କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ପ୍ରସବ କଲେ ମହିଳା

ବିରୋଧ କରିବାରୁ ଆଶାକର୍ମୀଙ୍କୁ ପିଟିଲେ ସୁରକ୍ଷାକର୍ମୀ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ପ୍ରସୂତି ବିଭାଗ ବାରଣ୍ଡାରେ ଜଣେ ମହିଳା ପ୍ରସବ କରିବା ଏବଂ ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ଆଶାକର୍ମୀଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ କରିଛି।

ସୂଚନା ଅନୁସାରେ ସୋନାଲି ସିଂ(୧୯)ଙ୍କୁ ପ୍ରସବ ସମୟ ହୋଇଯାଇଥିବାରୁ ଗତକାଲି ରାତି ପ୍ରାୟ ୧୧ଟାରେ ଭାଇ ଦୀପକ କୁମାର ସିଂ ଓ ଆଶାକର୍ମୀ ମିନତି ପ୍ରଧାନ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ଡାକ୍ତରଙ୍କୁ ଦେଖାଇବାରୁ ତାଙ୍କର ସମୟ ହୋଇନଥିବା କହିଥିଲେ। ତାରିଖ ଆସିଯାଇଥିବାରୁ ସେମାନେ ଆଉ ଘରକୁ ନଯାଇ ହସ୍ପିଟାଲ ପ୍ରସୂତି ୱାର୍ଡ ବାରଣ୍ଡାରେ ରହିଥିଲେ। ଆଜି ସନ୍ଧ୍ୟା ୭ଟାରେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ। ପ୍ରସବ ଯନ୍ତ୍ରଣା ଅଧିକ ହେବାରୁ ଆଶାକର୍ମୀ ମହିଳାଙ୍କୁ ନେଇ ଲେବର ରୁମ୍ ଭିତରକୁ ଯିବାକୁ ଉଦ୍ୟତ ହେବା ସମୟରେ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଛାଡ଼ି ନଥିଲେ।

ଏହାପରେ ରାତି ପ୍ରାୟ ୯ଟା ୩୦ ମିନିଟ୍‌ରେ ଆଶାକର୍ମୀ ବାରଣ୍ଡାରେ ଲୁଗା ଘୋଡ଼ାଇ ମହିଳାଙ୍କ ପ୍ରସବ କରାଇଥିଲେ। ପ୍ରସବ ପରେ ପ୍ରାୟ ୩୦ ମିନିଟ ଅପେକ୍ଷା କରିଥିଲେ ସୁଦ୍ଧା ହସ୍ପିଟାଲ୍ କର୍ତ୍ତୃପକ୍ଷ ମହିଳାଙ୍କୁ ଲେବର ରୁମ୍ ମଧ୍ୟକୁ ନେଇ ନଥିଲେ। ଫଳରେ ନବଜାତ ଛୁଆ ଓ ମା’ ବାରଣ୍ଡାରେ ପଡ଼ି ରହିଥିଲେ। ଆଶାକର୍ମୀ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ଵହୀନତା ପାଇଁ ପ୍ରତିବାଦ କରିବା ସହ ବାରଣ୍ଡାରେ ପଡ଼ିଥିବା ମହିଳାଙ୍କ ଫଟୋ ମୋବାଇଲରେ ଉଠାଇବା ସମୟରେ ସେଠାରେ ଥିବା ମହିଳା ସୁରକ୍ଷାକର୍ମୀ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ଠାରୁ ମୋବାଇଲ ଛଡାଇ ନେଇଥିଲେ। ଫଳରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା। ଆଶାକର୍ମୀଙ୍କ ସମେତ ସେଠାରେ ଉପସ୍ଥିତ ଲୋକମାନେ ପ୍ରସୂତି ବିଭାଗ ସମ୍ମୁଖରେ ପ୍ରବଳ ପାଟିତୁଣ୍ଡ କରିବା ସହ ସମ୍ପୃକ୍ତ ସୁରକ୍ଷାକର୍ମୀ ଆଶାକର୍ମୀ ଭୁଲ ମାଗିବାକୁ ଅଡି ବସିଥିଲେ। କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ଆଶାକର୍ମୀ ଓ ମହିଳାଙ୍କ ସମ୍ପର୍କୀୟଙ୍କୁ ବୁଝାସୁଝା କରିଥିଲା। ଶେଷରେ ମହିଳା ଓ ନବଜାତକଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ‌ୱାର୍ଡରେ ଭର୍ତ୍ତି କରିଥିଲେ। ଏବେ ଉଭୟ ମା’ ଓ ଛୁଆ ସୁସ୍ଥ ଅଛନ୍ତି।

ସମ୍ବନ୍ଧିତ ଖବର