ଫିକା ପଡ଼ିବ ବିବାହ ଋତୁ: ଲକଡାଉନ୍‌ ପରେ ବି ଅନୁମତି ମିଳିବ କି ନାହିଁ ସନ୍ଦେହ

ହାତ ବାନ୍ଧି ବସିଛନ୍ତି କ୍ୟାଟରିଂବାଲା, ଫୁଲ ‌ଦୋକାନୀ, ବିୟୁଟି ପାର୍ଲର, ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥା, ଟେଣ୍ଟ ସଂସ୍ଥା, ଫଟୋ ଓ ଭିଡିଓଗ୍ରାଫର୍‌

ଭୁବନେଶ୍ବର: ଚୈତ୍ର ମାସ ସରିବ। ନୂଆ ପାଞ୍ଜି ବାହାରିଲେ ଭଲ ତିଥିଟିଏ ଦେଖି ପୁଅ ଝିଅ ବାହାଘର କରିବା। ଏଭଳି ‌ବହୁ ଯୋଜନା କରିଥିବା ବାପା ମା’ଙ୍କ ସବୁ ଯୋଜନାକୁ ପଣ୍ଡ କରିଦେଇଛି କରୋନା ମହାମାରୀ। ଖାଲି ସେତିକି ନୁହେଁ, ତିଥି ଲଗ୍ନ ଦେଖି ବୈଶାଖ ଜ୍ୟେଷ୍ଠରେ ବିବାହ ମହୁରତ ବାହାର କରି କଲ୍ୟାଣ ମଣ୍ଡପ ବୁକିଂ, କାର୍ଡ ଛପାଇବାକୁ ବରାଦ ଦେବା, କ୍ୟାଟରିଂକୁ ଯୋଗାଯୋଗ କରିବା ଯୋଜନା ହୋଇଥିଲା। ଟେଣ୍ଟ ବାଲା, ଫୁଲ ବାଲା ଆଦିକୁ ମନ ପସନ୍ଦର ବରାଦ ଦେବା ପରେ ହଠାତ୍‌ ଘୋଷଣା ହୋଇଗଲା ଲକ୍‌ଡାଉନ୍‌। ମଣ୍ଡପ ବୁକିଂ ତ’ ବାତିଲ ହେଲା ତା’ ସହ ବିବାହ ବି। ବିବାହ ଋତୁରେ ଭଲ ଟିକେ ବ୍ୟବସାୟ କରିବାକୁ ଗୋଡ଼ ଟେକି ବସିଥିବା କ୍ୟାଟରିଂ ବାଲା, ଫୁଲ ‌ଦୋକାନୀ, ବିୟୁଟି ପାର୍ଲର, ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥା, ଟେଣ୍ଟ ସଂସ୍ଥା, ଫଟୋ ଓ ଭିଡିଓଗ୍ରାଫର୍‌ ଆଦି ହାତ ବାନ୍ଧି ବସିଛନ୍ତି।

ଆଜିଠାରୁ ଅର୍ଥାତ ୧୭ଏପ୍ରିଲରୁ ବିବାହ ଋତୁ ଆରମ୍ଭ ହୋଇଯାଉଛି। ଏପ୍ରିଲ ୩୦ ସୁଦ୍ଧ‌ା ବିବାହ ପାଇଁ ୫ଟି ଓ ବ୍ରତଘର ପାଇଁ ୨ଟି ଲଗ୍ନ ଥିବାରୁ ଲକ୍‌ଡାଉନ୍‌ ଯୋଗୁଁ ଏସବୁ ବାତିଲ ହୋଇଯାଇଛି। ସେହିପରି ମେ’ ମାସରେ ମଧ୍ୟ ୬ଟି ବିବାହ ଲଗ୍ନ ଓ ୩ଟି ବ୍ରତଘର ଲଗ୍ନ ରହିଛି। କିନ୍ତୁ ମେ’ ୩ରେ ଲକ୍‌ଡାଉନ୍‌ ଉଠିବ କି ନାହିଁ, ଉଠିଲେ ବି ସାମାଜିକ ଦୂରତା କେତେ ଦିନ ବଳବତ୍ତର ରହିବ ଓ ବିବାହ କାର୍ଯ୍ୟ ପାଇଁ ଅନୁମତି ଦିଆଯିବ କି ନାହିଁ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଏଣୁ ମେ’ ମାସରେ ବି ବିବାହ ହୋଇପାରିବ କି ନାହିଁ ସେ ନେଇ ଦ୍ବନ୍ଦ୍ବ ରହିଛି। ଏଥିପାଇଁ କିନ୍ତୁ ଲକ୍‌ଡାଉନ୍‌ ସମୟ ପର୍ଯ୍ୟନ୍ତ ବିଏମ୍‌ସିର ସମସ୍ତ କଲ୍ୟାଣ ମଣ୍ଡପର ବୁକିଂ ବାତିଲ କରି ଦିଆଯାଇଛି। ଅନ୍ୟ ସମସ୍ତ ଘରୋଇ କଲ୍ୟାଣ ମଣ୍ଡପର ବି ସ୍ଥିତି ସେହିଭଳି। ବେପାର ସମୟ‌ରେ ତାଲା ପଡ଼ିଥିବାରୁ ଏବେ ସମସ୍ତେ ମୁଣ୍ଡରେ ହାତ ଦେଲେଣି। ଖାଲି ବିବାହ ନୁହେଁ, ରିସେପସନ୍‌ ପାଇଁ ମଧ୍ୟ ମାସର ଅଧିକାଂଶ ଦିନ ମଣ୍ଡପ ବୁକିଂ ହୋଇ ରହିଥିଲା।

