ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ରେ ବଢ଼ିଚାଲିଛି ଘରୋଇ ଟେଲିଫୋନ୍ କମ୍ପାନିଙ୍କ ମନମାନି। ଯେଉଁଠି ପାରୁଛନ୍ତି, ସେଠି ମନଇଛା ଗାତ ଖୋଳୁଛନ୍ତି ଓ ମରାମତି ଆଳରେ ମାସ ମାସ ପକାଇ ରଖୁଛନ୍ତି। ଯାହା ସ୍ମାର୍ଟ ସିଟି ଭୁବନେଶ୍ବରର ସୌନ୍ଦର୍ଯ୍ୟକୁ ବିଗାଡ଼ିବାରେ ଲାଗିଛି। ଅପରପକ୍ଷେ ମାସ ମାସ ଧରି ଗର୍ତ୍ତ ସବୁ ମରାମତି ନହେବା ଫଳରେ ଉଭୟ ପଥଚାରୀ ଓ ଗାଡ଼ିଚାଳକଙ୍କ ପାଇଁ ଏହା ବିପଦ ସାଜିଛି। ଏଥିପାଇଁ ଅସହ୍ୟ ଟ୍ରାଫିକ ସମସ୍ୟା ବି ଉପୁଜୁଛି। ଲୋକେ ଅନ୍ୟମନସ୍କରେ ଏଥିରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି ଓ ଗୋଡ଼ହାତ ଭାଙ୍ଗୁଛନ୍ତି। ଏବେ ବର୍ଷା ଦିନ ଚାଲିଛି। ଖୋଳା ହୋଇଥିବା ଗର୍ତ୍ତ ସବୁ ପାଣିରେ ଭରିଯିବ। ଯାହା ଗାଡ଼ିଚାଳକଙ୍କ ପାଇଁ ଆହୁରି ପ୍ରାଣଘାତକ ହେବାକୁ ଯାଉଛି। ଯଦି ‌ସଂପୃକ୍ତ ସଂସ୍ଥା ନିଜେ ରାସ୍ତା ଖୋଳି ସର୍ତ୍ତ ସମୟସୀମା ଭିତରେ ମରାମତି ନ କରେ, ସେମାନେ ଦେଇଥିବା ଅମାନତ ରାଶିକୁ ବିଏମ୍‌ସି ନିଜେ ମରାମତିରେ ଖର୍ଚ୍ଚ କରିପାରିବାର ବ୍ୟବସ୍ଥା ରହିଛି। ଏପରିକି ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ। କିନ୍ତୁ ବିଏମ୍‌ସି ଅଧିକାରୀମାନେ ଟେଲିଫୋନ୍‌ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବାଘଟଣା ସନ୍ଦେହ ସୃଷ୍ଟି କରିଛି।

Advertisment

ଯନ୍ତ୍ରଣା ଦେଉଛି ସହରର ଖାଲଖମା
ବର୍ଷା ବଢ଼ାଇଲାଣି ଦୁର୍ଘଟଣା ଭୟ

୧୮୬ ବର୍ଗ କିଲୋମିଟର ବ୍ୟାପ୍ତ ବିଏମ୍‌ସିରେ ୬୭ଟି ୱାର୍ଡ ରହିଛି। ୬୭ ୱାର୍ଡରେ ଉଭୟ ପିଚୁ ଓ କଂକ୍ରିଟ୍‌ ରାସ୍ତାକୁ ମିଶାଇ ୯୧୫.୧୨ କିଲୋମିଟର ରାସ୍ତା ରହିଛି। ସବୁ ୱାର୍ଡ ସମାନ ସ୍ଥିତି। ସବୁଠି ଉଭୟ ସରକାରୀ ଓ ବେସରକାରୀ ଟେଲିଫୋନ୍ କମ୍ପାନି ହୁଅନ୍ତୁ କି ବିଦ୍ୟୁତ୍‌ ଅବା ଅନ୍ୟ କମ୍ପାନି, ତାର ବିଛାଇବା ଆଳରେ ରାସ୍ତା ଖୋଳି ପକାଉଛନ୍ତି। କିଛି ଜାଗାରେ ୨୦୦/୩୦୦ ମିଟର ବି ଖୋଳି ଛାଡ଼ି ଦିଆଯାଉଛି। ସତ୍ୟନଗର, ନୂଆପଲ୍ଲୀ ସିଆର୍‌ପିଏଫ୍ କାର୍ଯ୍ୟାଳୟ ମୁଖ୍ୟ ଗେଟ୍‌ ସମ୍ମୁଖ, ୟୁନିଟ୍‌-୮ କଲ୍ୟାଣମଣ୍ଡପ ନିକଟ ମୁଖ୍ୟରାସ୍ତା, ପାୱାର ହାଉସ୍ ଛକ, ନ’ତାଲା ଆଦି ଅଞ୍ଚଳ ସହ ସହରର ବିଭିନ୍ନ ସ୍ଥାନରେ ଏପରି ଦେଖିବ‌ାକୁ ମିଳିଛି। ଟେଲିଫୋନ୍‌ ତାର ବିଛାଇବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଟେଲିଫୋନ୍‌ କମ୍ପାନିମାନେ ମାସ ମାସ ଧରି ଏଠାରେ ଗାତ ଖୋଳି ପକାଇ ରଖିଛନ୍ତି। ଯାହା ଚାଳକଙ୍କ ଅସୁବିଧାରେ ପକାଉଥିବାବେଳେ ବର୍ଷାରେ ବିପଦ ସାଜିଛି। 

ନିୟମ ଅନୁଯାୟୀ, ସବୁ ସଂସ୍ଥା ଏଚ୍‌ଡିଡି ମେସିନ୍ ଜରିଆରେ ତାର ବିଛାଇବେ। ଯଦି ପିଚୁ, କଂକ୍ରିଟ୍‌ କି ପେଭର୍‌ ବ୍ଲକ ରାସ୍ତା ଖୋଳିବା ଆବଶ୍ୟକ ପଡ଼େ, ସେଥିପାଇଁ ବିଏମ୍‌ସି ପାଖରେ ଧାର୍ଯ୍ୟ ଟଙ୍କା ଜମା ‌କରିବେ। ଏହାବାଦ୍‌ ପ୍ରତି ମିଟର ପିଛା ୧୦୦ ଟଙ୍କା ଲାଇସେନ୍ସ ଫି ଦାଖଲ କରିବେ। ଲାଇସେନ୍ସ ଫି ଫେରସ୍ତଯୋଗ୍ୟ ଓ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଏଥିପାଇଁ ରହିଛି। ଯଦି ସଂପୃକ୍ତ ଟେଲିଫୋନ୍‌ ସଂସ୍ଥା ରାସ୍ତା ଖୋଳି ସମୟସୀମା ଭିତରେ ଏହାକୁ ମରାମତି ନ କରନ୍ତି, ଲାଇସେନ୍ସ ଫି ଓ ସଂସ୍ଥା ଜମା କରିଥିବା ଅର୍ଥରେ ବିଏମ୍‌ସି ଏହାର ମରାମତି କରିବ। କିନ୍ତୁ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବିଏମ୍‌ସି ନିର୍ବାହୀ ଯନ୍ତ୍ରୀ ଇଂ. ଜଗନ୍ନାଥ ପ୍ରଧାନ କହିଛନ୍ତି, ଆମେ ନିୟମିତ ବ୍ୟବଧାନରେ ଯାଞ୍ଚ କରୁଛୁ ଓ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛୁ।  ତଥାପି କିଛି କିଛି ଜାଗାରେ ଏମାନେ ସର୍ତ୍ତାବଳୀକୁ ଅମାନ୍ୟ କରୁଥିବା ଆମ ନଜରକୁ ଆସୁଛି। ଏ ଦିଗରେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସେ କହିଛନ୍ତି।