ଡ୍ରାଏ ଡେ’ରେ ମଦ ବେପାର: ଢାବାରୁ ୪୦୦ଲିଟର ମଦ ଜବତ, ୩ ଗିରଫ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଗତ ୨୨ ତାରିଖରୁ ଅବକାରୀ ବିଭାଗ ରାଜ୍ୟର ସମସ୍ତ ପୌରାଞ୍ଚଳରେ ମଦ ବିକ୍ରି ଉପରେ କଟକଣା ଜାରି କରିଥିଲା। ଏହି ସବୁ ସ୍ଥାନରେ ଥିବା ବାର୍‌ଠାରୁ ଆରମ୍ଭ କରି ଢାବା, ହୋଟେଲ୍ ଆଦି ବିଭିନ୍ନ ସ୍ଥାନରେ ୨୬ ତାରିଖ ପର୍ଯ୍ୟନ୍ତ ମଦ ବିକ୍ରି ହୋଇପାରିବ ନାହିଁ ବୋଲି ଚେତାବନୀ ଦେଇଥିଲା। ଏହି ୫ଦିନକୁ ବିଭାଗ ପକ୍ଷରୁ ଡ୍ରାଏ ଡେ’ ଘୋଷଣା କରାଯାଇଥିଲା। କିନ୍ତୁ ଅବକାରୀ ବିଭାଗର ନିୟମକୁ ଉଲ୍ଲଂଘନ କରି ଆଜି ବମିଖାଲସ୍ଥିତ ସ୍ବାଦ ଢାବାରେ ଚୋରା ମଦ କାରବାର କରାଯାଉଥିବା ଫ୍ଲାଇଂ ସ୍କ୍ବାଡ୍‌ ଖବର ପାଇଥିଲା। ଆଜି ସକାଳୁ ଫ୍ଲାଇଂ ସ୍କ୍ବାଡ୍‌ ସମେତ ଭୁବନେଶ୍ବର ମୋବାଇଲ୍ ୟୁନିଟ୍ ଏକତ୍ରିତ ଭାବରେ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ପ୍ରାୟ ୪ଶହରୁ ଊର୍ଦ୍ଧ୍ବ ବିଦେଶୀ ମଦ ଜବତ କରାଯାଇଥିଲା। ଜବତ ମଦ ମଧ୍ୟରେ ୧୩୩ ଲିଟର ବିଦେଶୀ, ୨୪୨ଲିଟର ବିୟର ଓ ୬୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାସହ ମଦ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ଏକ ସ୍କୁଟି(ଓଡି ୦୨ଏମ୍ ୬୯୯୬)କୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି। ଏହି ବେଆଇନ ଚୋରା ମଦ କାରବାର ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ, ବମିଖାଲର ଧର୍ମେନ୍ଦ୍ର ହାଜ୍‌ରା(୩୩), ବଗ ରାଉତ(୪୦) ଓ ଗଙ୍ଗନଗରର ମନୋରଂଜନ ବେହେରା।

ସମ୍ବନ୍ଧିତ ଖବର