ଦୋହଲିଯାଇଛି ବିବାହ ଶିଳ୍ପ: ବିବାହ ଋତୁରେ ବି କ୍ଷତିରେ ବ୍ୟବସାୟୀ

ଭୁବନେଶ୍ବର: ସମୁଦ୍ର କୂଳରେ ବେଦି ପ୍ରାୟ ସଜା ହେଉନି। ପାହାଡ଼ ଉପରେ ଫଟୋସୁଟ୍‌ର ଟ୍ରେଣ୍ଡ କମିଛି। ଥିମ୍‌କୁ ନେଇ ବିବାହ, ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରୁନି। ୪ ମାସ ପରେ ବିବାହ ଋତୁ ପଡ଼ିଥିଲେ ବି ଆଗ ଭଳି ବିବାହକୁ ଉତ୍ସବ ଭଳି ଆଉ ପାଳନ କରାଯାଉନି। କରୋନା ସମସ୍ତ ବୃତ୍ତିର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଏଥିରୁ ମୁକୁଳି ପାରିନି ବିବାହ ଶିଳ୍ପ।

ବିଭିନ୍ନ ଥିମ୍‌କୁ ନେଇ ଆତ୍ୟାଧୁନିକ ଡେଷ୍ଟିନେସନ୍‌ ୱେଡିଂ ହେଉ କି ବିବାହ ଫଟୋଗ୍ରାଫି; କରୋନା ଯୋଗୁଁ ଏସବୁ ଶିଳ୍ପ ନିଜ ଲୋକପ୍ରିୟତା ହରାଇଥିବା ବେଳେ ରୋଜଗାର ବି କମିଥିବା ବ୍ୟବସାୟୀମାନେ କହିଛନ୍ତି। କରୋନା ପୂର୍ବରୁ ଦିନକୁ ଦିନ ଟ୍ରେଣ୍ଡ କରୁଥିବା ଡେଷ୍ଟିନେସନ୍‌ ୱେଡିଂ ଓ ବିବାହ ଫଟୋଗ୍ରାଫି ଏବେ ସମ୍ପୂର୍ଣ୍ଣ ଫିକା ପଡ଼ିଛି। ପୁଣି କରୋନାର ସମ୍ଭାବ୍ୟ ତୃତୀୟ ଲହର ଓ ଓମିକ୍ରନ୍‌ ଭାରିଆଣ୍ଟର ଭୟ ଏହି ଶିଳ୍ପକୁ ନିରାଶ କରିଛି।
୨୦୧୭ ଆଡ଼କୁ ଓଡ଼ିଶାରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା ଥିମ୍‌ ବିବାହ। ବିଭିନ୍ନ ଥିମ୍‌କୁ ନେଇ ଫଟୋସୁଟ୍‌, ସାଜସଜ୍ଜା ଓ ଡେଷ୍ଟିନେସନ୍‌ ୱେଡିଂ ଯୁବପିଢ଼ିଙ୍କୁ ଅଧିକ ଆକର୍ଷିତ କରୁଥିଲା।

ବିବାହର ବହୁ ଦିନରୁ ପ୍ରସ୍ତୁତି ଆରମ୍ଭ କରାଯିବା ସହ ହାତଖୋଲା ଖର୍ଚ୍ଚ କରିବାକୁ କେହି ପଛାଉ ନଥିଲେ। କିନ୍ତୁ କରୋନା ପରବର୍ତ୍ତୀ ସମୟରେ ଦରଦାମ୍‌ ବୃଦ୍ଧି, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଓ କରୋନା କଟକଣା ଏସବୁରେ ବିରତି ଲଗାଇଛି। ଦେଢ଼ ବର୍ଷ ହେଲା ବିବାହ ଶିଳ୍ପ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ବର୍ତ୍ତମାନ ବିବାହ ଋତୁ ଚାଲିଥିଲେ ବି ଆଗ ଅପେକ୍ଷା ବେପାର ପ୍ରାୟ ୫୦% କମିଯାଇଛି। ଡେଷ୍ଟିନେସନ୍‌ ୱେଡିଂର ଚାହିଦା କମିଯାଇଥିବା ବେଳେ ଫଟୋଗ୍ରାଫି ଶିଳ୍ପ ବି କ୍ଷତିରେ ଚାଲିଛି ବୋଲି ଜଣାପଡ଼ିଛି।

୨୦୧୫ ମସିହା ଆଡ଼କୁ ଓଡ଼ିଶାରେ ଲୋକପ୍ରିୟ ହେବାରେ ଲାଗିଲା ଡେଷ୍ଟିନେସନ୍‌ ୱେଡିଂ। ଓଡ଼ିଶାର ପୁରୀ, କୋଣାର୍କ, ଗୋପାଳପୁର ଓ ରାମଚଣ୍ଡୀ ବିଶେଷକରି ସମୁଦ୍ରକୂଳିଆ ଅଞ୍ଚଳଗୁଡ଼ିକ ଏଥିପାଇଁ ଚାହିଦାରେ ରହିଲା। ଶୀତ ଦିନେ ସମୁଦ୍ର କୂଳରେ ଭୋଜି ଆୟୋଜନର ନିଆରା ମଜ‌ା କେହି ହାତ ଛଡ଼ା କରିବାକୁ ଚାହୁ ନଥିଲେ। ଏଣୁ ଧୀ‌ରେଧୀରେ ଏହାର ଚାହିଦା ବଢ଼ିଥିଲା ଓ ୨୦୧୭ ଆଡ଼କୁ ରାଜ୍ୟରେ ଡେଷ୍ଟିନେସନ୍‌ ୱେଡିଂ ଏକ ଲାଭଜନକ ବ୍ୟବସାୟ ଭାବେ ଉଭା ହୋଇଥିଲା। କିନ୍ତୁ ୨୦୨୦ ମାର୍ଚ୍ଚ ଆଡ଼କୁ ମହାମାରୀ କରୋନା ଏସବୁରେ ଭଟ୍ଟା ପକାଇ ଦେଇଥିଲା।

୫୦%ରୁ ଅଧିକ କ୍ଷତିରେ ଡେଷ୍ଟିନେସନ୍‌ ୱେଡିଂ ଶିଳ୍ପ
ଡେଷ୍ଟିନେସନ୍‌ ୱେଡିଂ ପାଇଁ ସବୁଠୁ ବଡ଼ କଣ୍ଟା ହୋଇଛି କରୋନା କଟକଣା। ଆୟୋଜକମାନେ ଏତେ ବଡ଼ ଆୟୋଜନ କରିବେ କିନ୍ତୁ ଚାହୁଁଥିବା ସବୁ ଲୋକଙ୍କୁ ଡାକି ପାରିବେନି, ଏଣୁ ଡେଷ୍ଟିନେସନ୍‌ ୱେଡିଂ ଅପେକ୍ଷା ହୋଟେଲ କିମ୍ବା କଲ୍ୟାଣ ମଣ୍ଡପରେ ବିବାହ କରିବାକୁ ଅଧିକ ପସନ୍ଦ କରୁଛନ୍ତି। କରୋନା ସମୟରେ ବ୍ୟବସା‌ୟ ବନ୍ଦ ଯୋଗୁଁ ଆମେ କର୍ମଚାରୀମାନଙ୍କ ଦରମା ଦେବାରେ ଅକ୍ଷମ ହେଲୁ। ଏଣୁ ଏବେ କମ୍‌ ଲୋକ ନେଇ କାମ କରୁଛୁ। ପୂର୍ବରୁ ଯେଉଁଭଳି ଭାବେ ବିଭିନ୍ନ ଥିମ୍‌ ଓ କନ୍‌ସେପ୍ଟକୁ ନେଇ ବିବାହ ଯୋଜନା ହେଉଥିଲା, ‌ଏବେ ସେଭଳି କିଛି ହେଉନାହିଁ।

ଗ୍ରାହକମାନେ ସୀମିତ ସାଜସଜ୍ଜା ଭିତରେ ଏକ ସୀମିତ ବଜେଟରେ ନିଜ ବିବାହ ମଣ୍ଡପ ଯୋଜନା କରୁଛନ୍ତି। ଆଗରୁ ଡେଷ୍ଟିନେସନ୍‌ ୱେଡିଂର ବଜେଟ ୨.୫ ଲକ୍ଷରୁ ଆରମ୍ଭ ହେଉଥିଲା। କିନ୍ତୁ ଏବେ ତାହା ୯୫ ହଜାର କିମ୍ବା ୧ ଲକ୍ଷକୁ ଖସି ଯାଇଛି। ସେହିଭଳି ନିର୍ବନ୍ଧ, ଜନ୍ମଦିନ କିମ୍ବା ବିବାହ ବାର୍ଷିକୀ ପାର୍ଟିର ସାଜସଜ୍ଜା ପାଇଁ ୬୦ରୁ ୭୦ ହଜାର ଟଙ୍କା ରହିଥିବା ବେଳେ ଏବେ ସେହି ଥିମ୍‌ ସାଜସଜ୍ଜା ଆମକୁ ୩୫ହଜାରରେ କରିବାକୁ ପଡ଼ୁଛି। ଅର୍ଥାତ ୫୦%ରୁ ଅଧିକ ବ୍ୟବସା‌ୟ କ୍ଷତିଗ୍ରସ୍ତ ହୋଇଥିଲା। ଗୋଟିଏ ବିବାହ ଋତୁରେ କେବଳ ପୁରୀ ଓ ଗୋପାଳପୁରରେ ଡେଷ୍ଟିନେସନ୍‌ ୱେଡିଂରେ ୧ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରୁଥିବା ବେଳେ ୩୫ରୁ ୪୫ ଲକ୍ଷ ଟଙ୍କ‌ାକୁ ଖସିଯାଇଛି।
ନୀରଜ କୁମାର ସାହୁ, ସତ୍ତ୍ବାଧିକାରୀ, ଆମାଷ୍ଟ୍ରୋ ଇଭେଣ୍ଟ୍‌ସ୍‌

ପ୍ରି, ପୋଷ୍ଟ୍‌ ୱେଡିଂ ଫଟୋ ସୁଟ୍‌ର ଚାହିଦା ସମ୍ପୂର୍ଣ୍ଣ କମିଛି
ଫଟୋ ସୁଟ୍‌ ପାଇଁ ଏବେ ବି ବହୁ ସ୍ଥାନରେ କଟକଣା ରହିଛି। କିଛି ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାରୁ କପଲ୍‌-ଫଟୋସୁଟ୍ ସମ୍ଭବ ହେଉନାହିଁ। କରୋନା ସମସ୍ତଙ୍କ ଆର୍ଥିକ ସ୍ଥିତି ଦୋହଲାଇ ଦେଇଥିବାରୁ ଏବେ ପ୍ରାୟ ଗ୍ରାହକ କମ୍‌ ବଜେଟ୍‌ରେ ଫଟୋସୁଟ୍‌ ଚାହୁଁଛନ୍ତି। ଫଟୋଗ୍ରାଫର୍‌ମାନେ ଚଳିବା ପାଇଁ ବାଧ୍ୟ ହୋଇ କମ୍‌ ବଜେଟ୍‌ରେ ଫଟୋ ସୁଟ୍‌ କରୁଛନ୍ତି। ପୁଣି ପ୍ରି, ପୋଷ୍ଟ୍‌ ୱେଡିଂ ଫଟୋ ସୁଟ୍‌ର ଚାହିଦା ଏବେ ବିଲ୍‌କୁଲ ନାହିଁ ବୋଲି କହିହେବ। ଫଟୋଗ୍ରାଫର୍ସ ମହାସଂଘ ଅଫ୍‌ ଓଡ଼ିଶା (ପିଏମ୍‌ଓ)ରେ ପଞ୍ଜୀକୃତ ଫଟୋଗ୍ରାଫର୍‌ଙ୍କ ସଂଖ୍ୟା ଅନୁସାରେ ୮୦୦୦ ଫଟୋଗ୍ରାଫର୍‌ ଓଡ଼ିଶାରେ ଅଛନ୍ତି।

ଏହାମଧ୍ୟରୁ କିଛି ଫଟୋଗ୍ରାଫର୍‌ ଏକ ବିବାହ ପାଇଁ ୨.୫ରୁ ୩ ଲକ୍ଷ ଟଙ୍କା ନେଉଛନ୍ତି ଓ କିଛି ଫଟୋଗ୍ରାଫର୍‌ ୩୦ରୁ ୩୫ ହଜାର ବି ନେଉଛନ୍ତି। ତେବେ ଏହି ରୋଜଗାୟ ସମ୍ପୂର୍ଣ୍ଣ ୫୦%କୁ ଖସିଯାଇଛି। ବାର୍ଷିକ ଯିଏ ୩୫ରୁ ୪୦ ଲକ୍ଷ ରୋଜଗାର କରୁଥିଲା ଏବେ ତାହା ୧୫ ଲକ୍ଷକୁ କମିଯାଇଛି।
ସତ୍ୟ, ସମ୍ପାଦକ, ଫଟୋଗ୍ରାଫର୍ସ ମହାସଂଘ ଅଫ୍‌ ଓଡ଼ିଶା

ସମ୍ବନ୍ଧିତ ଖବର