ଭୁବନେଶ୍ବର: ପ୍ରେମବିବାହ କରି ସଂସାର ଗଢ଼ିଥିଲେ ହେଁ ସଇତାନ ସ୍ବାମୀ ଲିପ୍ତଥିଲା ପରକୀୟାପ୍ରୀତିରେ। ତେଣୁ ବିବାହର କିଛି ଦିନ ପରେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟିହେଲା ପ୍ରଳୟଙ୍କରୀ ଝଡ଼। ଏକଦା ଭଲପାଇ ବାହା ହୋଇଥିବା ସ୍ବାମୀ ବଡ଼ ନର୍ଦ୍ଦୟଭାବେ ସ୍ତ୍ରୀଙ୍କୁ ପିଟିଲା ଏବଂ ନାନାପ୍ରକାର ନିର୍ଯାତନା ଦେଲା। ଶେଷରେ ନିର୍ଯାତନା ଚରମ ସୀମାରେ ପହଞ୍ଚିବାରୁ ସ୍ତ୍ରୀ ସେଭଳି ସ୍ବାମୀକୁ ଓ ନିଜ ଜୀବନକୁ ସବୁଦିନ ପାଇଁ ଛି କରିଦେଲେ। ଗତକାଲି ବିଳମ୍ବିତ ରାତିରେ ଖାରବେଳନଗର ଥାନା ରାମପୁରବସ୍ତିରେ ରହୁଥିବା ସ୍ବର୍ଣ୍ଣଲତା ମହାନନ୍ଦିଆ(୨୦) ଏଭଳି ଚରମ ନିଷ୍ପତ୍ତି ନେଇ ଫ୍ୟାନ୍ରେ ଝୁଲି ପଡ଼ିଥିବା ଜଣାପଡ଼ିଛି। କିନ୍ତୁ ନୃଶଂସ ସ୍ବାମୀ ବିପିନ ନାୟକ(୨୨) ତଣ୍ଟି ଚିପି ହତ୍ୟା କରିବା ପରେ ଫ୍ୟାନ୍ରେ ଝୁଲାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ବୋଲି ମୃତ ସ୍ବର୍ଣ୍ଣଲତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ଖାରବେଳନଗର ଥାନା ପୁଲିସ ବିପିନକୁ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି।
ହତ୍ୟା ଅଭିଯୋଗରେ ସ୍ବାମୀ ଅଟକ
ଅପରିପକ୍ବ ପ୍ରେମର କରୁଣ ପରିଣତି
ବିପିନକୁ ମାତ୍ର ୨୨ ବର୍ଷ ହୋଇଥିବା ବେଳେ ସ୍ବର୍ଣ୍ଣଲତାକୁ ୨୦। ତେଣୁ ବିବାହ କରି ଘରସଂସାର କରିବାର ପରିପକ୍ବତା ସେମାନଙ୍କ ନିକଟରେ ନଥିଲା। ସ୍ବର୍ଣ୍ଣଙ୍କ ବାପା ନନ୍ଦିକିଶୋରଙ୍କ ଘର ବୌଦ୍ଧ ଓ ବିପିନର ଘର ନୟାଗଡ଼ରେ। ନନ୍ଦିକିଶୋର ଓ ବିପିନ ରାଜଧାନୀସ୍ଥିତ ଏକ ନାମୀ ରେସ୍ତୋରାଁରେ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ପରିଚୟ ହୋଇଥିଲା। ସମ୍ପର୍କ ନିବିଡ଼ ହେବାରୁ ବିପିନ ବହୁ ସମୟରେ ନନ୍ଦିକିଶୋରଙ୍କ ଘରକୁ ଯାଉଥିଲା। ତେଣୁ ବିପିନ ଓ ସ୍ବର୍ଣ୍ଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ବାପାମା’ଙ୍କ ବାରଣ ସତ୍ତ୍ବେ ବିପିନ ନିଜ ଇଛାରେ ସ୍ବର୍ଣ୍ଣଲତାଙ୍କୁ ବାହା ହେଲା ଏବଂ ଘରକୁ ଯିବା ରାସ୍ତା ବନ୍ଦ ହୋଇଯିବାରୁ ସ୍ତ୍ରୀ ସ୍ବର୍ଣ୍ଣ ସହ ରାମପୁରବସ୍ତିରେ ଭଡ଼ାଘରେ ରହୁଥିଲା। ମାତ୍ର କିଛି ଦିନ ପରେ ସ୍ବର୍ଣ୍ଣ ସ୍ବାମୀ ବିପିନକୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଲାଗିଲା। ବିପିନ ପରକୀୟାପ୍ରୀତିରେ ଲିପ୍ତ ଥିବା ସନ୍ଦେହ କରି ସ୍ବର୍ଣ୍ଣ ତାକୁ ବାରମ୍ବାର ପଚାରିଥିଲା। ବିପିନ ମଧ୍ୟ ସ୍ତ୍ରୀ ସ୍ବର୍ଣ୍ଣକୁ ଠିକ୍ ଭାବେ ବୁଝାସୁଝା ନକରି ମାଡ଼ଗାଳି ଦେଉଥିଲା। ରାମପୁରବସ୍ତିର ପଡ଼ୋଶୀମାନଙ୍କ କହିବା କଥା ସବୁବେଳେ ବିପିନ ନିର୍ଦ୍ଦୟ ଭାବେ ସ୍ବର୍ଣ୍ଣକୁ ମାଡ଼ ମାରୁଥିଲା। ଗତକାଲି ରାତିରେ ମଧ୍ୟ ପ୍ରବଳ ମାଡ଼ ମାରିଛି ବୋଲି ପଡ଼ୋଶୀମାନେ କହିଛନ୍ତି। ତେଣୁ ବିଚରା ସ୍ବର୍ଣ୍ଣ ଆତ୍ମହତ୍ୟା କରିଥିବ କିମ୍ବା ନିଷ୍ଠୁର ବିପିନ ତାକୁ ମାରିଦେଇଥିବ ବୋଲି ସେମାନେ ସନ୍ଦେହ ପ୍ରକଟ କରିଛନ୍ତି।
ଆଜି ସକାଳୁ ସକାଳୁ ସ୍ବର୍ଣ୍ଣଲତାଙ୍କ ଆତ୍ମହତ୍ୟା ଖବର ପାଇ ଖାରବେଳନଗର ଥାନା ପୁଲିସ ରାମପୁରବସ୍ତିରେ ପହଞ୍ଚିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ସ୍ବର୍ଣ୍ଣଙ୍କ ମୃତଦେହ ଶୋଇବା ଘରର ଚଟାଣ ଉପରେ ପଡ଼ିଥିଲା। ବିପିନ ମୁଣ୍ଡରେ ହାତଦେଇ ବସିଥିଲା। ସ୍ବର୍ଣ୍ଣଙ୍କ ବେକରେ ଚିପା ଦାଗ ଥିଲା। ପୁଲିସକୁ ସୂଚନା ଦେଇ ବିପିନ କହିଥିଲା ଯେ ସ୍ବର୍ଣ୍ଣ ବଞ୍ଚିଥିବା ଭାବି ସେ ଫ୍ୟାନ୍ରୁ ତଳକୁ ଓହ୍ଲାଇଥିଲା। ମାତ୍ର ସେ ମରିଯାଇଥିବା ନିଶ୍ଚିତ ହେବାରୁ ଆଉ ଡାକ୍ତରଖାନା ନେଇନଥିଲା। ପୁଲିସ ମୃତଦେହର ପଞ୍ଚନାମା କରିବା ସହ ଘଟଣାସ୍ଥଳରେ ଛାନ୍ଭିନ୍ କରିଥିଲା। ବଙ୍କା ହୋଇଯାଇଥିବା ଫ୍ୟାନ୍ର ସ୍ଥିତି ଓ ଗାମୁଛା ଆଦିକୁ ପୁଲିସ ପରଖିଥିଲା। ଏହା ଭିତରେ ପୁଲିସର ଫୋନ୍ ପାଇ ସ୍ବର୍ଣ୍ଣଙ୍କ ବାପା ନନ୍ଦିକିଶୋର ମହାନନ୍ଦିଆ ପହଞ୍ଚିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ଏସବୁ ମଧ୍ୟରେ ସ୍ବର୍ଣ୍ଣଙ୍କ ବାପା ନନ୍ଦିକିଶୋର ହତ୍ୟା ଅଭିଯୋଗ ଆଣିଥିଲେ। ପୂର୍ବରୁ ଜୋଇଁ ବିପିନ ତାଙ୍କ ଝିଅକୁ ପ୍ରବଳ ମାରଧର କରୁଥିଲା ଏବଂ ଯୌତୁକ ଦାବି କରି ଅକଥନୀୟ ନିର୍ଯାତନା ଦେଉଥିଲା ବୋଲି ସେ କହିଥିଲେ। ଏଥିସହିତ ବିପିନର ପରକୀୟାପ୍ରୀତି ଧରାପଡ଼ିବାରୁ ସେ ସ୍ବର୍ଣ୍ଣଙ୍କୁ ଅଧିକ ଅତ୍ୟାଚାର କରୁଥିଲା ଏବଂ ଶେଷରେ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା ବୋଲି ନନ୍ଦିକିଶୋର ଅଭିଯୋଗ କରିଥିଲେ। ବ୍ୟବଚ୍ଛେଦ ପରେ ପୁଲିସ ସ୍ବର୍ଣ୍ଣଙ୍କ ମୃତଦେହକୁ ନନ୍ଦିକିଶୋରଙ୍କୁ ହସ୍ତାନ୍ତର କରିଥିଲା। ପୁଲିସ ବିପିନର ମୋବାଇଲ୍ ଫୋନ୍ରୁ ପରକୀୟାପ୍ରୀତି ବାବଦରେ ସୂଚନା ପାଇବାକୁ ଚେଷ୍ଟା କରୁଛି।