ବାର୍‌କୁ ବିରୋଧ କରି ଧାରଣାରେ ବସିଲେ ମହିଳା

୨ ଘଣ୍ଟା ବନ୍ଦ କରିଦେଲେ ନିମାପଡ଼ା ରାସ୍ତା

ବାଲିପାଟଣା: ସ୍ଥାନୀୟ ଚଣାହଟ୍ଟା ଛକରେ ନୂଆ କରି ଖୋଲିଥିବା ଏକ ମଦ ବାର୍‌ ବନ୍ଦ କରିବାକୁ ଦାବି କରି ଚାଲିଥିବା ମହିଳାମାନଙ୍କ ଗଣଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଥିଲା। ମଦ ବାର୍‌ ସମ୍ମୁଖରେ ଚାଲିଥିବା ଏହି ଗଣଧାରଣା ଆଜି ରାଜରାସ୍ତାକୁ ଆସିବା ଫଳରେ ସରଦେଇପୁର-ନିମା‌ପଡ଼ା ରାସ୍ତା ପ୍ରାୟ ୨ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିବା ଫଳରେ ଲୋକେ ହନ୍ତସନ୍ତ ହୋଇଥିଲେ। ତେବେ ଶେଷରେ ବାଲିପାଟଣା ଥାନା ପୁଲିସ ମହିଳାମାନଙ୍କୁ ବୁଝାସୁଝା କରି ରାସ୍ତା ଉପରୁ ହଟାଇବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ସ୍ଥାନୀୟ ମହିଳାମାନେ ୨ ଦିନ କାଳ ବାର୍‌ ବାରଣ୍ଡାରେ ଧାରଣା ଦେଇଥିଲେ। ଆଜି ସେମାନେ ଧାରଣାସ୍ଥଳକୁ ଆସିବା ବେଳକୁ ବାର୍‌ର କର୍ମଚାରୀମାନେ ଛାତ ଉପରୁ ପାଣି ଢ଼ାଳି ବାରଣ୍ଡାକୁ ଓଦା କରିଦେଇଥିଲେ। ତେଣୁ ମହିଳାମାନେ ରାସ୍ତା ଉପରେ ଧାରଣାରେ ବସିଥିଲେ। ସରଦେଇପୁର-ନିମାପଡ଼ା ରାସ୍ତା ଅବରୋଧ ହେବାରୁ ବାଲିପାଟଣା ଥାନା ପୁଲିସ ସେଠାକୁ ଆସିଥିଲା। ପୁଲିସ ବୁଝାଇବା ପରେ ମହିଳାମାନେ ରାସ୍ତାରୁ ଉଠିଯିବା ସହ ଧାରଣା ବନ୍ଦ କରିଦେଇଥିଲେ। କିନ୍ତୁ ବାର୍‌ ଖୋଲିଲେ, ଆନ୍ଦୋଳନ ଜୋର୍‌ଦାର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ମହିଳାମାନଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ବାଲିପାଟଣାରେ ମଦ ଦୋକାନ ରହିଛି। ସରକାର ପୁଣି ଏକ ବାର୍‌ ପାଇଁ ଅନୁମତି ଦେଇଛନ୍ତି। ଏହି ଠିପି ଖୋଲା ମଦ ଦୋକାନ ଯୋଗୁଁ ସ୍ଥାନୀୟ ଅଞ୍ଚଳର ସାଧାରଣ ଜୀବନଯାପନ ସାଂଘାତିକ ଭାବେ ପ୍ରଭାବିତ ହେବ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ପ୍ରଥମେ ଅଠାନ୍ତର ପଞ୍ଚାୟତର ମହିଳାମାନେ ବିରୋଧ କରିଥିବା ବେଳେ ଆଜି ଗାରେଡିପାଞ୍ଚଣ, ଅଠାନ୍ତର ଓ ପମ୍ପାଲୋ ପଞ୍ଚାୟତର ଶତାଧିକ ମହିଳା ଚଣାହଟ୍ଟା ଛକରୁ ରୢାଲି କରି ବାର୍‌ ପର୍ଯ୍ୟନ୍ତ ଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଲକ୍ଷ୍ମୀପ୍ରିୟା ବାରିକ, ଜ୍ୟୋସ୍ନାମୟୀ ଭୋଳ, ପ୍ରତିମା ଭଟ୍ଟ, କୁଙ୍କୁମ ମହାରଣା, ପ୍ରିୟଦର୍ଶିନୀ ବେହେରା ସାମିଲ୍‌ ହୋଇଥିବା ବେଳେ ଶିବ ପ୍ରସାଦ ପାଟ୍ଟଯୋଷୀ ଏହାର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର