କଙ୍ଗାରୁ କୋର୍ଟରୁ ବର୍ତ୍ତିଗଲେ ମହିଳା

ଘର କବ୍‌ଜା ପାଇଁ ଡାଆଣୀ ଗୁଜବ, ଥାନାରେ ୪ ଅଟକ

ଚନ୍ଦ୍ରଶେଖରପୁର: ‘ଡାଆଣୀ ତା’ ସ୍ବାମୀକୁ ଖାଇଛି। ଗୁଣିଗାରେଡ଼ି କରୁଛି ବୋଲି ପିଲାଛୁଆ ଜନ୍ମ ହଉନି। ସାହିରେ ରହିଲେ ଆଉ ମୁଣ୍ଡ ଖାଇବ। କାହାର ପିଲାକୁ ଖାଇବ ତ କାହାର ସ୍ବାମୀକୁ ଖାଇବ। ତେଣୁ ତାକୁ ସାହିରେ ରହିବାକୁ ଦିଆଯିବନି। ତାକୁ ଲଣ୍ଡା କରି ମାଡ଼ ମରାଯିବ ଓ ବସ୍ତିରୁ ତଡ଼ି ଦିଆଯିବ। ଆଜି ତାକୁ ଘରେ ପୂରାଇ ବାନ୍ଧି ରଖାଯାଉ ଓ ବୁଧବାର ରାତିରେ ଫଇସଲା ହେବ। ବସ୍ତିବାସିନ୍ଦାମାନେ ଏକାଠି ହେଲେ ଯାଇ ବିଚାର ହେବ।’ ଏମିତି ଥିଲା ଗୁଜବ। ମାତ୍ର ଯୋଜନା ଥିଲା ଭିନ୍ନ। ବିଧବା ମହିଳାଙ୍କ ଘରକୁ କବ୍‌ଜା କରିବାକୁ ରଚନା ହୋଇଥିଲା ଷଡ଼୍‌ଯନ୍ତ୍ର। କିନ୍ତୁ କମିସନରେଟ୍‌ ପୁଲିସ ଯୋଗୁଁ ଯୋଜନା ଫସର ଫାଟିଲା।

ଇନ୍‌ଫୋସିଟି ଥାନା ପୁଲିସ ଓ ଚନ୍ଦକା ଥାନା ପୁଲିସ ବନ୍ଦୀ ଥିବା ମହିଳାଙ୍କୁ ଉଦ୍ଧାର କରିବା ସହ କଙ୍ଗାରୁ କୋର୍ଟ ପାଇଁ ମସୁଧା ଚଳାଇଥିବା ୪ ଜଣଙ୍କୁ ଥାନାରେ ଅଟକ ରଖିଛି। ଚନ୍ଦକା ଥାନା ଚୁନୁକୋଳି ବସ୍ତିରେ ଘଟିଥିବା ଏହି ଘଟଣାଟି ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁସାରେ ଏହି ବସ୍ତିରେ ମୟୂରଭଞ୍ଜର କୋରା ପ୍ରସାଦ ମାଝୀ(୪୯) ଓ ତାଙ୍କ ସ୍ତ୍ରୀ ଆନାଦିନ ମୁର୍ମୁ(୪୦) ରହୁଥିଲେ। ସେମାନେ ନିଃସନ୍ତାନ ଥିଲେ। ନିଜ ରୋଜଗାରରେ ସେମାନେ ଏକ କୋଠାଘରଟିଏ କରିଥିଲେ। ହଠାତ୍ ଗତ ମାସରେ କୋରା କରୋନାରେ ଆକ୍ରାନ୍ତ ହେଲେ ଓ କିମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ। ବିଚାରି ଆନାଦିନ ସ୍ବାମୀଙ୍କ କ୍ରିୟାକର୍ମ ପାଇଁ ଗାଁକୁ ଚାଲିଗଲେ। ସ୍ବାମୀଙ୍କ କ୍ରିୟାକର୍ମ ସାରି ସେ ଗତକାଲି ଭୁବନେଶ୍ବର ଫେରିଥିଲେ। କିନ୍ତୁ ଏହା ଭିତରେ ବସ୍ତିରେ ତିଆରି ହୋଇଯାଇଥିଲା ସୁଚିନ୍ତିତ ଯୋଜନା। କୋରାଙ୍କ‌ କୋଠାଘରକୁ କବ୍‌ଜା କରିବାକୁ ବସ୍ତିର କିଛି ବ୍ୟକ୍ତି ଆନାଦିନକୁ ଡାଆଣୀ ବୋଲି ପ୍ରଚାର କରି ସାରିଥିଲେ।

ଛୁଆପିଲା ଜନ୍ମ ଦେଉନଥିବା ଆନାଦିନ ଗୁଣିଗାରେଡ଼ି କରି ସ୍ବାମୀକୁ ଖାଇଛି ଓ ବସ୍ତିରେ ରହି ଆହୁରି ମୁଣ୍ଡ ଖାଇବ ବୋଲି ସେମାନେ କିଛି ଲୋକଙ୍କ ମୁଣ୍ଡରେ ଭର୍ତ୍ତି କରି ସାରିଥିଲେ। ତେଣୁ ଗତକାଲି ଆନାଦିନ ବସ୍ତିରେ ପହଞ୍ଚି ନିଜ ଘରର ତାଲା ଖୋଲୁଥିବା ବେଳେ ପଡ଼ୋଶୀମାନେ ତାଙ୍କୁ ବାରଣ କରିଥିଲେ। ଆନାଦିନ ସେମାନଙ୍କ ବାରଣକୁ ମାନିନଥିଲେ।

ତେଣୁ ସେମାନେ ତାଙ୍କୁ ମିଳିତ ଆକ୍ରମଣ କରି ଏକ ଘରେ ବନ୍ଦୀ କରିଦେଇଥିଲେ। ବୁଧବାର ରାତିରେ କଙ୍ଗାରୁ କୋର୍ଟ ବସିଥା’ନ୍ତା ଓ ଆନାଦିନକୁ ଡାଆଣୀ ବୋଲି ଘୋଷଣା କରି ଆଦିବାସୀ ପରମ୍ପରା ଅନୁସାରେ ଦଣ୍ଡିତ କରାଯାଇଥା’ନ୍ତା। ଲଣ୍ଡା କରି ମାଡ଼ ମାରିମାରି ତାଙ୍କୁ ବସ୍ତିରୁ ତଡ଼ି ଦିଆଯାଇଥା’ନ୍ତା। ମାତ୍ର ତାଙ୍କୁ ବନ୍ଦୀ କରି ରଖାଯାଇଥିବା ଖବରଟି କୌଣସିମତେ ଇନ୍‌ଫୋସିଟି ଥାନା ଆଇଆଇସି ସମିତା ମିଶ୍ରଙ୍କ ନିକଟରେ ପହଞ୍ଚିଥିଲା। ଚୁନୁକୋଳି ବସ୍ତି ଚନ୍ଦକା ଥାନା ଅଧୀନରେ ଥିଲେ ବି ଆଇଆଇସି ଶ୍ରୀମତି ମିଶ୍ର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ଚନ୍ଦକା ଥାନାକୁ ଖବର ଜଣାଇବା ସହ ତୁରନ୍ତ ବସ୍ତିରେ ପହଞ୍ଚି ଆ‌ନାଦିନଙ୍କୁ ମୁକୁଳାଇଥିଲେ। ଚନ୍ଦକା ଥାନା ପୁଲିସ ସେଠାରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଥିଲା ଓ ଆନାଦିନଙ୍କୁ ବନ୍ଦୀ କରିଥିବା ଓ କଙ୍ଗାରୁ କୋର୍ଟ କରିବାକୁ ଯୋଜନା କରିଥିବା ୪ ଜଣଙ୍କୁ ଥାନାକୁ ଉଠାଇ ନେଇଥିଲା।

ସମ୍ବନ୍ଧିତ ଖବର