନୁଷ୍ଠାନ ପକ୍ଷରୁ ବିଶ୍ବ ପଖାଳ ଦିବସ ଏକାମ୍ର ହାଟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ଥର ଏଥିରେ ଅଂଶଗ୍ରହଣ କରିଥିବା ଓଡ଼ିଆଣୀମାନେ ନିଜନିଜ ଘରୁ ପ୍ରସ୍ତୁତ କରିଥିବା ବ୍ୟଞ୍ଜନ ଆଣିଥିଲେ। ସଂଭାବନା ପାଇଁ ହୋଟେଲ୍ ପତ୍ରପୋଡ଼ା ପକ୍ଷରୁ ପ୍ରସ୍ତୁତ ସ୍ବତନ୍ତ୍ର ପଖାଳ ସହ ଏହି ବ୍ୟଞ୍ଜନଗୁଡିକୁ ସମସ୍ତେ ଏକତ୍ର ଭୋଜନ କରିଥିଲେ। ଏହା ମଧ୍ୟରେ ଥିଲା ବଡ଼ିଚୁରା, ଆଳୁଭର୍ତ୍ତା, ସଜନା ଶାଗଭଜା, ପୋଟଳଭଜା, କଖାରୁ ଫୁଲଭଜା, ନିମକଢ଼, ଛତୁପୋଡା, ପିଠଉ ପଣସଭଜା, ବାଇଗଣ ପୋଡା ଆଦି। କାର୍ଯ୍ୟକ୍ରମରେ ସଂପାଦକ ଦେବ ପ୍ରସାଦ ପରିଜାଙ୍କ ସମେତ ‘ସଂଭାବନା’ର ଟ୍ରଷ୍ଟି ସ୍ମୃତି ମହାନ୍ତି, ଯୁଗ୍ମସଂପାଦିକା ମୀନାକ୍ଷୀ ପଟ୍ଟନାୟକ, ଯୁଗ୍ମସଂପାଦକ ପ୍ରଫୁଲ୍ଲ ଦେ, କାର୍ଯ୍ୟକ୍ରମ ସଂପାଦିକା ରଶ୍ମିତା ରଥ ଓ ଜ୍ୟୋସ୍ନାମୟୀ ସେନାପତିଙ୍କ ସହିତ ବିଭିନ୍ନ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀମାନେ ଅଂଶଗ୍ରହଣ କରିଥିଲେ।