ଚଳିତ ବିବାହ ଋତୁ ପାଇଁ ବୁକିଂ ଆରମ୍ଭ ହୋଇଯାଇଥିଲା। ଏହି ଏପ୍ରିଲରେ ୫ଟି ଓ ମେ’ ମାସରେ ୧୧ଟି ବାହାଘର ଓ ରିସେପ୍‌ସନ୍‌ ପାଇଁ ମଣ୍ଡପ ବୁକ୍‌ ହୋଇଥିଲା। କିନ୍ତୁ ଏଭଳି ସ୍ଥିତି‌ରେ ଭୋଜିଭାତ ଅସମ୍ଭବ ପରି ଲାଗୁଥିବାରୁ ଗ୍ରାହକ କେହି ଫୋନ୍‌ କରିନାହାନ୍ତି। ଲକ୍‌ଡାଉନ୍‌ ସରିଲେ ଗ୍ରାହକଙ୍କ ଇଚ୍ଛା ଅନୁଯାୟୀ ବୁକିଂ ତାରିଖକୁ ପରିବର୍ତ୍ତନ କରାଯିବ କିମ୍ବା ସେମାନେ କହିଲେ ବୁକିଂ ବାତିଲ କରି ଟଙ୍କା ଫେରାଇ ଦିଆଯିବ। ଠିକ୍‌ ବେପାର ସମୟରେ ଏଭଳି ମହାମାରୀ ସତରେ ଚିନ୍ତା ବଢ଼ାଇ ଦେଇଛି। କେବଳ ସ୍ଥିତି ସୁଧୁରିବାକୁ ଅପେକ୍ଷା।
-ଆଲୋକ ପ୍ରଧାନ, ସତ୍ତ୍ବାଧିକାରୀ, ଚତୁର୍ଭୁଜ କଲ୍ୟ‌ାଣ ମଣ୍ଡପ, ବରଗଡ଼ କେନାଲ ରୋଡ୍‌

ଚୈତ୍ର ମାସରେ ବିବାହ ବନ୍ଦ ରହିଥିଲା। ଏକ ମାସ ପରେ ବିବାହ ଋତୁ ଆସିଥିବାରୁ ଭଲ ରୋଜଗାର ହେବ ବୋଲି ଭାବିଥିଲୁ। ଏପ୍ରିଲ ୧୭ରୁ ମେ’ ପର୍ଯ୍ୟନ୍ତ ସମୁଦାୟ ୧୨ଟି ବୁକିଂ ଥିଲା। କିନ୍ତୁ ଲକ୍‌ଡାଉନ୍‌ ପାଇଁ ସବୁ ବାତିଲ କରିବାକୁ ପଡ଼ୁଛି। ପୁଣି କାର୍ଯ୍ୟକ୍ରମ ମାନେ ହିଁ ଭିଡ଼। ଏଥିପାଇଁ ଲାଗୁଛି ଯେଉଁ ପର୍ଯ୍ୟନ୍ତ କରୋନାର ଟିକା ନ ବାହାରିଛି ସେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ ଆୟୋଜନର ଅନୁମତି ଦିଆଯିବ ନାହିଁ। ଫଳରେ ଆମ ଭଳି ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାରେ ନିଜ ଗୁଜୁରାଣ ମେଣ୍ଟାଉଥିବା ଲୋକମାନେ ଏବେ ବହୁ କ୍ଷତିଗ୍ରସ୍ତ ହେବେ। ଏବେ ୧୨ଟି ବୁକିଂ ବାତିଲ ଯୋଗୁଁ ୨୦ ଲକ୍ଷ ଟଙ୍କାର କ୍ଷତି ହୋଇସାରିଲାଣି। ବିବାହଠାରୁ ଆରମ୍ଭ କରି କର୍ପୋରେଟ କାର୍ଯ୍ୟକ୍ରମ ସବୁ ବାତିଲ ହେଉ ଥିବାରୁ ଏବେ କେବଳ କ୍ଷତିରେ ହିଁ ଚାଲିବାକୁ ପଡ଼ିବ।
-ପୱନ କୁମାର, ସ୍ବତ୍ତ୍ବାଧିକାରୀ, ସାଇନିଂ ଇଭେଣ୍ଟ୍‌ସ୍‌

ବିବାହ ଋତୁ ହିଁ ଫୁଲ ବ୍ୟବସାୟର ସବୁଠାରୁ ଭଲ ସମୟ। ବର୍ଷର ୬ମାସ ବିବାହ ଋତୁ, ଏହି ସମୟରେ ହିଁ ଆମେ ଯାହା ବ୍ୟବସାୟ କରିଥାଉ। ବାକି ସମୟ ଅନ୍ୟ କିଛି କାର୍ଯ୍ୟକ୍ରମରେ ହିଁ ଅଳ୍ପ କିଛି ଟଙ୍କା ରୋଜଗାର ହୁଏ। କିନ୍ତୁ ଲକଡାଉନ୍‌ ଯୋଗୁଁ ଓ ବିବାହ ଓ ବ୍ରତଘର ସବୁ ବାତିଲ ହୋଇଯିବା ଯୋଗୁଁ ଏବର୍ଷ ବେପାର ପୂରା ମାନ୍ଦା। ଗତ ବର୍ଷଗୁଡ଼ିକରେ ବିବାହ ଋତୁରେ ଯାହା କିଛି ବେପାର ହେଉଥିଲା। କିନ୍ତୁ ଚଳିତ ବର୍ଷ କେବଳ କ୍ଷତି ହିଁ କ୍ଷତି। ସେମିତିରେ ବି ହଠାତ୍‌ ଲକ୍‌ଡାଉନ୍‌ ଯୋଗୁଁ ଦୋକାନରେ ଥିବା ୨୫/୩୦ ହଜାର ଟଙ୍କାର ଫୁଲ ନଷ୍ଟ ହୋଇଗଲା।
-ବିଭୂତି ଭୂଷଣ ସ୍ବାଇଁ, ସମ୍ପାଦକ, ଭୁବନେଶ୍ବର ଫ୍ଲୋରିଷ୍ଟ ଆସୋସିଏସନ୍‌

ମେକ୍‌ଅପ୍‌ର ଚାହିଦା ସବୁବେଳେ ରହିଥିବା ବେଳେ ବିବାହ ଋତୁରେ ଏହାର ଚାହିଦା ବଢ଼ିଯାଏ। ଏହି ସମୟରେ ଭଲ ବେପାର ବି ହୁଏ। ମୋ ପାଖରେ ଏବେ ଏପ୍ରିଲ ପାଇଁ ବ୍ରାଇଡାଲ ମେକ୍‌ଅପ୍‌ର ୩ଟି ବୁକିଂ ଥିଲା। ୨୫ ହଜାର ଅଗ୍ରୀମ ବି ମିଳିଥିଲା। କିନ୍ତୁ କରୋନା ଯୋଗୁଁ ସବୁ ବାତିଲ ହୋଇଗଲା। ଜୁଲାଇ ଯାଏ ବିବାହ ଋତୁ ରହିଛି। ସେ ଭିତରେ ବି କିଛି ନ ସୁଧୁରିଲେ ଚଳିତ ବର୍ଷ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିବ।
-ପ୍ରମୋଦ ପାଇକରାୟ, ମେକ୍‌ଅପ୍‌ ଆର୍ଟିଷ୍ଟ

ସମ୍ବନ୍ଧିତ ଖବର