ମହିଳାଙ୍କ ଫେସ୍‌ବୁକ୍‌ ହ୍ୟାକ୍‌ କଲେ ଯୁବତୀ, କାର୍ଯ୍ୟାନୁଷ୍ଠାନ ପାଇଁ ଥାନାକୁ ଧାଉଁଛନ୍ତି ମହିଳା

ଚନ୍ଦ୍ରଶେଖରପୁର: ପଡ଼ୋଶୀ ମହିଳାଙ୍କ ଫେସ୍‌ବୁକ୍‌କୁ ହ୍ୟାକ୍‌ କରି ଜଣେ ଯୁବତୀ ସେଥିରେ ବିଭିନ୍ନ ପ୍ରକାର ଅଶ୍ଳୀଳ ଭିଡିଓ ଅପ୍‌ଲୋଡ୍‌ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଦେହ ବ୍ୟବସାୟ ପାଇଁ ଗ୍ରାହକ ଖୋଜୁଛନ୍ତି ବୋଲି ବ୍ଲକ୍‌ରେ ଲେଖାଯାଇଛି। ତେଣୁ ପ୍ରତିଦିନ ମହିଳାଙ୍କ ପାଖକୁ ଅନେକ କଲ୍‌ ଆସୁଥିବାରୁ ସେ ବିଚଳିତ ହୋଇପଡ଼ିଛନ୍ତି। ପଡ଼ୋଶୀ ଯୁବତୀ ଏଭଳି କାଣ୍ଡ କରିଛନ୍ତି ବୋଲି ମାନୁଥିଲେ ବି ଚନ୍ଦ୍ରଶେଖରପୁର ଥାନା ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ମହିଳା ଅଭିଯୋଗ କରିଛନ୍ତି।

ମହିଳା ଜଣକ ହଠାତ୍ ଏଭଳି କଲ୍ ପାଇବା ପରେ ନିଜର ଫେସ୍‌ବୁକ୍‌ ଦେଖିଥିଲେ। ସେଥିରେ ବିଭିନ୍ନ ପ୍ରକାର ଅଶ୍ଳୀଳ ଫଟୋ ଅପ୍‌ଲୋଡ୍‌ ହୋଇଥିବା ଦେଖିବା ପରେ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ତୁରନ୍ତ ସେ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ଖୋଳତାହ୍‌ କରିବା ପରେ ପଡ଼ୋଶୀ ଯୁବତୀ ଏଭଳି କରିଥିବା ଜଣାପଡ଼ିଥିଲା ଓ ଯୁବତୀ ମଧ୍ୟ ଏହା ସ୍ବୀକାର କରିଥିଲେ। ମାତ୍ର ପୁଲିସ କେବଳ ପଚରାଉଚରା କରି ତାଙ୍କୁ ଛାଡ଼ି ଦେଇଥିଲା। ତେଣୁ ତତ୍କାଳୀନ ଥାନା ଅଧିକାରୀଙ୍କ ବିରୋଧରେ ମହିଳା ଜଣକ ଏସିପିଙ୍କୁ ଅଭିଯୋଗ କରିଥିଲେ। ତଥାପି ତାଙ୍କୁ ନ୍ୟାୟ ମିଳିନଥିଲା। ଆଜି ମହିଳା ଜଣକ ଭୁବନେଶ୍ବର ଡିସିପିଙ୍କୁ ଭେଟି ନ୍ୟାୟ ମାଗିବାକୁ ଯାଇଥିଲେ ବି ତାଙ୍କୁ ସାକ୍ଷାତ କରିପାନରିନଥିବା କହିଛନ୍ତି। ଡିସିପିଙ୍କୁ ଭେଟିବା ପରେ ତାଙ୍କୁ ନ୍ୟାୟ ନ ମିଳିଲେ, ସେ ଚରମ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର