ଅନ୍‌ଲାଇନ୍‌ରେ ମିଳିବ ମଦ, ୧୪ଦିନ ପା‌ଇଁ ବୋହିନେଲେ

ଦୋକାନରେ ଭିଡ଼ କମାଇବ କି ଅନ୍‌ଲାଇନ୍ ବ୍ୟବସ୍ଥା?

ଭୁବନେଶ୍ୱର: ଗୁରୁବାର ରାତିରୁ ମଦୁଆଙ୍କ ଆଖିରେ ନିଦ ନଥିଲା। ରାତି ପାହିଲେ ମଦ ଦୋକାନକୁ ଯାଇ କେମିତି ୧୪ ଦିନ ପାଇଁ ମଦ କିଣି ପକ‌ାଇବେ ବୋଲି ରାତିସାରା ସେମାନଙ୍କୁ ନିଦ ହୋଇନଥିଲା। କାରଣ ଦିନେ କି ଦୁଇ ଦିନ ନୁହେଁ, ଲକ୍‌ଡାଉନ୍‌ ପାଇଁ ପୂରା ୧୪ଦିନ ପର୍ଯ୍ୟନ୍ତ ମଦ ମିଳିବନି। ଶୁକ୍ରବାରଠାରୁ ୪ ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯିବା ପରେ ଏମିତି ଥିଲା ଗୁରୁବାର ରାତିରେ ମଦୁଆଙ୍କ ଅବସ୍ଥା। ହାତରେ ଥିଲା ମାତ୍ର ୧୨ ଘଣ୍ଟା। କେତେ ମଦ କିଣିଲେ, ୧୪ ଦିନ ଚଳିଯିବ, ତା’ର ହିସାବ କରିନେଇଥିଲେ ରାତିକ ଭିତରେ। ସକାଳ ହେଉ ହେଉ ମଦ ଦୋକାନ ଆଗରେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଗଲେ। ଦୋକାନ ଖୋଲିବା ମାତ୍ରେ ପେଟି ପେଟି ମଦ ବୋହି ନେଇଥିଲେ। କିଏ ପେଟିରେ ତ କିଏ ବସ୍ତାରେ ଆଉ କିଏ ଗାଡ଼ି ଡିକିରେ ଲଦି ବାହାରି ଯାଉଥିଲେ। ଧୁ’ ଧୁ’ ଖରା ହେଉ କି ଅଳ୍ପ ସମୟ ପାଇଁ ହୋଇଥିବା ବର୍ଷା କାହାକୁ ଖାତିର ନଥିଲା। ଧାଡ଼ି ଛାଡ଼ି ନଥିଲେ ମଦୁଆମାନେ। ଆଜି ରାଜଧାନୀର ବିଭିନ୍ନ ମଦ ଦୋକାନ ଆଗରେ ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଚାହିଦା ଏତେ ଥିଲା ଯେ ମଧ୍ୟାହ୍ନ ସୁଦ୍ଧା କେ‌ତେକ ଦୋକାନରୁ ମଦ ସରିଗଲା ତ ଆଉ କେଉଁଠି ଭିଡ଼ ଓ ଲମ୍ବା ଲାଇନ୍‌ ଦେଖି ଦୋକାନୀ ଦୋକାନ ବନ୍ଦ କରିଦେଇଥିଲେ। କିଛି କିଛି ଦୋକାନ ସମ୍ମୁଖରେ ଗଣ୍ଡଗୋଳ ଆଶଙ୍କା କରି ପୁଲିସ୍‌ ମଦୁଆଙ୍କୁ ଘଉଡ଼ାଇଥିଲା।

କଷିନେଲେ ପୁରୁଣା କର
ନିକଟରେ ସରକାର ଅତିରିକ୍ତ କୋଭିଡ୍‌ କରକୁ ୫୦ ପ୍ରତିଶତରୁ ୧୫ ପ୍ରତିଶତକୁ କୋହଳ କରିଛନ୍ତି। ତେବେ ଆଜିର ଭିଡ଼କୁ ଦେଖି ଅନେକ ଦୋକାନୀ ୫୦ ପ୍ରତିଶତ କୋଭିଡ କର ଲଦି ଦେଇଥିଲେ। କିନ୍ତୁ ଅନେକ ମଦୁଆଙ୍କୁ ଫରକ ପଡ଼ିନଥିଲା। କାରଣ ୧୪ ଦିନିଆ କଟକଣାରେ ମଦ ନ ମିଳିଲେ ସମସ୍ୟା। ବ୍ଲାକ୍‌ରେ କିଣିବାକୁ ବାରଦୁଆର ହେବା ଅପେକ୍ଷା କୋଭିଡ୍‌ କର ଯାଉ ବୋଲି ସେମାନେ କହୁଥିଲେ। ତେଣୁ ଯେତେ ପଇସା ନଉଛ ନିଅ, ମଦ ଦେଇଦିଅ କହି ବିନା ଯୁକ୍ତିତର୍କରେ ସେମାନେ ମଦ କିଣି ପକାଉଥିଲେ।

ଦୋକାନରେ ଭିଡ଼ କମାଇବ କି ଅନ୍‌ଲାଇନ୍ ବ୍ୟବସ୍ଥା?
ଦୀର୍ଘ ଦିନ ଧରି ମଦ କିଣାବିକା ବନ୍ଦ ରହିବା ପରେ ମେ ୨୬ ତାରିଖରୁ ଅନ୍‌ଲାଇନ୍‌ରେ ମଦ ବିକ୍ରି ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଗ୍ରାହକମାନେ ଦୋକାନରୁ ସିଧାସଳଖ ମଦ କିଣିପାରିବେ ନାହିଁ, ଅନ୍‌ଲାଇନ୍‌‌ରେ ଅର୍ଡର ‌ଦେଇ ଘରେ ବସି ମଦ ପାଇ ପାରିବେ। ହେଲେ ଫଳ ଓଲଟା ହୋଇଥି‌ଲା, ଦୋକାନୀ ଦୋକାନ ଦୁଆର ମୁହଁରେ ହୋମ୍‌ ଡେଲିଭରି କଲା। ଚାରିଆଡ଼େ ପ୍ରବଳ ଭିଡ଼ ହେଲା। ପୁଲିସ ମଦୁଆଙ୍କୁ ଘଉଡ଼ାଇବା ପାଇଁ ଦୁଆର ମୁହଁରେ ଜଗି ରହିଲା। ତାହା ବି ସ୍ଥିତି‌ରେ ସୁଧାର ଆଣି ପାରିନଥିଲା। ପୁଲିସ ଉପସ୍ଥିତିରେ ଗ୍ରାହକମାନେ ଦୋକାନରୁ ସିଧାସଳଖ ମଦ କିଣୁଥିବା ଦେଖା ଯାଇଥିଲା। ଏଣୁ ସରକାର ଅନ୍‌ଲାଇନ୍‌ ସହ ଅଫ୍‌ଲାଇନ୍‌ ମଦ ବିକିବାକୁ ଆଦେଶ ଦେବାକୁ ବାଧ୍ୟ ହେଲେ। ଏବେ ସେହି ଘଟଣାର ପୁନରାବୃତ୍ତି ହେବା ଆଶଙ୍କା ସୃଷ୍ଟି ହୋଇଛି। ଡେଲିଭରି ଚାର୍ଜ ନ ଦେଇ ମଦୁଆମାନେ ପୁଣି ଦୋକାନରେ ଭିଡ଼ କରିବେ।

ଅନ୍‌ଲାଇନ୍‌ରେ ମିଳିବ ମଦ
ମଦୁଆଙ୍କ ଏଭଳି ବ୍ୟସ୍ତତା ଦେଖି ଲାଗୁଥିଲା ଯେମିତି ୧୪ ଦିନ ଯାଏଁ ମୋଟେ ମଦ ମିଳିବନି। କିନ୍ତୁ ଏଥିପାଇଁ ସରକାର ଅନ୍‌ଲାଇନ୍‌ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ଯେଭଳି ଅନ୍‌ଲାଇନ୍‌ରେ ମଦ ମିଳୁଥିଲା ସେମିତି ମିଳିବ। ଅନ୍‌ଲାଇନ୍‌ରେ ମଦ ଦେବା ପାଇଁ ଠିପିଖୋଲା, ଠିପି ବନ୍ଦ ଓ ଦେଶୀ ମଦ ଦୋକାନ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ଖୋଲିବ। ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଆଦେଶନାମା ପ୍ରକାଶ ପାଇଛି। ଅପରାହ୍‌ଣ ଗୋଟାଏ ଭିତରେ ଗ୍ରାହକ ଅନ୍‌ଲାଇନ୍‌ରେ ମଦ ଅର୍ଡର କରି କିଣି ପାରିବେ। ସରକାରଙ୍କ ସ୍ବୀକୃତିପ୍ରାପ୍ତ ସଂସ୍ଥା ଏହି ମଦ ଡେଲିଭରି କରିବେ। ଦୋକାନୀ ମଧ୍ୟ ଡେଲିଭରି ବୟଙ୍କ ଜରିଆରେ ବିକି ପାରିବେ। ଏହା କିଭଳି ଶୃଙ୍ଖଳିତ ହେବ, ତାହାକୁ ଅବକାରୀ ଅଧିକାରୀମାନେ ଚଢ଼ଉ କରି ନିଶ୍ଚିତ କରିବାକୁ ଆଦେଶନାମାରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର