ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ସେକ୍ଟର-୪ ପ୍ଲଟ୍ ନମ୍ବର ୩୪ରେ ରହୁଥିବା ଜଣେ ମହିଳାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଓ ଅନ୍ୟାନ ଜିନିଷପତ୍ର ଚୋରିହୋଇଛି। ଏନେଇ ଘର ମାଲିକାଣୀ ଜ୍ୟୋତିଶ୍ରୀ ମିଶ୍ର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସି କ୍ୟାମେରାର ଫୁଟେଜ୍‌ ଯାଞ୍ଚ କରିଛି। ଜ୍ୟୋତିଶ୍ରୀ ନିଜ ପରିବାର ସହିତ ରଜ ପାଳିବା ପାଇଁ ଶନିବାରଠାରୁ ପୁରୀସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଦୁର୍ବୃତ୍ତମାନେ ରୋଷେଇଘର ଝରକା ଗ୍ରିଲକୁ ତାଡ଼ି ଘର ଭିତରକୁ ପଶିଥିଲେ। ଶୋଇବା ଘର ଆଲମାରି ଭାଙ୍ଗି ସୁନାରୁପା ଅଳଙ୍କାର ସହ ଦାମୀ ଜିନିଷ ନେଇ ଚମ୍ପଟ ମାରିଥିଲେ। ଆଜି ପୁରୀରୁ ଫେରି ଘରଲୋକ ଚୋରି ବିଷୟରେ ଜାଣିବାକୁ ପାଇଥିଲେ। ଏହି ଅଞ୍ଚଳରେ ଛଅମାସ ମଧ୍ୟରେ ତିନିଥର ଚୋରି ହୋଇଛି। ପୂର୍ବରୁ ଜଣେ ଡାକ୍ତରଙ୍କ ଘରେ ବୃଦ୍ଧଦମ୍ପତିଙ୍କୁ ଗୋଟିଏ ଘରେ ତାଲାପକାଇ ‌ଦୁର୍ବୃତ୍ତମାନେ କଳାକନା ବୁଲାଇଥିଲା ବେଳେ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନାହିଁ।