ଚନ୍ଦ୍ରଶେଖରପୁର: ରୋଗରେ ପୂରା ପରିବାର ଅଚଳ। ସ୍ବାମୀ-ସ୍ତ୍ରୀ ରୋଗାକ୍ରାନ୍ତ ଓ ପୁଅ ସଡ଼କ ଦୁର୍ଘଟଣାରେ ଅକର୍ମଣ୍ୟ। ପରିସ୍ଥିତି ଏମିତି ଯେ ଦିନେ ଦିନେ ପଡ଼ୋଶୀମାନେ ତଳୁ ଉଠାଇଲେ, ସେମାନେ ଉଠନ୍ତି ଓ ଚଳପ୍ରଚଳ ହୁଅନ୍ତି। ସେଥିରେ ପୁଣି ପାଖରେ କାଣିଚାଏ ସଞ୍ଚିତ ଅର୍ଥ ନାହିଁ କି ପଇସାଟିଏ ରୋଜଗାର ନାହିଁ। ତେଣୁ ପର ହାତଟେକାକୁ ଚାହିଁ ବଞ୍ଚିଛନ୍ତି ପରିବାର ୩ ପ୍ରାଣୀ। ଏମିତିରେ ବିତିଗଲାଣି ବର୍ଷେ। ଘର ଭଡ଼ା ଦେଇ ପାରୁନାହାନ୍ତି। ଘର ମାଲିକ ବର୍ଷେ ସମ୍ଭାଳିଲେଣି। ଆଉ କେତେ ଦିନ ଏମିତି ବଞ୍ଚିବେ ବୋଲି ଚିନ୍ତାରେ ପଡ଼ିଛି ପରିବାର। ଏହା ହେଉଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରରେ ଘର ଭଡ଼ା ନେଇ ରହୁଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶରଧାପୁର ଗାଁର ବଂଶୀଧର ମଣ୍ଡଳ(୫୮)ଙ୍କ ଦୁର୍ଦ୍ଦଶାର କାହାଣୀ।
Sambad is now on WhatsApp
Join and get latest news updates delivered to you via WhatsApp
ଦୀର୍ଘ ୩୦ବର୍ଷ ହେଲା ରାଜଧାନୀରେ ରହୁଛନ୍ତି ବଂଶୀଧର। ଏକ ଘରୋଇ ବିଦ୍ୟାଳୟରେ ଚାକିରି କରୁଥିଲେ। ସ୍ତ୍ରୀ ସୁଷମା ଘରେ ସିଲେଇ ତାଲିମ୍ କେନ୍ଦ୍ରଟିଏ କରିଥିଲେ। ପୁଅ ଦେବବ୍ରତ(୨୮) ମଧ୍ୟ କିଛି କିଛି ରୋଜଗାର କରି ସେମାନଙ୍କୁ ସାହାଯ୍ୟ କରୁଥିଲେ। କିନ୍ତୁ ହଠାତ୍ ସବୁ କିଛି ବଦଳିଗଲା। ଦଇବ ଦାଉ ସାଧିଲା। ଦେବବ୍ରତ ଦୁର୍ଘଟଣାରେ ଅକର୍ମଣ୍ୟ ହୋଇଗଲେ। ଗୋଡ଼ ଦୁଇଟି ଭାଙ୍ଗି ଯିବାରୁ ସେ ଭଲରେ ଚଳପ୍ରଚଳ ହୋଇପାରିଲେ ନାହିଁ। ଘରେ ପଡ଼ି ରହିଛନ୍ତି। କିଛି ବର୍ଷ ପୂର୍ବେ ବଂଶୀଧର ହଠାତ୍ ପାରାଲିସିସ୍ ଆକ୍ରାନ୍ତ ହୋଇ ଅଚଳ ହୋଇପଡ଼ିଲେ। ପଛକୁ ପଛ ସୁଷମାଙ୍କୁ ଫାଇଲେରିଆ ଆକ୍ରାନ୍ତ କଲା। ବଂଶୀଧର ଓ ଦେବବ୍ରତ ଏକପ୍ରକାର ଶଯ୍ୟାଶାୟୀ ହୋଇ ପଡ଼ିଥିବା ବେଳେ ସୁଷମା ବାଡ଼ି ଧରି ଚଳପ୍ରଚଳ ହୋଇପାରୁଛନ୍ତି। କିନ୍ତୁ ବେଳେବେଳେ ସେ ବସିବା ଓ ଶୋଇବା ଅବସ୍ଥାରୁ ଉଠି ପାରୁନାହାନ୍ତି। ତେବେ ଏତିକିବେଳେ ଦାଉ ସାଧିଲା ମହାମାରୀ କରୋନା। କରୋନା କଟକଣା (ଲକ୍ଡାଉନ୍ ଓ ସଟ୍ଡାଉନ୍) ଲାଗୁ ହେବା ପରେ ସୁଷମାଙ୍କ ସିଲେଇ କେନ୍ଦ୍ରକୁ ପିଲା ଆସିଲେ ନାହିଁ। ଧୀରେ ଧୀରେ ସିଲେଇ କେନ୍ଦ୍ର ବି ବନ୍ଦ ହୋଇଗଲା। ତେଣୁ ସେମାନଙ୍କ ରୋଜଗାର ପୂରା ଠପ୍ ହୋଇଯାଇଛି। ରାସନ୍ କାର୍ଡରେ ଯେତିକି ମିଳୁଛି, ତାହା ମାସକ ପାଇଁ ଯଥେଷ୍ଟ ନୁହେଁ। ତେଣୁ ବର୍ଷେ ହେଲା କଲୋନି ଲୋକମାନେ ତାଙ୍କୁ ଯଥାସମ୍ଭବ ସାହାଯ୍ୟର ହାତ ବଢ଼ାଇ ଚାଲିଛନ୍ତି। ଦେବବ୍ରତକୁ ମଧ୍ୟ କିଛି ଲୋକ ଡାକ୍ତରଖାନା ନେଇ ଚିକିତ୍ସା କରାଉଛନ୍ତି।
ସୁଷମାଙ୍କ କହିବା କଥା, ବର୍ତ୍ତମାନ ସେମାନଙ୍କ ରୋଜଗାର ବୋଲି କିଛି ନାହିଁ। ରାସନ୍ କାର୍ଡ ପାଇଁ ମିଳୁଥିବା ଚାଉଳ, ଗହମରେ ଚଳିବାକୁ ପଡ଼ୁଛି। ତାହା ମାସକ ପାଇଁ ଯଥେଷ୍ଟ ହେଉନାହିଁ। ଏମିତି ଅସମୟରେ କଲୋନିବାସୀ ଡାଲି, ତେଲ, ପରିବାପତ୍ର ଯୋଗାଇ ବଞ୍ଚାଇ ରଖିଛନ୍ତି ବୋଲି ସେ କହିଛନ୍ତି। ଏମିତିକି କଲୋନିବାସୀ ମୋବାଇଲ୍ ଫୋନ୍ ରିଚାର୍ଜ କରିଦେବା ସହ ମେଡିସିନ ଖର୍ଚ୍ଚ ମଧ୍ୟ ଯୋଗାଇ ଦେଉଛନ୍ତି। ତେବେ ସେମାନେ କେତେ ଦିନ ଏମିତି ସାହାଯ୍ୟ କରିବେ ବୋଲି ସୁଷମା କୋହଭରା କଣ୍ଠରେ କହିଛନ୍ତି। ଯଦି ସରକାର ଜାଗା ଖଣ୍ଡେ ଦିଅନ୍ତେ, ତାହାଲେ କଲୋନିବାସୀ ଘର ତିଆରି କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ବିଧାୟକ ଓ କର୍ପୋରେଟର୍ ସେମାନଙ୍କୁ ଦେଖା କରି ବହୁ ପ୍ରତିଶ୍ରୁତି ଦେଇଥିଲେ ବି କିଛି ହୋଇନି ବୋଲି ସୁଷମା ଦୁଃଖରେ କହିଛନ୍ତି। କଲୋନି ବାସିନ୍ଦା ସସ୍ମିତା ମିଶ୍ରଙ୍କ କହିବା କଥା, ସରକାର ତାଙ୍କୁ ଜମି ଓ ଘର ଯୋଗାଇଦେବା ଉଚିତ। ଫଳରେ ତିନି ପ୍ରାଣୀ ବଞ୍ଚିଯାଆନ୍ତେ। ଭଡ଼ା ଦେଇ ପାରୁନାହାନ୍ତି, ତେଣୁ ଘର ମାଲିକ ଘରୁ ବାହାର କରିଦେଲେ, ସେମାନେ କୁଆଡ଼େ ଯିବେ, ରହିବେ କୋଉଠି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ସମସ୍ତେ ରୋଗାକ୍ରାନ୍ତ ହୋଇଥିବାରୁ ସରକାର ସେମାନଙ୍କ ଚିକିତ୍ସାଭାର ବହନ କରନ୍ତୁ ବୋଲି ସମାଜସେବୀ ଶିବ ସ୍ବାଇଁ ଦାବି କରିଛନ୍ତି।