ପଶ୍ଚିମ ଜଳୁଛି, ରାଜଧାନୀ ଥଣ୍ଡା: ସକାଳେ, ସନ୍ଧ୍ୟାରେ ଶୀତଳ ପବନର ମଜା

ତିନି ଦିନ ହେଲା ସହରର ତାପମାତ୍ରା ୩୪ ଡିଗ୍ରି

ଭୁବନେଶ୍ବର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଜଳୁଛି। ୧୪ଟି ସହରର ତାପମାତ୍ରା ୪୦ ଟପିଗଲାଣି। କିଛି ସ୍ଥାନରେ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ବା ଅଂଶୁଘାତ ସତର୍କତା ଜାରି ହୋଇଛି। କିନ୍ତୁ ରାଜଧାନୀ ଏହି ହିଟ୍‌ ୱେଭ୍‌ ପ୍ରକୋପରୁ ବର୍ତ୍ତି ଯାଇଛି। ସକାଳୁ ସକାଳୁ ମେଘୁଆ ପାଗ ସହ ଥଣ୍ଡା ଥଣ୍ଡା ପବନ ଲୋକଙ୍କୁ ଆଶ୍ବସ୍ତି ଦେଉଛି। ଦିନତମାମ୍‌ ବି ଅସହ୍ୟ ଗରମ ନାହିଁ। ଏଥିସହିତ ସନ୍ଧ୍ୟାରେ ବହୁଥିବା ଦକ୍ଷିଣା ଥଣ୍ଡା ପବନ ରାଜଧାନୀର ପରିବେଶକୁ ଆହୁରି ମନଲୋଭା କରୁଛି। ଗତ ୧୦ ବର୍ଷ ହେଲା ମେ’ ମାସର ତୃତୀୟ ଓ ଚତୁର୍ଥ ସପ୍ତାହରେ ରାଜଧାନୀ‌ରେ ଗ୍ରୀଷ୍ମର ପ୍ରକୋପ ଅସହ୍ୟ ହେଉଥିଲା। କିନ୍ତୁ ଚଳିତ ବର୍ଷ ମେ’ ୧୯ ଠାରୁ ରାଜଧାନୀର ତାପମାତ୍ରା କମ୍‌ ରହିଛି। ଗତ ତିନି ଦିନ ହେଲା ସହରର ତାପମାତ୍ରା ପ୍ରାୟ ୩୪ ଡିଗ୍ରି ରହୁଛି। ସାଧାରଣତଃ ଜୁନ୍‌ ମାସରେ ରାଜ୍ୟରେ ‌ପ୍ରାକ୍‌ ମୌସୁମି ବର୍ଷା ଯୋଗୁଁ ତାପମାତ୍ରା କମ୍‌ ଅନୁଭୂତ ହୁଏ। କିନ୍ତୁ ଏବେ ପ୍ରାକ୍‌ ମୌସୁମି ବର୍ଷା ନ ଥିଲେ ବି ରାଜଧାନୀରେ ତାତି କମ୍‌ ରହିଛି। ବେଳେବେଳେ ପବନର ବେଗ ୩୦ କିମିରୁ ଅଧିକ ରହୁଥିବାରୁ ତାତି ପ୍ରକୋପ କମି ଯାଇଛି।

ରାଜଧାନୀର ଏହି ପାଗ ଲୋକଙ୍କୁ ବେଶ୍‌ ସୁହାଉଛି। କରୋନା କଟକଣା ପାଇଁ ପାର୍କ ବନ୍ଦ ଥିବାରୁ ମର୍ଣ୍ଣିଂୱାକ୍ ଓ ଅପରାହ୍‌ଣରେ ଟିକେ ଅବସର ସମୟ କାଟିବାକୁ ଲୋକ ହଇରାଣ ହେଉଥିଲେ। କିନ୍ତୁ ତିନି ଦିନ ହେଲା ପାର୍କ ଖୋଲିଛି। ଲୋ‌କେ ପାର୍କ ବୁଲିବାକୁ ବାହାରିଛନ୍ତି। ଏତିକିବେଳେ ଥଣ୍ଡା ପବନ ବହୁଥିବାରୁ ଲୋକମାନେ ବେଶ୍ ଆଶ୍ବସ୍ତ ହୋଇଛନ୍ତି। ଏକ ଦଶନ୍ଧି ପୂର୍ବରୁ ସନ୍ଧ୍ୟାରେ ସହରବାସୀ ଏମିତି ଥଣ୍ଡା ପବନର ମଜା ଅନୁଭବ କରୁଥିଲେ ବୋଲି ବହୁ ଲୋକ କହିଛନ୍ତି। ଆଞ୍ଚଳିକ ପାଣିପାଗ ବିଭାଗର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଜଳୁଥିଲେ ବି ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ତାପମାତ୍ରା କମ୍‌ ରହିଛି। ଏହାର କାରଣ ହେଉଛି ବାୟୁମଣ୍ଡଳୀୟ ଚାପରେ ଦେଖା ଯାଉଥିବା ତାରତମ୍ୟ। ବଙ୍ଗୋପସାଗର ଓ ସ୍ଥଳ ଭାଗ ବା ଉପକୂଳ ଅଞ୍ଚଳରେ ବାୟୁମଣ୍ଡଳୀୟ ଚାପର ତାରତମ୍ୟ ୮ ମିଲିବାର ରହୁଛି। ଏହାର ପ୍ରଭାବରେ ରାଜଧାନୀ ସମେତ ଉପକୂଳ ଓଡ଼ିଶାରେ ଦିନରେ ପାଗ ମେଘୁଆ ରହିବା ସହ ପବନ ବହୁଛି। ରାତି ବେଳକୁ ଏହି ଚାପର ତାରତମ୍ୟ ଆହୁରି ବଢ଼ିଯାଉଛି। ଫଳରେ ସଂଧ୍ୟାରୁ ପବନର ବେଗ ବଢ଼ିଯାଉଛି ଓ ୩୦ରୁ ୩୨ କିମି ବେଗରେ ପବନ ବହୁଛି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ସହ ସାମୁଦ୍ରିକ ବାତ୍ୟା ଅମ୍ଫାନର କୌଣସି ସମ୍ପର୍କ ନାହିଁ। ଏବେ ଓଡ଼ିଶା ଉପରେ ବାୟୁମଣ୍ଡଳୀୟ ଚାପ ୧୦୦୬ ମିଲିବାର ରହିଛି। ବିହାର ଓ ଝାଡ଼ଖଣ୍ଡରେ ଏହି ଚାପ ୯୯୮ ମିଲିବାର ରହିଛି। ତେଣୁ ବିହାର ଓ ଝାଡ଼ଖଣ୍ଡଠାରୁ ଓଡ଼ିଶା ଉପକୂଳରେ କମ୍ ଗରମ ପାଗ ରହିଛି। ସାଧାରଣତଃ ମୌସୁମି ଆଗମନ ପୂର୍ବରୁ ଏମିତି ହୋଇଥାଏ। ଯଦି ଏହି ଚାପ କମିଯିବ ତେବେ ପାଗ ମେଘୁଆ ରହିବ କିନ୍ତୁ ପବନ ହେବନି। ଫଳରେ ଗୁଳୁଗୁଳି ଅନୁଭୂତ ହୋଇଥାଏ। ଓଡ଼ିଶା ଉପରେ ଏହି ଚାପ ୨୮ ପର୍ଯ୍ୟନ୍ତ ରହିବ। ବର୍ଷା ହେଲେ ଧୀରେ ଧୀରେ ଏହି ଚାପର ତାରତମ୍ୟ କମିଯିବ ବୋଲି ସେ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଅମ୍ଫାନ୍‌ ମହାବାତ୍ୟା ଯିବା ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢ଼ିଛି। ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ଓଡ଼ିଶାର ବାୟୁ ଚାପ କମ୍‌ ରହିଛି। ଏଠାରେ ପ୍ରାୟ ୧୦୦୦ ମିଲିବାର ରହୁଥିବା ବେଳେ ଦକ୍ଷିଣ ଆଣ୍ଡାମାନ ସାଗରରେ ବାୟୁର ଚାପ ୧୦୧୦ ମିଲିବାର ରହିଛି। ଦକ୍ଷିଣ ଆଣ୍ଡାମାନରେ ବାୟୁ ଚାପ ଅଧିକ ଥିବାରୁ ଦକ୍ଷିଣ ଆଡ଼ୁ ଅର୍ଥାତ୍ ଜଳଭାଗରୁ ସ୍ଥଳଭାଗକୁ ପବନ ବହୁଛି। ଏହି ବାୟୁପ୍ରବାହ ୨୮ ତାରିଖ ଯାଏ ରହିବ। ଜଳଭାଗରୁ ହେଉଥିବା ଏହି ବାୟୁପ୍ରବାହ ପାଇଁ ଭୁବନେଶ୍ବରର ଆର୍ଦ୍ରତା ଦିନ ବେଳେ ୭୦ ପ୍ରତିଶତରୁ ଅଧିକ ଓ ରାତିରେ ୯୦ ପ୍ରତିଶତରୁ ଅଧିକ ରହୁଛି। କିନ୍ତୁ ୨୯ପରଠାରୁ ପାଗରେ ପରିବର୍ତ୍ତନ ହେବ। ତେବେ ତାପମାତ୍ରା ଅଧିକ ହେବ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା କମିବ। ଜୁନ୍‌ ୧ ବେଳକୁ ଓଡ଼ିଶାରେ ଚାରିଆଡ଼େ ତାପମାତ୍ରା କମିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର