ଭୁବନେଶ୍ବର: ଆମ ସ୍ଥିତିର ଅନ୍ତିମ ସତ୍ୟ ହେଉଛି ପ୍ରେମ। ପ୍ରେମ ଆଧାରରେ ସାରା ବ୍ରହ୍ମାଣ୍ଡ ପ୍ରତିଷ୍ଠିତ। ଏହା ଏକ ଶୃଙ୍ଖଳାରେ ପରିଚାଳିତ। ଏହି ପ୍ରେମ ଓ ଶୃଙ୍ଖଳା ହେଉଛି ସ୍କାଉଟ୍ସ ଓ ଗାଇଡ୍ସର ମୂଳ ଆଦର୍ଶ। ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଓଡ଼ିଶା ଶାଖା ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ୩୬ତମ ରାଜ୍ୟ ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ଜନ୍ମ, ମୃତ୍ୟୁ ଓ ଜୀବନ ରହସ୍ୟମୟ। ରହସ୍ୟର ଉନ୍ମୋଚନରେ ସତ୍ୟ ପ୍ରକାଶିତ। ଏଥିପାଇଁ କରୁଣା, ପ୍ରେମ ଓ ମାନବିକତା ଲୋଡ଼ା। ଏହି ଆଦର୍ଶରେ ଉଦ୍ବୁଦ୍ଧ ହୋଇ ଜୀବନକୁ ସାର୍ଥକ କରିବା ପାଇଁ ସ୍କାଉଟ୍ସ ଓ ଗାଇଡ୍ସ ପ୍ରେରଣା ଦେଇଥାଏ।
ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭାପତି ତଥା ଖାଦ୍ୟ, ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ କହିଲେ, ବିଭିନ୍ନ ସମୟରେ କରାଯାଉଥିବା ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍ସ ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିବ। କାର୍ଯ୍ୟକ୍ରମରେ ଉପସଭାପତି ତଥା ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ରାଜ୍ୟ ମୁଖ୍ୟ କମିସନର କାଳିପ୍ରସାଦ ମିଶ୍ର, ସଂପାଦକ ଶରତ ଚନ୍ଦ୍ର ପାଇକରାୟ, ନିରଞ୍ଜନ ରଥ, ମିନତି ବେହେରା, ମନୋରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ପ୍ରଣବ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଜାତୀୟସ୍ତରରେ ‘ଲକ୍ଷ୍ମୀ ମଜୁମଦାର ପୁରସ୍କାର’ ପାଇଁ ମନୋନୀତ ହୋଇଥିବା କଟକର ଏମ୍ଏସ୍ଏସ୍ ବିଦ୍ୟାପୀଠ, ବାଙ୍କି ସ୍ବୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ବରର ସିଟି ଓମେନ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୁନ୍ଦରଗଡ଼ର ବରଗାଁ ଆଇଟିଆଇ, ଜଗତସିଂହପୁରର ଏନ୍ଜେଡବ୍ଲ୍ୟୁ ରୋଭର କ୍ରିୟୁ, ଗଞ୍ଜାମର ଶ୍ରୀକରଞ୍ଜ ଓପନ୍ ୟୁନିଟ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେହିପରି ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍କାଉଟ୍ସ ଓ ଗାଇଡ୍ସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସ୍କାଉଟ୍, ଗାଇଡ୍, ରେଞ୍ଜର, କବ୍ ଓ ବୁଲ୍ବୁଲ୍ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନାମିକା ଦାସ ସଂଯୋଜନା କରିଥିଲେ।