ଜଗନ୍ନାଥମୟ ହେଲା ପୂରା ପରିବେଶ

୧୪ତମ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ବର: ‘ତ୍ରିଧାରା’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ୧୪ତମ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ପ୍ରସ୍ତୁତିରେ ତ୍ରିଧାରା ଅନୁଷ୍ଠାନର କଳାକାରଙ୍କ ଦ୍ବାରା ପରିବେଷିତ ଜଗନ୍ନାଥଷ୍ଟକମ୍ ନୃତ୍ୟ ପ୍ରୋକ୍ଷାଳୟକୁ ଜଗନ୍ନାଥମୟ କରିଦେଇଥିଲା। ଗୁରୁ ଗଜେନ୍ଦ୍ର ପଣ୍ଡା ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ସୁକାନ୍ତ କୁଣ୍ଡୁ ସଂଗୀତ ଓ ଗୁରୁ ଧନେଶ୍ବର ସ୍ବାଇଁ ବାଦ୍ୟ ନିର୍ଦ୍ଦେଶନା ଦେଇଥିଲେ।

‘ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ’ ଗୀତରୁ ଆରମ୍ଭ ହୋଇଥିଲା ଆଜି ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ। ଏହାପରେ ମାଲେସିଆରୁ ଆସିଥିବା ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୀତିକାଶ୍ରୀ ‘ସୂର୍ଯ୍ୟାଷ୍ଟକମ୍’ ନୃତ୍ୟ ପରିବେଷଣ କରିଥିଲେ। ପରେ କଟକ କଳା ବିକାଶ କେନ୍ଦ୍ରର ନୃତ୍ୟଶିଳ୍ପୀମାନଙ୍କ ଦ୍ବାରା ଦଳଗତ ନୃତ୍ୟ ‘ଲକ୍ଷ୍ମୀ ନୃସିଂହ ଧ୍ୟାନ’ ଥିଲା ଅନ୍ୟତମ ଆକର୍ଷଣ। ଏହାପରେ ମଧ୍ୟପ୍ରଦେଶର କଣ୍ଠଶିଳ୍ପୀ ଆଂଶିକା ଚୌହାନ ଗଜଲ ଗାୟନ କରିଥିଲେ। ତବଲା ବାଦକ ଅନସୁଲ ପ୍ରତାପ ସିଂ ଏକକ ତବଲା ବାଦନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ସଖୀ ନାଟ ପରିବେଷିତ ହୋଇଥିଲା।

କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ଡ. ମନୋଜ କୁମାର ବେହେରାଙ୍କୁ ‘ଗୁରୁ ଦେବପ୍ରସାଦ ସମ୍ମାନ’ ଓ ଆଲୋକ ବିଶୋୟୀଙ୍କୁ ‘ଗୁରୁ ଦେବପ୍ରସାଦ ଯୁବ କଳାକାର’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ନୃତ୍ୟ ସମାଲୋଚକ ନୀତା ବିଦ୍ୟାର୍ଥୀ, ଆର୍ଟ ଭିଜନର ସଚିବ ଇଲିୟାନା ସିତାରିଷ୍ଟ, ବିଶିଷ୍ଟ ଓଡ଼ିଶୀ ନୃତ୍ୟ ବିଶାରଦ ରାମଲି ଇବ୍ରାହିମ, ଚିନ୍ତା ଓ ଚେତନାର ସଚିବ ସୁରେନ୍ଦ୍ର କୁମାର, ପାରାଦୀପ ଫସଫେଟ୍ ଲିମିଟେଡ ଅଧିକାରୀ ସୁଧିରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଂପାଦକ ସୀମାଞ୍ଚଳ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଗୁରୁ ଗଜେନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଡ. ସଙ୍ଗୀତା ଗୋସାଇଁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର